ଆଗକୁ ମହାଶିବରାତ୍ରି: ସମସ୍ୟା‌ ଘେରରେ ଶ୍ରୀଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର: ଆଉ ୩ ସପ୍ତାହ ପରେ ମହାଶିବରାତ୍ରି। ମହାପ୍ରଭୁଙ୍କ ଜାଗର ଯାତ୍ରା ଉପଲକ୍ଷେ ଏକାମ୍ର କ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ। କିନ୍ତୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଘେରି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିନାହିଁ। ହାତରେ କମ୍‌ ସମୟ ଥିଲେ ହେଁ ସମାଧାନ ଦିଗରେ ଏଯାଏଁ ମନ୍ଦିର ପ୍ରଶାସନ, ବିଏମ୍‌ସି, ପୁଲିସ, ଓ ଏଏସ୍‌ଆଇ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ସବୁ ଜାଣି ମଧ୍ୟ ଚୁପ୍‌ ବସି ପଡ଼ିବାକୁ ସାଧାରଣରେ ନାପସନ୍ଦ କରାଯାଇଛି।

ପାଚେରି କଡ଼ ମରଣଯନ୍ତା
ଶ୍ରୀଲିଙ୍ଗରାଜ ମନ୍ଦିର ପାଚେରି କଡ଼ ଦୀର୍ଘ ଅଢ଼େଇ ମାସ ହେଲା ମରଣଯନ୍ତା ପାଲଟିଛି। ସିଂହଦ୍ବାରଠାରୁ ଭଜନ ମଣ୍ଡପ ଛକ ତଥା ଚାହାଣୀ ମଣ୍ଡପ ପର୍ଯ୍ୟନ୍ତ ୨ଫୁଟ୍‌ର ଗାତ ଖୋଳା ହୋଇରହିଛି। ଫଳରେ ମନ୍ଦିରକୁ ଆସୁଥିବା ଭକ୍ତ ଓ ଏହି ରାସ୍ତାରେ ଯିବା ଆସିବା କରୁଥିବା ଲୋକ ବହୁବାର ଦୁର୍ଘଟଣାର ଶିକାର ହେଉଛନ୍ତି। କିନ୍ତୁ ସତେଯେମିତି ଏଏସ୍‌ଆଇକୁ ଏହା ଦେଖାଯାଉନାହିଁ। ଜାଗର ଯାତ୍ରାରେ ଲକ୍ଷଲକ୍ଷ ଲୋକଙ୍କ ସମାଗମ ହେବାକୁ ଥିବା ବେଳେ ଏହି ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଲୋକେ ନାହିଁ ନଥିବା ହଇରାଣ ହେବେ।

ସରିଲାନି ବିଶ୍ରାମସ୍ଥଳୀ
ଶ୍ରୀଲିଙ୍ଗରାଜ ମନ୍ଦିର ପାଚେରି କଡ଼ରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଯାତ୍ରୀ ବିଶ୍ରାମସ୍ଥଳୀର ନିର୍ମାଣ ଚାଲିଛି। କିନ୍ତୁ ମନ୍ଥର ଗତିରେ କାମ ଚାଲିଥିବାରୁ ତାହା ଅଦ୍ୟାବଧି ଶେଷ ହୋଇପାରିଛି। ଏହାର ନିର୍ମାଣ ପାଇଁ ଓଟିଡିସି ପକ୍ଷରୁ ପ୍ରଥମେ ୨୭ଲକ୍ଷ ଓ ପରେ ୪୦ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। କିନ୍ତୁ ମନ୍ଥର ଗତିରେ କାମ ଚାଲିଥିବାରୁ ତାହା ଏପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ। ତେବେ ଏହା ମହାଶିବ ରାତ୍ରୀ ପୂର୍ବରୁ ସାରିବାକୁ ଟ୍ରଷ୍ଟ ବୋର୍ଡର ସଭ୍ୟ ବିରଞ୍ଚି ନାରାୟଣ ପତି ଦାବି କରିଛନ୍ତି। ଖାଲି ସେତିକି ନୁହେଁ, ଶ୍ରୀଲିଙ୍ଗରାଜ ମନ୍ଦିରର ଦକ୍ଷିଣ ପାର୍ଶ୍ବ ରାସ୍ତାରେ ପେଜ ପାଣି ଭାସୁଛି। ମନ୍ଦିରରେ ରନ୍ଧା ହେଉଥିବା ଅନ୍ନ ପ୍ରସାଦର ପେଜ ପାଣି ଡ୍ରେନ୍‌ରେ ନଯାଇ ରାସ୍ତା ଉପରେ ଭାସୁଛି। ଗତବର୍ଷ ମନ୍ଦିର ରୋଷଗୃହରୁ ତିଆରି ହୋଇଥିବା ଡ୍ରେନ୍‌ ଚୋକ୍‌ ହୋଇ ଏହି ସମସ୍ୟା ଉପୁଜୁଛି। କିନ୍ତୁ ମନ୍ଦିର ପ୍ରଶାସନ ପକ୍ଷରୁ ଏଥିପ୍ରତି ଧ୍ୟାନ ଦିଆଯାଉନଥିବାରୁ ଏହାର ସମାଧାନ ହୋଇପାରୁନାହିଁ। ରାସ୍ତାରେ ଯାଉଥିବା ଶ୍ରଦ୍ଧାଳୁ ଏହି ପେଜ ପାଣି ମାଡ଼ି ଯିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ବାର ସମ୍ମୁଖରେ ଏବେ ବାଇକ୍‌ ପାର୍କିଂ କରାଯାଉଛି। ଏହା ଏକ ଅଶୋଭନୀୟ ପରିସ୍ଥିତି ସୃଷ୍ଟି କରୁଛି। କିନ୍ତୁ ଏଥିପାଇଁ ନା ମନ୍ଦିର ପ୍ରଶାସନ ନା ପୁଲିସ; କେହି ପଦକ୍ଷେପ ନେଉନାହାନ୍ତି। ମହାଶିବରାତ୍ରି ସୁଦ୍ଧା ଏହି ସମସ୍ୟାର ସମାଧାନ ନ ହେଲେ ଶ୍ରଦ୍ଧାଳୁମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି କୁହାଯାଉଛି।

ଉତ୍ତର ଦ୍ବାରରେ ଅଳିଆ ପାହାଡ଼
ଶ୍ରୀଲିଙ୍ଗରାଜ ମନ୍ଦିରର ଉତ୍ତରଦ୍ବାରଠାରେ ସୃଷ୍ଟି ହୋଇଛି ଅଳିଆ ଆବର୍ଜନାର କୃତ୍ରିମ ପାହାଡ଼। ମନ୍ଦିରରୁ ବାହାରୁଥିବା ଅଳିଆ ସେଠାରେ ଗଦା ହେଉଥିଲେ ହେଁ ଏହାକୁ ବିଏମ୍‌ସି ପକ୍ଷରୁ ନିୟମିତ ଭାବେ ସଫେଇ କରାଯଉନାହିଁ। ଫଳରେ ପ୍ରତିଦିନ ମନ୍ଦିରକୁ ଆସୁଥିବା ଶହ ଶହ ଶ୍ରଦ୍ଧାଳୁ ଏହି ସମସ୍ୟା ପାଇଁ ଏକ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ଏନେଇ ତୀବ୍ର ଅସନ୍ତୋଷ ପ୍ରକଟ କରିଛନ୍ତି।

ଷଣ୍ଢଙ୍କ ଉତ୍ପାତ
ମହାପ୍ରଭୁଙ୍କ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ଓ ରୁକୁଣା ରଥ ଯାତ୍ରା ପୂର୍ବରୁ ପ୍ରତିବର୍ଷ ଅନୁଷ୍ଠିତ ବୈଠକରେ ବିଏମ୍‌ସିର ଅଧିକାରୀମାନେ ଯୋଗ ଦିଅନ୍ତି। ପୁରୁଣା ଭୁବନେଶ୍ବରରେ ଅଧିକାଂଶ ଷଣ୍ଢଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ଛଡ଼ାଯିବ ବୋଲି ପ୍ରତିଶ୍ରୁତି ଦିଆଯାଏ। କିନ୍ତୁ ବିଏମ୍‌ସି ପକ୍ଷରୁ ସବୁବର୍ଷ ଦିଆଯାଉଥିବା ଏହି ପ୍ରତିଶ୍ରୁତି ପାଣିର ଗାର ସଦୃଶ। ଇତି ମଧ୍ୟରେ ମେୟର୍‌ ଓ କର୍ପୋରେଟର୍‌ଙ୍କ କାର୍ଯ୍ୟକାଳ ସରି ଯାଇଥିଲେ ହେଁ ଏହି ସମସ୍ୟା ସମାଧାନ ହୋଇପାରି ନାହିଁ। ଏବେ ମନ୍ଦିର ଚାରିପ‌ଟେ ମାଳମାଳ ଷଣ୍ଢ ବୁଲୁଛନ୍ତି। ତେବ ଯେ ପର୍ଯ୍ୟନ୍ତ ଷଣ୍ଢଙ୍କ କାରଣରୁ କୌଣସି ବଡ଼ଧରଣର ଅଘଟଣ ନ ଘଟିଛି, ପ୍ରଶାସନ ଚେତିବ ନାହିଁ ‌ବୋଲି ସେବାୟତମାନେ କହିଛନ୍ତି।

ରାସ୍ତା କଡ଼ରେ ସ୍ବେରେଜ୍‌ ପାଣି
ଶ୍ରୀଲିଙ୍ଗରାଜ ମନ୍ଦିରର ପଶ୍ଚିମ ପାର୍ଶ୍ବ ରାସ୍ତାରେ ଭାସୁଛି ସ୍ବେରେଜ୍‌ ପାଣି। ହସ୍ପିଟାଲର ସ୍ବେରେଜ୍‌ ଡ୍ରେନ୍‌ ଫାଟି ରାସ୍ତା ଉପରେ ଅଳିଆ ପାଣି ଲହଡ଼ି ମାରୁଛି। ହସ୍ପିଟାଲକୁ ପ୍ରତିଦିନ ଯା’ ଆସ କରୁଥିବା ରୋଗୀ ଓ ସେମାନଙ୍କ ଅଭିଭାବକ ଏହି ସ୍ବେରେଜ୍‌ ପାଣି ମାଡ଼ି ଯାଉଛନ୍ତି। ସେହିପରି ଏହି ରାସ୍ତାରେ ଯାଉଥିବା ଶ୍ରଦ୍ଧାଳୁ ମଧ୍ୟ ଏହି ମଇଳା ପାଣି ମାଡ଼ି ଯିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନଥିବାରୁ ସାଧାରଣ ଲୋକେ ଓ ପର୍ଯ୍ୟଟକ ଅସୁବିଧା ଭୋଗୁଛନ୍ତି।

ସମ୍ବନ୍ଧିତ ଖବର