ଭୁବନେଶ୍ବର: ଓଡ଼ିଶାରେ ଅନେକ ସାହିତ୍ୟକ ସାଂପ୍ରତିକ ରାଜନୀତିଠାରୁ ଦୂରେଇ ରହୁଛନ୍ତି। ଏହା ପଳାୟନପନ୍ଥୀ ସାହିତ୍ୟ। ସାହିତ୍ୟ ଯଦି ମାଟି ସହ ଯୋଡ଼ିହୋଇ ମାଟିର ପ୍ରଶ୍ନ ନପଚାରିବ, ବ୍ୟବସ୍ଥାର ବିଲକ୍ଷଣକୁ ଉଲ୍ଲେଖ ନକରିବ, ସେ ସାହିତ୍ୟ ଯେତେ ଉଚ୍ଚାଙ୍ଗ ହେଲେ ବି ତାକୁ ସାହିତ୍ୟ ବୋଲି କୁହାଯାଇ ପାରିବ ନାହିଁ। ଆଜି ‘ସୀତା ଶିବ ସ୍ମୃତି ନ୍ୟାସ’ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଆୟୋଜିତ ସାଧନା ସମ୍ମାନ ପ୍ରଦାନ ଏବଂ ପୁସ୍ତକ ପାଠକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ।
ବିଶିଷ୍ଟ ଶିଳ୍ପପତି ସଭାପତି ପଦ୍ମଲୋଚନ ମହାନ୍ତିଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି ଉତ୍ସବରେ ଶ୍ରୀ ପଟ୍ଟନାୟକ ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।
ସେ କହିଲେ, କିଛି ଲୋକ ଧର୍ମ ଓ ଜାତିକୁ ନେଇ ଦେଶକୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆମ ଅଲକ୍ଷ୍ୟରେ ଘରୋଇ ସ୍କୁଲ୍ ଓ ସରକାରୀ ସ୍କୁଲ୍ ଆଳରେ ଶିକ୍ଷାକୁ ନେଇ ୨ଟି ଦେଶ ସୃଷ୍ଟି ହୋଇସାରିଲାଣି। ରଙ୍ଗ ବୋଳିଦେଲେ ସ୍କୁଲର ବିକାଶ ହୁଏନି, ସ୍କୁଲ୍ର ପ୍ରକୃତ ପରିଚୟ ହେଉଛି ଦକ୍ଷ ଶିକ୍ଷକ ଓ ସଫଳ ଛାତ୍ର। ଦୁର୍ଭାଗ୍ୟର କଥା, ଏବେ ଶିକ୍ଷକମାନଙ୍କ ସମୟ ମନ୍ତ୍ରୀ, ବିଧାୟକ ଓ ଆନ୍ଦୋଳନରେ ବିତୁଛି। ଶିକ୍ଷକମାନେ ଗଣତନ୍ତ୍ରକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ସାଧାରଣରେ ତାଙ୍କପ୍ରତି ସମ୍ମାନ କମୁଛି ସିନା ବଢ଼ୁନାହିଁ। ଅଷ୍ଟମ ଶ୍ରେଣୀ ପିଲାକୁ କାହିଁକି ତୃତୀୟ ଶ୍ରେଣୀର ପାଠ ଆସୁନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ସରକାରୀ ପୁରସ୍କାରରେ ହେଉଥିବା ପକ୍ଷପାତିତାରୁ ବର୍ତ୍ତିବା ପାଇଁ ନାଗରିକ ସମାଜ ଓ ପାଠକ ସମାଜକୁ ଦାୟିତ୍ବ ନେବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଏହି ଅବସରରେ କୃପା ସାଗର ସାହୁଙ୍କ ପୁସ୍ତକ ‘ଶ୍ରୀକୃଷ୍ଣ’କୁ ଅତିଥିମାନେ ପାଠକାର୍ପଣ କରିଥିଲେ। ସାହିତ୍ୟ କ୍ଷେତ୍ରରେ ବିଶିଷ୍ଟ କଥାକାର ଆର୍ଯ୍ୟ ଯଜ୍ଞଦତ୍ତଙ୍କୁ ‘ସାହିତ୍ୟ ସାଧନା ସମ୍ମାନ’ ଏବଂ ଶିକ୍ଷାକ୍ଷେତ୍ରରେ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ସାହୁଙ୍କୁ ‘ଶିକ୍ଷା ସାଧନା ସମ୍ମାନ’ ପ୍ରଦାନ କରାଯାଇଥିଲା। ସେମାନଙ୍କୁ ମାନପତ୍ର, ଉତ୍ତରୀୟ, ଫୁଲତୋଡ଼ା ସହ ୧ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଲେଖକ ତଥା ଅନୁଷ୍ଠାନ ମୁଖ୍ୟ କୃପାସାଗର ସାହୁ ସ୍ବାଗତ ବକ୍ତବ୍ୟ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଝାନସୀ ସିଂହ। ଅନ୍ୟତମ ଅତିଥି ପ୍ରିୟବ୍ରତ ପାତ୍ର ପୁସ୍ତକ ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମକୁ ନିରାକାର ଦାସ ସଂଯୋଜନା କରିଥିବାବେଳେ ଦିନବନ୍ଧୁ ସାହୁ ଧନ୍ୟବାଦ ଦେଇଥିଲେ। ଉଲ୍ଲେଖନୀୟ ଯେ ‘ଶ୍ରୀକୃଷ୍ଣ’ ପୁସ୍ତକକୁ ଲେଖକ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଉତ୍ସର୍ଗ କରିଛନ୍ତି। ୧୨୨ ପୃଷ୍ଠାର ଏହି ପୁସ୍ତକକୁ ‘ବିଦ୍ୟା ପବ୍ଲିସିଂ’ ପ୍ରକାଶ କରିଛି, ମୂଲ୍ୟ ଅଛି ୧୭୫ ଟଙ୍କା।