ଭୁବନେଶ୍ବର: ଭୁବନେଶ୍ବରରୁ କଟକକୁ ଗଡ଼ିବ ମେଟ୍ରୋ ଟ୍ରେନ୍। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜଧାନୀବାସୀଙ୍କୁ ବିଜେଡି ସରକାର ଏଭଳି ସ୍ବପ୍ନ ଦେଖାଇଥିଲା। ଟ୍ରାଫିକ୍ ଭିଡ଼ ଏଡ଼ାଇବା ସହ ଲୋକଙ୍କ ଚଳପ୍ରଚଳକୁ ସୁଗମ କରିବାକୁ ଏହି ପ୍ରକଳ୍ପ ହେଉଥିବା ଦର୍ଶାଯାଇଥିଲା। ଆଗପଛ ବିଚାର ନ କରି ନୂଆ ସରକାର ନିରବତା ଅବଲମ୍ବନ କରିବା ସହ ପୁରୁଣା ସରକାରଙ୍କ ପଥ ଅନୁସରଣ କରିଛନ୍ତି। କାମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ସହ ଘନଘନ ବୈଠକ କରି ୨୦୨୭ ସୁଦ୍ଧା ମେଟ୍ରୋ ଗଡ଼ିବା ନେଇ ପ୍ରତିଶ୍ରୁତି ଦେଇସାରିଲେଣି। ତେବେ ୨୦୨୫ ସୁଦ୍ଧା କାମ ଯେତିକି ଆଗେଇବା କଥା ତାହା ହୋଇପାରୁ ନାହିଁ। କେତେବେଳେ ରାଷ୍ଟ୍ରପତିଙ୍କ ଗସ୍ତ ତ ଆଉ କେବେ ପ୍ରଧାନମନ୍ତ୍ରୀଙ୍କ ଆଗମନ। କେବେ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ତ ଆଉ କେବେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ କାମ ବନ୍ଦ କରିବାକୁ ପଡ଼ୁଛି। ଜନତା ମଇଦାନରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଭିଭିଆଇପିଙ୍କ ଚଳପ୍ରଚଳ ବଢ଼ୁଥିବାରୁ କାମ ଯେମିତି ଆଗେଇବା କଥା ହୋଇପାରି ନାହିଁ।
ତାଡ଼ିଥିବା ଫୁଟପାଥ୍କୁ ମରାମତି କଲେ
ବନ ବିଭାଗଠୁ ଅନୁମତି ନେଇ ଗଛ କାଟୁନାହାନ୍ତି
ପାଣି ପାଇପ୍ ବିଛା କାମ ବନ୍ଦ ହୋଇପଡ଼ିଛି
ଦୁଇ ମାସ ହେଲା ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ଇଞ୍ଚେ ବି ଆଗେଇପାରି ନାହିଁ। ରାସ୍ତାପାର୍ଶ୍ବ ଫୁଟପାଥ୍ ଭଙ୍ଗାଯିବାର କିଛି ଦିନ ପରେ ପୁଣି ଗଢ଼ାହେଉଛି। ସର୍ଭେ କାର୍ଯ୍ୟ ଅଧାରୁ ବନ୍ଦ କରିବାକୁ ପଡ଼ୁଛି। ଅକ୍ଟୋବର ମାସରେ ପଟିଆ ଛକରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ବ ଫୁଟ୍ପାଥ ତଡ଼ାଯାଇ ରାସ୍ତାକୁ ଓସାରିଆ କରିବା କାମ ଆରମ୍ଭ ହୋଇଥିଲା। ତେବେ କାମ ଆଗେଇବା ପୂର୍ବରୁ ବନ୍ଦ ହୋଇଛି। ଭିଭିଆଇପିମାନେ ମୁଖ୍ୟତଃ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ କଟକକୁ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବାରୁ ତଡ଼ା ଯାଇଥିବା ଫୁଟପାଥ୍କୁ ମରାମତି କରାଯାଇଛି। ୱାଟ୍କୋ ପକ୍ଷରୁ ଉତ୍ତର ଭୁବନେଶ୍ବରକୁ ୨୪ ଘଣ୍ଟିଆ ପାଣି ଯୋଗାଣ ନେଇ ଚାଲିଥିବା ପାଣି ପାଇପ୍ ବିଛା କାର୍ଯ୍ୟ ମଧ୍ୟ ବନ୍ଦ ହୋଇପଡ଼ିଛି। କେବଳ ସେତିକି ନୁହେଁ, ବାରଙ୍ଗରୁ ତ୍ରିଶୁଳିଆ ରାସ୍ତା ସମ୍ପ୍ରସାରଣ କାମ ବନ୍ଦ। ୪ କିମି ବିଶିଷ୍ଟ ଏହି ରାସ୍ତାର ତିନୋଟି ସ୍ଥାନରେ ୨୦୦ ମିଟର ଲେଖାଏ ଲୁହା ବାରିକେଡ୍ ଦିଆଯାଇ ନଭେମ୍ବରରେ ହେଉଥିବା ମେଟ୍ରୋ କାମ ବନ୍ଦ ହୋଇଛି। ଶିଶୁଭବନ ଛକରୁ ବାଣୀବିହାର ଛକ ପର୍ଯ୍ୟନ୍ତ ଚାଲିଥିବା କାମ ମଧ୍ୟ ଆଗେଇପାରୁ ନାହିଁ। କାମ ବନ୍ଦ ହେବା ଦ୍ବାରା ସହରବାସୀ ଟିକିଏ ଆଶ୍ବସ୍ତ ଅନୁଭବ କରୁଛନ୍ତି ସତ। ଯଦି ବର୍ଷା ଦିନେ କାମ ହେବ ତାହା ହେଲେ ସ୍ଥିତି ଅସମ୍ଭାଳ ହେବ ବୋଲି ଜଳଜଳ ହୋଇ ଦିଶିଲାଣି। ମେଟ୍ରୋ ପ୍ରକଳ୍ପ ପାଇଁ ସହରରେ ପାଖାପାଖି ୩୨୦୦ ଗଛ କାଟିବାକୁ ପଡ଼ିବ। ପ୍ରଥମ ପର୍ଯ୍ୟାୟରେ ରାସ୍ତାପାର୍ଶ୍ବ ଓ ମେଡିଆନ୍ରେ ଥିବା ୧୪୦୦ ଗଛ କାଟିବାକୁ ବନ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଥିଲେ ମଧ୍ୟ ତାହା ଆଗେଇପାରି ନାହିଁ। ଏହାରି ଭିତରେ ଆଉ ୧୮୦୦ ଗଛ କାଟିବାକୁ ଅନୁମତି ଲୋଡ଼ାଯାଇଛି।
ଅବସରପ୍ରାପ୍ତ ପ୍ରଶାସକ ପ୍ରମୋଦ ପଟ୍ଟନାୟକ କହିଛନ୍ତି ଯେ ମେଟ୍ରୋ କରିଦେଲେ ଯେ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇଯିବ ତାହା ନୁହେଁ। ମୁଖ୍ୟ ରାସ୍ତାରେ ଭିଡ଼ କମିବାକୁ ଥିବା ବେଳେ ଆଖପାଖ ଗଳିରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯିବ। ସହରରେ ଗାଡ଼ି ସଂଖ୍ୟା କିଭଳି କମିବ ସେଥିପ୍ରତି ଦୃଷ୍ଟି ଦିଆଯାଉ। ବିକଶିତ ସହରଗୁଡ଼ିକ ବ୍ୟବସାୟ ପାଇଁ ସ୍ଥାନ ନିର୍ଧାରଣ କରିଥାନ୍ତି। ମାତ୍ର ଏଠାରେ ଆଜି ପର୍ଯ୍ୟନ୍ତ ତାହା ହୋଇପାରି ନାହିଁ। ଭୁବନେଶ୍ୱର ସହ ଗଢ଼ିଉଠିଥିବା ଚଣ୍ଡିଗଡ଼ ସହରରେ ଏପର୍ଯ୍ୟନ୍ତ ମେଟ୍ରୋ ଚାଲି ନାହିଁ। ସେମାନେ କେଉଁ ପଦ୍ଧତିରେ ଏତେ ବଡ଼ ସହରର ଗମନାଗମନକୁ ସୁଗମ କରିପାରିଛନ୍ତି ତାହା ଅନୁଧ୍ୟାନଯୋଗ୍ୟ। ମାତ୍ର ୫୦ କିମି ପରିଧିରେ ସୀମିତ ଆମ ରାଜଧାନୀରେ ମେଟ୍ରୋ ପ୍ରକଳ୍ପ ଗମନାଗମନ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ସୁଗମ ହେବ ତ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ପୂର୍ତ୍ତ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏବେ ଭୁବନେଶ୍ବରରେ ଏକାଧିକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସବୁବେଳେ ଭିଭିଆଇପିଙ୍କ ଗସ୍ତ ଲାଗିରହୁଥିବାରୁ କାମରେ ସମସ୍ୟା ଉପୁଜୁଛି। ଯେଉଁଥିପାଇଁ ଦୁଇ ମାସ ହେଲା ମେଟ୍ରୋ ପ୍ରକଳ୍ପ ବନ୍ଦ ହୋଇଛି। ଭିଭିଆଇପିଙ୍କ ଗସ୍ତ ଟିକିଏ କମିବା ପରେ ପୁଣିଥରେ କାମ ଆରମ୍ଭ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/22/MIAlTKkWc769olSzawXd.jpg)