ମେଣ୍ଢାଶାଳ ମଇଦାନରେ ମାଳମାଳ ପ୍ରାର୍ଥୀ

ଛତାବରରେ ଛିଡ଼ିଯାଇଛି ରାଜନୈତିକ ଶତ୍ରୁତା

ମେଣ୍ଢାଶାଳ : ସ୍ବାଭାବିକ ଭାବେ ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ଗାଁ ଗାଁରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଛି। ତେବେ ଭୁବନେଶ୍ବର ବ୍ଲକ୍ ମେଣ୍ଢାଶାଳ ପଞ୍ଚାୟତ ଓ ପଡ଼ୋଶୀ ଜଟଣୀ ବ୍ଲକ୍‌ର ଛତାବର ପଞ୍ଚାୟତ ରାଜନୀତି ରାଜଧାନୀ ଉପକଣ୍ଠରେ ଚର୍ଚ୍ଚାର ବିଷୟ ହୋଇଛି। ମେଣ୍ଢାଶାଳରେ ସବୁଠୁ ଅଧିକ ପ୍ରାର୍ଥୀ ଓ ସବୁ ନୂଆମୁହଁ ହୋଇଥିବା ବେଳେ ଛତାବରରେ ପୁରୁଣା ଜନପ୍ରତିନିଧିମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ପୂର୍ବତନ ମନ୍ତ୍ରୀ ବନମାଳୀ ପଟ୍ଟନାୟକ ଓ ପୂର୍ବତନ ବିଧାୟକ ଭାଗିରଥୀ ବଡ଼ଜେନାଙ୍କ ଗାଁ ମେଣ୍ଢାଶାଳରେ ସବୁବେଳେ ରାଜନୀତି ଚର୍ଚ୍ଚାରେ ରହିଥାଏ। ଏଥର ଏଠାରେ ୯ଜଣ ସରପଞ୍ଚ ପଦ ପାଇଁ ଲଢ଼େଇ କରୁଛନ୍ତି। ସମିତି ସଭ୍ୟ ପାଇଁ ୮ ଜଣ ପ୍ରାର୍ଥୀ ହୋଇଛନ୍ତି। ସବୁଠୁ ଅଧିକ ଚର୍ଚ୍ଚା ହେଉଛି ସରପଞ୍ଚ ପଦ ଲଢ଼େଇ। ୯ ଜଣଙ୍କ ମଧ୍ୟରେ ଜଣେ ମହିଳା ପ୍ରାର୍ଥୀ ଅଛନ୍ତି। କେବଳ ମେଣ୍ଢାଶାଳରୁ ୮ ଜଣ ପ୍ରାର୍ଥୀ ହୋଇଥିବା ବେଳେ ଗିରିଙ୍ଗାପୁଟରୁ ଜଣେ ପ୍ରାର୍ଥୀ ଅଛନ୍ତି। ବଡ଼ କଥା ହେଉଛି ଏଠାରେ କେଉଁ ପ୍ରାର୍ଥୀ କେଉଁ ଦଳୀୟ ସମର୍ଥନ ପାଇଛି, ବୁଝିବା କଷ୍ଟକର। ପ୍ରାୟ ସବୁ ଦଳର ସମର୍ଥିତ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି ବୋଲି କୁହାଯାଉଛି। ତେଣୁ ଏଠାରେ ବଡ଼ ରୋଚକସ୍ଥିତିରେ ଚାଲିଛି ନିର୍ବାଚନ ଲଢ଼େଇ। ପ୍ରାର୍ଥୀମାନେ ଛକାପଞ୍ଚାରେ ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି। ବଡ଼ କଥା ହେଉଛି, ଏଠି ପ୍ରାର୍ଥୀମାନେ ଦଳ କଥା କହୁନାହାନ୍ତି। କେବଳ ନିଜ କଥା କହି ଭୋଟ ଭିକ୍ଷା କରୁଛନ୍ତି। ସେହିଭଳି ଭୋଟରମାନେ ବି ବଡ଼ ଦ୍ବନ୍ଦ୍ବରେ ଥିବା କୁହାଯାଉଛି। କିଛି ହାତଗଣତି ସମର୍ଥକଙ୍କୁ ବାଦ୍‌ ଦେଲେ ସାଧାରଣ ଲୋକମାନେ କାହାକୁ ଭୋଟ୍ ଦେବେ, ସ୍ଥିର କରିପାରୁନାହାନ୍ତି। ସମାନ ଅବସ୍ଥା ସମିତି ସଭ୍ୟ ପ୍ରାର୍ଥୀମାନଙ୍କର। ୧୪ ୱାର୍ଡ ବିଶିଷ୍ଟ ଏହି ପଞ୍ଚାୟତରେ ରହିଛି ମେଣ୍ଢାଶାଳ, ଗିରିଙ୍ଗାପୁଟ, ହରିପୁର, ହରିଡ଼ାମଡ଼ା, ବାରାପିଟା ଗାଁ। ଏଠାରେ ଆଦିବାସୀ ଭୋଟରଙ୍କ ସଂଖ୍ୟା ବେଶ୍ ଅଧିକ। ତେଣୁ ଏଥର ଏଠାରେ ନିର୍ବାଚନ ଲଢ଼େଇର ଫଳାଫଳକୁ ନେଇ କିଛି ଆକଳନ କରିବା ମୁସ୍କିଲ ବୋଲି ମତ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଛତାବର ପଞ୍ଚାୟତରେ ଜୋର୍‌ଦାର ଲଢ଼େଇ ଚାଲିଛି। ଏଠାରେ ପ୍ରାୟ ସବୁ ପୁରୁଣା ମୁହଁ ମଇଦାନକୁ ଓହ୍ଲାଇଛନ୍ତି। ମାତ୍ର ଦୁଇ ତିନି ଜଣ ନୂଆ ମୁହଁ ପ୍ରାର୍ଥୀ ହୋଇଛନ୍ତି। ସରପଞ୍ଚ ପଦ ପାଇଁ ପୂର୍ବତନ ସରପଞ୍ଚ ଓ ପୂର୍ବତନ ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ସମିତି ସଭ୍ୟ ପାଇଁ ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ଦଳୀୟ କଥା ଓଲଟପାଲଟ ହୋଇଯାଇଛି। ଦଳବଦଳକୁ ନେଇ ଏଠାରେ ଜୋର୍‌ ଚର୍ଚ୍ଚା। ଏଠାରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ରାଜନୈତିକ ଶତ୍ରୁତା। ଗତଥର ଯେଉଁମାନେ ବିରୋଧୀ ଥି‌ଲେ, ଏଥର ସେମାନେ ହାତ ମିଶାଇଛନ୍ତି। ଦୀର୍ଘ ବର୍ଷର ରାଜନୈତିକ ଶତ୍ରୁତାକୁ ଭୁଲି ଏଥର ମିଳିତ ଭାବେ ନିର୍ବାଚନ ଲଢ଼ୁଛନ୍ତି। ତେଣୁ ଏଠିକାର ଫଳାଫଳ ବଡ଼ ରୋଚକ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର