ମେଣ୍ଢାଶାଳ ଅଘୋରତପ ଯାତ୍ରା: ଅଗ୍ନିକୁଣ୍ଡରେ ଝୁଲିଲେ ବ୍ରତୀ

ମେଣ୍ଢାଶାଳ: କଠିନ ସାଧନାର ଅନ୍ୟନାମ ଅଘୋରତପ। ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗାଁରେ ପାଳିତ ହୋଇଆସୁଥିବା ଏହି କଠିନବ୍ରତ ଏଥର ଉତ୍ସାହର ସହିତ ପାଳିତ ହୋଇଛି। ନିଷ୍ଠାର ପ୍ରତୀକ ଏହି ଅଘୋରତପ ବା ଉଗ୍ରତପ ପ୍ରାୟ ୫୦୦ ବର୍ଷ ବା ତା’ଠାରୁ ଅଧିକ କାଳରୁ ମେଣ୍ଢାଶାଳରେ ପାଳିତ ହେଉଥିବାର ବିଶ୍ବାସ କରାଯା‌ଏ। କୌଣସି ଇଚ୍ଛା ପୂରଣ ପାଇଁ ଏହି ଅଘୋରତପ କରିବାଲାଗି ଭକ୍ତମାନେ ମାନସିକ କରିଥାଆନ୍ତି। ମନସ୍କାମନା ପୂରଣ ହେଲେ ସେମାନେ ଅଘୋରତପ ବ୍ରତ ଧାରଣ କରି ଏହି ଯାତ୍ରାରେ ଭାଗ ନିଅନ୍ତି।

ପରମ୍ପରା ଅନୁସାରେ ଆଜି ଗ୍ରାମର ଶ୍ରୀଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏହି ଅଘୋରତପ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଘଣ୍ଟଘଣ୍ଟା, କାହାଳୀ ଓ ଢୋଲ‌ରେ ମନ୍ଦିରର ପରିସର ଓ ସାରା ଅଞ୍ଚଳ ଉଛୁଳି ଉଠିଥିଲା। ଝାମୁଯାତ୍ରାରେ ମିଶିଥିବା ପାଟୁଆ ଦଣ୍ଡକାଳିଶିମାନେ ୭ ଦିନ ଧରି ପୂର୍ବରୁ ଏହି ନୀତି ଆରମ୍ଭ କରିଥିଲେ। ଚଳିତ ବର୍ଷ ୧୦୦ ରୁ ଅଧିକ ପାଟୁଆ ଅଂଶ ଗ୍ରହଣ କରିଥିଲେ। ଆଜି, ଅର୍ଥାତ୍‌ ମେରୁଦିନ ଗ୍ରାମର ଗ୍ରାମଦେବତୀଙ୍କ ପାଖରେ ଗୁହାରିଆ ପଡ଼ି ସେଠାରୁ ଗ୍ରାମର ଇଷ୍ଟଦେବତା ଶ୍ରୀଶ୍ରୀ ଭଗବତବାସୁଦେବଙ୍କର ପ୍ରାଙ୍ଗଣରେ ତତଲା ବାଲିରେ ମେରୁଦଣ୍ଡ ବା ଧୂଳିଦଣ୍ଡରେ ଗଡ଼ିବାପରେ ବାଲୁଙ୍କେଶ୍ୱର ମନ୍ଦିରର ପରିସରକୁ ଗଡ଼ିଗଡ଼ି ଯାଇଥିଲେ। ଗ୍ରାମର ଛୋଟପିଲା ଓ ସାଧାରଣ ଲୋକମାନେ ମଧ୍ୟ ଏହି ମେରୁ ଗଡ଼ିଥିଲେ। ସେଠାରେ ସମସ୍ତ ପାଟୁଆ ଓ ଦଣ୍ଡକାଳିଶି ଏକାଠି ହୋଇ ନିକଟସ୍ଥ ପଦ୍ମପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୁଆ ଶେଷରେ ସେଠାରୁ ଫେରି ପାଟୁଆମାନେ ଗାଁ ବୁଲି ପଣା ଖାଇଥିଲେ। ଗାଁ ବୁଲା ଶେଷରେ ପାର୍ବତୀ ମନ୍ଦିରରେ ନୀତି ସମାପନ କରି ମାନସିକ ପୂରଣ ହୋଇଥିବା ୪ ଜଣ ପାଟୁଆ ପୋଖରୀରେ ଗାଧୋଇ ହଳଦିଆ ବସ୍ତ୍ର ପରିଧାନ କରି ମୁହଁରେ ଲୁଗା ପକାଇ ଅଘୋରତପ ଯଜ୍ଞକୁଣ୍ଡକୁ ଯାଇଥିଲେ।

ସେଠାରେ ସେମାନଙ୍କୁ ଦୁଇଗୋଡ ଉପରକୁ କରି ଜଳୁଥିବା ଯଜ୍ଞକୁଣ୍ଡ ଉପରେ ଝୁଲା ଯାଇଥିଲା। ନିୟମ ଅନୁସାରେ ଜଣେ ଜଣେ ପାଟୁଆଙ୍କୁ ୩ଥର ଝୁଣା ମରା ଯାଇଥିଲା। ଚଳିତ ବର୍ଷ ପ୍ରମୋଦ କୁମାର ପାଇକରାୟ, ମିଟୁ ମାନସିଂହ, ସର୍ବେଶ୍ୱର ବେହେରା ଓ ଗଣେଶ ବେହେରା ଏହି ଅଘୋରତପରେ ଭାଗ ନେଇଥିଲେ। ଏହି ନିଆରା ପରମ୍ପରାକୁ ଦେଖିବାଲାଗି ଆଜି ପ୍ରବଳ ଜନସମାଗମ ହୋଇଥିଲା। ସ୍ଥାନୀୟ ଅଞ୍ଚଳ ସମେତ ଭୁବନେଶ୍ବର ଓ କଟକ ତଥା ଆହୁରି ଦୂରରୁ ଦର୍ଶକ ଆସିଥିଲେ। ସେହିପରି ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଝାମୁଯାତ୍ରା ମହାସମାରୋହରେ ପାଳିତ ହୋଇଛି। ମେଣ୍ଢାଶାଳ ବାଲୁଙ୍କେଶ୍ୱର ପୀଠ ସମେତ ଅରିଶଲ ଗ୍ରାମର ବାଲୁଙ୍କେଶ୍ୱର ପୀଠ, ଛତାବର ବୁଦ୍ଧେଶ୍ୱର ପୀଠ, ପଳାଶପୁର ବାଣକୁମାରୀ ପୀଠ, ପାଣିଓରା ମଙ୍ଗଳା ପୀଠ, ଜାମୁଝରୀ ମହାଦେବ ପୀଠ, କଣ୍ଟାବାଡ଼ ମଙ୍ଗଳା ପୀଠ ଓ ଚନ୍ଦକା ମା’ଙ୍କ ପୀଠରେ ଏହି ଉତ୍ସବ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଛି। ଆଜି କିଛି ପୀଠରେ କେବଳ ମେରୁଦଣ୍ଡ ବା ଧୂଳିଦଣ୍ଡ ପର୍ବ ପାଳିତ ହୋଇଥିବାବେଳେ ଆସନ୍ତାକାଲି ଅଗ୍ନିରେ ଝୁଲିବା ବା ଚାଲିବା ପରମ୍ପରା ପାଳିତ ହେବ।

ସମ୍ବନ୍ଧିତ ଖବର