ଭୁବନେଶ୍ବର: ଫି’ ଆଦାୟକୁ ନେଇ ଖଣ୍ଡଗିରି ସ୍ଥିତ ଜାଭିୟର୍ସ ସ୍କୁଲର ଜଣେ ଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଆଜି ପୁଲିସ ଛାତ୍ରୀ ତଥା ଅଭିଭାବକଙ୍କ ବୟାନ ରେକର୍ଡ କରିଛି।
ଫି’ ଦାଖଲ ନେଇ ସ୍କୁଲ ପକ୍ଷରୁ ଜଣେ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ନେଇ ଖଣ୍ଡଗିରି ଥାନାରେ ଏତଲା ହୋଇଥିଲା। ମାତ୍ର ଏ ସଂକ୍ରାନ୍ତରେ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଅଭିଭାବକ ସଂଘ ପୁଲିସ କମିସନର ଓ ଡିସିପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ ନିର୍ଦେଶ ପରେ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁ କରିବା ସହିତ ଅଭିଯୋଗକାରୀ ବାପା ଓ ତାଙ୍କ ଝିଅଙ୍କ ବୟାନ ରେକର୍ଡ କରିଛି। ଓଡ଼ିଶା ଅଭିଭାବକ ମହାସଂଘର ଅଭିଯୋଗ ଅନୁଯାୟୀ, ୨୦୧୯ ମସିହାରେ ଜାଭିୟର୍ସ ସ୍କୁଲ ଫି' ବୃଦ୍ଧି କରିଥିଲା।
ଏହା ବିରୋଧରେ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ଦୃଷ୍ଟି ଆକର୍ଷଣ ସହିତ ବର୍ଧିତ ଫି’ ଆଦାୟକୁ ସଂଘ ବିରୋଧ କରିଥିଲା। ମାତ୍ରାଧିକ ଫି'କୁ ଅଭିଭାବକମାନଙ୍କୁ ଫେରାଇବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶକ ନିର୍ଦେଶ ନିର୍ଦେଶ ଦେଇଥିଲେ। ଏହାକୁ ବିରୋଧ କରି ସ୍କୁଲ କର୍ତ୍ତୃପକ୍ଷ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ତେବେ ନ୍ୟାୟାଳୟ ସ୍କୁଲ କର୍ତ୍ତୃପକ୍ଷଙ୍କ ଆବେଦନକୁ ଖାରଜ କରିଥିଲେ। ଏହା ସତ୍ତ୍ବେ ସ୍କୁଲ ପକ୍ଷରୁ ବର୍ଧିତ ଫି ଆଦାୟ ହୋଇଥିଲା। ଏପରିକି ସ୍କୁଲ ରେଜିଷ୍ଟାରରୁ ପିଲାଙ୍କ ନାମ କାଟି ଦିଆଯିବ ବୋଲି ଅଭିଭାବକଙ୍କୁ ପତ୍ର ଲେଖି ଚେତାବନୀ ଦିଆଯାଇଥିଲା। ଏହା ବିରୋଧରେ ସଂଘ କେନ୍ଦ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।