ଭୁବନେଶ୍ବର: ଜାନୁଆରି ୧, ୨୦୨୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ। ୬୨୨୫କୋଟି ଟଙ୍କା ବ୍ୟୟରେ ଏଲିଭେଟେଡ୍ କରିଡରରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ୪ବର୍ଷରେ ଶେଷ କରିବାକୁ ଘୋଷଣା କରିଥିଲେ। ଏହାର ୬ମାସ ପରେ ସରକାର ବଦଳିଲା। ନୂଆ ସରକାରକୁ ବର୍ଷେ ପୂରିବାକୁ ଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ମେଟ୍ରୋ ରେଳ ପ୍ରକଳ୍ପ ଭାଗ୍ୟ ଫିଟୁନି। ନୂଆ ସରକାର ବାରମ୍ବାର ମେଟ୍ରୋ ଡିଜାଇନ୍ ଏମିତି ହେବ ସେମିତି ହେବ ବୟାନବାଜି କରିଚାଲିଛନ୍ତି। କିନ୍ତୁ କାମ କେମିତି ଆଗେଇବ ସେନେଇ କେହି ମୁହଁ ଖୋଲୁନାହାନ୍ତି।
ଭୂତଳ ମେଟ୍ରୋ ପାଇଁ ଖୁବ୍ ଶୀଘ୍ର ଡିପିଆର୍: ପୂର୍ତ୍ତ ମନ୍ତ୍ରୀ
ସହରର ସୌନ୍ଦର୍ଯ୍ୟ ଅକ୍ଷୁଣ୍ଣ ରଖିବାକୁ ଏହି ନିଷ୍ପତ୍ତି
ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀମାନେ ଭିନ୍ନ ଭିନ୍ନ ବୟାନ ଦେଉଥିବାବେଳେ ଆଜି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନୂଆ କଥା କହିଛନ୍ତି। ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଭୁବନେଶ୍ବରରେ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ହେବ। ଅର୍ଥାତ୍ ମାଟି ତଳେ ମେଟ୍ରୋ ରେଳ ଚାଲିବ। ପୂର୍ବରୁ ଯୋଜନା ହୋଇଥିବା ଏଲିଭେଟେଡ୍ କରିଡର ହେବନି। ଭୁବନେଶ୍ବର ସହରର ଏକ ଅନନ୍ୟ ସୌନ୍ଦର୍ଯ୍ୟ ରହିଛି। ତେଣୁ ଏହାକୁ ନଷ୍ଟ ନ କରିବା ପାଇଁ ଭୂତଳ ମେଟ୍ରୋ କରିଡର କରିବାକୁ ନିଷ୍ପତ୍ତି ହୋଇଛି। ଏହାର ଆଲାଇନ୍ମେଣ୍ଟ ପ୍ରସ୍ତୁତ ହୋଇନି। କେଉଁ ରାସ୍ତାରେ ମେଟ୍ରୋ ଯିବ, କେତେ ଷ୍ଟେସନ ରହିବ, କେତେ କିମିର ହେବ ତାହା ସର୍ଭେ କରିବାକୁ କୁହାଯାଇଛି। ସର୍ଭେ ଶେଷ ହେବା ପରେ ନଗର ଉନ୍ନୟନ ବିଭାଗର ଏହାର ଡିପିଆର୍ ପ୍ରସ୍ତୁତ କରିବ।
ଅପରପକ୍ଷେ କିଛି ମାସ ତଳେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ ଭୁବନେଶ୍ବରର ଭିଡ଼ ନିୟନ୍ତ୍ରଣ କରିବାକୁ ଡବଲ୍ ଡେକର୍ ଫ୍ଲାଇଓଭର ନିର୍ମାଣ ହେବ। ଏହି ଫ୍ଲାଇଓଭରର ତଳେ ଗାଡ଼ି ଯାତାୟତ କରିବ, ମଝିରେ ମେଟ୍ରୋ ଏବଂ ଉପରେ ଅନ୍ୟ ଗାଡ଼ି ଯାତାୟତ କରିବ। କିନ୍ତୁ ଏବେ ପୁଣି ଭୂତଳ ମେଟ୍ରୋ ହେବ ବୋଲି କହିଛନ୍ତି। କେବଳ ପୂର୍ତ୍ତ ମନ୍ତ୍ରୀ ନୁହେଁ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହା ପୂର୍ବରୁ କହିଥିଲେ, ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ହେଲେ କଟକବାସୀଙ୍କ ପାଇଁ ଲାଭ ହେବନି। ଏସ୍ସିବି ମେଡିକାଲ କଲେଜ, ହାଇକୋର୍ଟ, ବାଦାମବାଡ଼ି ବସଷ୍ଟାଣ୍ଡକୁ ଯେପରି ଲୋକ ସୁବିଧାରେ ଯାତାୟାତ କରିପାରିବେ ତାହାକୁ ନଜରରେ ରଖି ମେଟ୍ରୋକୁ କଟକ ସହର ଭିତରକୁ ସମ୍ପ୍ରସାରଣ କରାଯିବ। ଏଲିଭେଟର କରିଡରରେ ହିଁ ମେଟ୍ରୋ ରେଳ ଚଳାଚଳ କରିବ। ଏଥିପାଇଁ ଡିପିଆର୍ରେ ଆବଶ୍ୟକ ସଂଶୋଧନ କରାଯିବ।