କିଟ୍‌ରେ ମର୍ସିଡିସ୍‌ ବେଞ୍ଜ ସେଣ୍ଟର

ଚନ୍ଦ୍ରଶେଖରପୁର: କିଟ୍‌ ବିଶ୍ବବିଦ୍ୟାଳୟ‌ରେ ମର୍ସିଡିସ୍‌ ବେଞ୍ଜର ଅଟୋମୋଟିଭ୍‍ ମେକାଟ୍ରୋନିକ୍ସ ଲର୍ଣ୍ଣିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟରକୁ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍ଟିନ୍‍ ସ୍ୱେଙ୍କ ଉଦ୍‍ଘାଟନ କରିଛନ୍ତି। ଏହି ସେଣ୍ଟରରେ ଅଟୋମୋଟିଭ୍‍ ମେକାଟ୍ରୋନିକ୍ସରେ ଉଚ୍ଚତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯିବ। ଶ୍ରୀ ସ୍ୱେଙ୍କ କହିଲେ, କିଟ୍‍ ଭଳି ଭାରତର ଏକ ଲବ୍ଧପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରେ ମର୍ସିଡିସ୍‍ ବେଞ୍ଜ ତାର ଲର୍ଣ୍ଣିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଖୋଲିଥିବାରୁ ଆମେ ଗୌରବାନ୍ୱିତ। ମର୍ସିଡିସ୍‌ ବେଞ୍ଜ ନିରନ୍ତର ଭାବେ ଦକ୍ଷତା ଓ କୌଶଳର ବିକାଶ କରୁଛି। ଫଳରେ ଯୁବ ମସ୍ତିଷ୍କ ଓ ସମାଜ ବଡ଼ଧରଣର ଲାଭବାନ ହେବ ବୋଲି ସେ କହିଥିଲେ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ମର୍ସିଡିସ୍‌ ବେଞ୍ଜ ହେଉଛି ଏକ ବିଶ୍ୱସ୍ତରୀୟ ଆଇକନ୍‍। ଅଟୋମୋଟିଭ୍‍ ମେକାଟ୍ରୋନିକ୍ସ ପାଠ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀ ଅଟୋମୋବାଇଲ୍‍ କ୍ଷେତ୍ରରେ ବିଶ୍ବସ୍ତରୀୟ ତାଲିମ ପାଇପାରିବେ। ଏହି ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ବୈଷୟିକ କୌଶଳ ବଢ଼ାଇବ। କିଟ୍‌ରେ ମର୍ସିଡିସ୍‍ ବେଞ୍ଜର ଏକ ସେଣ୍ଟର ଖୋଲିବା ନେଇ ଗତ ମାର୍ଚ୍ଚରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଆଜି ଆନୁଷ୍ଠାନିକ ଭାବେ ଏହି ବୁଝାମଣାପତ୍ର କିଟ୍‌ ଓ ମର୍ସିଡିସ୍‌ ବେଞ୍ଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ପ୍ରତିବଦଳ ହୋଇଛି। କାର୍ଯ୍ୟକ୍ରମରେ ମର୍ସିଡିସ୍‌ ‍ବେଞ୍ଜର କଷ୍ଟମର୍‍ ସର୍ଭିସେସ୍‌ ଭାଇସ୍‌ ପ୍ରେସିଡେଣ୍ଟ ଶେଖର ଭିଡେ, କିଟ୍‍ ବିଶ୍ବବିଦ୍ୟାଳୟ କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ, କିଟ୍‍ ମେକାନିକାଲ୍‍ ସ୍କୁଲ୍‍ର ଡିନ୍‌ ଡ. ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର