ବକେୟା ସ୍କୁଲ ଫି’ ପାଇଁ ପୈତୃକ ସଂପତ୍ତି ବନ୍ଧା ପକାଇଲେ ମେଧାବୀ

ଭୁବନେଶ୍ବର : ଦୁର୍ଘଟଣାରେ ଶରୀରର ୫୦ ପ୍ରତିଶତ ଅକ୍ଷମ ହୋଇଗଲା। ଏହା ସତ୍ତ୍ବେ କଠିନ ପରିଶ୍ରମ ଓ ଭଗବାନଙ୍କ ଆଶୀର୍ବାଦ ଯୋଗୁଁ ମାଟ୍ରିକ୍‌ରେ ୮୫ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେଲେ। ଏବେ ବିଜେବି କଲେଜରେ ନାମ ଲେଖାଇବା ପାଇଁ ତାଙ୍କ ନାମ ଚୟନ ହୋଇଛି। କିନ୍ତୁ ଏଭଳି ଜଣେ ଗରିବ ଦିବ୍ୟାଙ୍ଗ ମେଧାବୀଙ୍କ ଉଚ୍ଚଶିକ୍ଷାରେ ବାଧକ ସାଜିଛନ୍ତି ତାଙ୍କ ପୂର୍ବତନ ସ୍କୁଲ କର୍ତ୍ତୃପକ୍ଷ। ସ୍କୁଲ ଫି’ ବାବଦକୁ ବାକିଆ ୪୦ ହଜାର ଟଙ୍କା ନ ଦ‌େଲେ ବୋର୍ଡ ସାର୍ଟିଫିକେଟ୍‌, ମାର୍କସିଟ୍‌ କିମ୍ବା ସିଏଲ୍‌ସି ଦେବେ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରିଦେଇଛନ୍ତି। ତେଣୁ ବକେୟା ସ୍କୁଲ ଫି’ ଯୋଗାଡ଼ ପାଇଁ ମେଧାବୀ ଛାତ୍ରଜଣଙ୍କ ନିଜ ପୈତୃକ ସଂପତ୍ତି ବନ୍ଧା ପକାଇ ଦେଇଛନ୍ତି।

ସେ ହେଲେ, ନୂଆପଲ୍ଲୀସ୍ଥିତ ଏକାମ୍ର ଭିଲ୍ଲାରେ ରହୁଥିବା ୧୬ ବର୍ଷର ବାଳକ ଆଶୀର୍ବାଦ ବସ୍ତିଆ। ଜମି ବନ୍ଧା ପକାଇ ସେ ୨୫ ହଜାର ଟଙ୍କା ଯୋଗାଡ଼ କରିଥିବା ବେଳେ ତାଙ୍କୁ ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ ଏବଂ ଓଡ଼ିଶା- ମୋ ପରିବାରର ଯୁଗ୍ମ ସଂପାଦକ ସମୀର ପ୍ରଧାନ ସହଯୋଗର ହାତ ବଢ଼ାଇଛନ୍ତି। ଆଶୀର୍ବାଦଙ୍କୁ ବିଧାୟକ ଶ୍ରୀ ରାଉତ ୧୦ ହଜାର ଓ ଶ୍ରୀ ପ୍ରଧାନ ୫ ହଜାର ଟଙ୍କା ପ୍ରଦାନ କରିଥିବା ଜଣାଯାଇଛି। ଫଳରେ ସ୍କୁଲର ବାକିଆ ଫି’ ଦେଇ ଉଚ୍ଚଶିକ୍ଷା ଲାଭ କରିପାରିବେ ବୋଲି ଆଶୀର୍ବାଦ କହିଛନ୍ତି।

ସମ୍ବନ୍ଧିତ ଖବର