ଜଟଣୀ: ମଙ୍ଗଳବାର ରାତିରେ ଅରଗୁଳସ୍ଥିତ ଭୁବନେଶ୍ବର ଆଇଆଇଟି କ୍ୟାମ୍ପସ୍‌ ପରିସରରେ ଜଣେ ଛାତ୍ରୀ ପ୍ରଶାସନିକଭବନ କୋଠାର ପଞ୍ଚମ ମହଲାରୁ ଡେଇଁପଡ଼ି ଜୀବନ ହାରିଦେଇଛନ୍ତି।  ମୃତକ ହେଲେ ମେଟାଲର୍ଜି ବିଭାଗ ତୃତୀୟ ବର୍ଷର ଛାତ୍ରୀ କ୍ରିତିକା ରାଜ(୨୧)। ଦିଲ୍ଲୀର ଏହି ଛାତ୍ରୀ କ୍ରିତିକା ମାନସିକ ଚାପଜନିତ ସମସ୍ୟା ପାଇଁ ଏଭଳି ଭୟଙ୍କର ନିଷ୍ପତ୍ତି ନେଇଥିବା ଜଟଣୀ ଥାନା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆଜି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ବ୍ୟବଚ୍ଛେଦ କରାଇ ପୁଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ। ଆଇଆଇଟି କର୍ତ୍ତୃପକ୍ଷଙ୍କ ଏତଲାକୁ ଭିତ୍ତି କରି ପୁଲିସ ଛାନ୍‌ଭିନ ଜାରି ରଖିଛି। ଏଭଳି ଏକ ଅଭାବନୀୟ ଘଟଣା ଲାଗି କ୍ୟାମ୍ପସ୍‌ ପରିସରରେ ବିଷାଦର ଛାୟା ଖେଳିଯାଇଛି।

Advertisment

ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆଇଆଇଟି ପ୍ରଶାସନିକଭବନ ନିକଟରେ ଏକ ବଡ଼ଧରଣର ଶବ୍ଦ ଶୁଣି ସିକ୍ୟୁରିଟି ଗାର୍ଡ ଘଟଣାସ୍ଥଳକୁ ଯାଇଥିଲେ। ସିକ୍ୟୁରିଟି ଗାର୍ଡ ସେଠାରେ ପହଞ୍ଚିବା ବେଳକୁ କ୍ରତିକା ମୁହଁ ମାଡ଼ି ତଳେ ପଡ଼ିଥିବା ଦେଖିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କ୍ରତିକାଙ୍କ ନିଶ୍ଚଳ ଶରୀର ପଡ଼ିଥିବା ଦେଖି ସିକ୍ୟୁରିଟି ଗାର୍ଡ ତୁରନ୍ତ ତାଙ୍କ ସୁପରଭାଇଜର୍‌ ଓ ଛାତ୍ରାବାସ ୱାର୍ଡେନ୍‌ଙ୍କୁ ଜଣାଇଥିଲେ। ଆଇଆଇଟି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଆମ୍ବୁଲାନ୍ସରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଜଟଣୀ ଥାନା ପୁଲିସ ହସ୍ପିଟାଲ୍‌ରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମର୍ଗରେ ସଂରକ୍ଷଣ ବ୍ୟବସ୍ଥା କରାଇଥିଲା। ରାତାରାତି ଆଇଆଇଟି କର୍ତ୍ତୃପକ୍ଷ କ୍ରିତିକାଙ୍କ ପରିବାର ଲୋକଙ୍କୁ ଫୋନ୍‌ କରି ଜଣାଇଥିଲେ। ଆଜି ପୁଲିସ କ୍ୟାମ୍ପସ୍‌ରେ ପହଞ୍ଚି କ୍ରିତିକା ରହୁଥିବା ହଷ୍ଟେଲରେ ଅନ୍ତେବାସୀ ଓ ସହପାଠିନୀମାନଙ୍କୁ ପଚରାଉଚରା କରିଥିଲା। ଛାତ୍ରାବାସରେ ରହୁଥିବା କ୍ରିତିକା ରାତି ୧୧ଟା ପରେ କ’ଣ ପାଇଁ ପ୍ରଶାସନିକଭବନ କୋଠାକୁ ଯାଇଥିଲେ, ସେନେଇ ପଚରାଉଚରା କରିଛି।

ପ୍ରଶାସନିକଭବନରେ ଲାଇବ୍ରେରି ଥିବାରୁ କ୍ରିତିକା ସେଠାକୁ ପଢ଼ିବାକୁ ଯାଇଥିବା ସନ୍ଦେହ କରାଯାଉଛି। ପୁଲିସ କହିବା କଥା କ୍ରିତିକା ମାନସିକ ରୋଗରେ ପୀଡ଼ିତ ଥିଲେ। ଚାପମୁକ୍ତ ହେବା ପାଇଁ ସେ ଔଷଧ ସେବନ କରୁଥିଲେ। ଏପରିକି କ୍ରିତିକାଙ୍କ ହାବଭାବକୁ ନେଇ ଆଇଆଇଟି କର୍ତ୍ତୃପକ୍ଷ ତାଙ୍କ ପରିବାରକୁ ଜଣାଇ ଝିଅକୁ ଘରକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ପରିବାର ଲୋକେ କ୍ରତିକାଙ୍କ ଘରକୁ ନେବା ପରିବର୍ତ୍ତେ କଲେଜରେ ଏକ ଅଣ୍ଡରଟେକିଂ ଲେଖି ଯାଇଥିଲେ। ଗତ ସପ୍ତାହରେ କ୍ରିତିକା ଦିଲ୍ଲୀ ଯାଇଥିଲେ ଏବଂ ୨/୩ଦିନ ଘରେ ରହି ହଷ୍ଟେଲକୁ ଫେରିଥିଲେ। ସେବେଠୁ ସେ ହଷ୍ଟେଲରେ ଗୁମ୍‌ସୁମ୍ ହୋଇ ରହୁଥିବା ଅନ୍ତେବାସୀମାନେ ପୁଲିସକୁ ସୂଚନା ଦେଇଛନ୍ତି। କ୍ରିତିକା ଜଣେ ମେଧାବୀ ଛାତ୍ରୀ ଥିଲେ। ଆଉ ବର୍ଷକ ପରେ ତାଙ୍କର କୋର୍ସ ସରିଥାଆନ୍ତା ଏବଂ ସେ ପାସ୍‌ଆଉଟ୍‌ ହୋଇଥାଆନ୍ତେ। ଅଥଚ କେଉଁ କାରଣରୁ ସେ ମାନସିକ ଚାପରେ ଥିଲେ, ସେନେଇ ପରିବାର ଲୋକେ ପୁଲିସକୁ କିଛି କହିପାରି ନଥିବା ଜଣାପଡ଼ିଛି। ପୁଲିସ କ୍ରିତିକାଙ୍କ ସେମିଷ୍ଟାର ଫଳାଫଳ ନେଇ ଆଇଆଇଟି କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରୁଛି।