ଭୁବନେଶ୍ବର: କଟକ ଜିଲ୍ଲାର ନରାଜ ମାର୍ଥାପୁର, ବାଙ୍କିରୋଡ ଓ କୁସୁପାଙ୍ଗୀକୁ ପ୍ରସ୍ତାବିତ ନରାଜ ମାର୍ଥାପୁର-କାଇପଦର ରୋଡ୍‌ ନୂତନ ରେଳପଥ(୬୮ କିମି) ଦ୍ବାରା ଯୋଡ଼ିବାକୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ଏହି ପ୍ରକଳ୍ପଟି କେନ୍ଦ୍ର ରେଳ ମନ୍ତ୍ରଣାଳୟର ନୈତିକ ଅନୁମୋଦନ ଲାଭ କରିଛି। ସେହିପରି କଟକ-ଭୁବନେଶ୍ବର ପାଇଁ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ କଟକ ଜିଲ୍ଲାର ତ୍ରିଶୁଳିଆଠାରୁ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟନ୍ତ ୨୬ କିମି ଚାଲିବ। ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ଡିଏମ୍‌ଆରସିଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ପ୍ରକଳ୍ପର ଡିପିଆର ଅନୁଯାୟୀ ପର୍ଯ୍ୟାୟକ୍ରମେ କାର୍ଯ୍ୟ ଶେଷ କରାଯିବ। ପ୍ରକଳ୍ପର ପ୍ରାରମ୍ଭିକ ଅଟକଳ ୬,୨୫୫.୯୪ କୋଟି ଟଙ୍କା ରଖାଯାଇଛି ଏବଂ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଆବଶ୍ୟକ ହେଲେ ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ କେନ୍ଦ୍ର ସରକାରଙ୍କ ସହାୟତା ନିଆଯିବ। ୨୦୨୭ ଡିସେମ୍ବର ଶେଷସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି।

Advertisment

ବିଧାୟକ ‌ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ପ୍ରଶ୍ନରେ ଶ୍ରୀ ଜେନା ଏଭଳି ଉତ୍ତର ରଖିଛନ୍ତି। କେନ୍ଦ୍ର ନିକଟରେ ରେଳ ପ୍ରକଳ୍ପ ପାଇଁ ଓଡ଼ିଶା ରଖିଥିବା ପ୍ରସ୍ତାବ ସମ୍ପର୍କିତ ବିଧାୟକ ସଞ୍ଜିବ କୁମାର ମଲ୍ଲିକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଗତ ୫ ବର୍ଷ ମଧ୍ୟରେ ପୁରୀ-କୋଣାର୍କ, ବୁରାମରା-ଚକୁଳିଆ, ଯାଜପୁର କେନ୍ଦୁଝର ରୋଡ-ଧାମରା ପୋର୍ଟ, ତାଳଚେର-ଗୋପାଳପୁର, ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର, ବାଦାମପାହାଡ଼-କେନ୍ଦୁଝର, ଜୁନାଗଡ଼-ନବରଙ୍ଗପୁର-ଅମ୍ବାଗୁଡ଼ା, ରାଜ ଆଠଗଡ଼-ତାପଙ୍ଗ ବାଇପାସିଙ୍ଗ୍‌ ଭୁବନେଶ୍ବର, ପାରାଦୀପ-ଧମରା, ଗୋପାଳପୁର-ସିଙ୍ଗାପୁର ରୋଡ, ଚମ୍ପୁଆ-ଆନନ୍ଦପୁର-ଯାଜପୁର ରୋଡ-ଧମରା ପ୍ରକଳ୍ପ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସେଥିମଧ୍ୟରୁ ପୁରୀ-କୋଣାର୍କ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏହାବ୍ୟତୀତ ରାଜ୍ୟ ସରକାରଙ୍କ ଦାବି ମୁତାବକ ଜଳେଶ୍ବର-ଦୀଘା ରେଳପଥକୁ ପରିବର୍ତ୍ତନ କରି ଜଳେଶ୍ବର-ଚନ୍ଦନେଶ୍ବର ଲାଇନ୍‌କୁ କେନ୍ଦ୍ର ସରକାର ସ୍ବୀକୃତି ପ୍ରଦାନ କରିଛନ୍ତି।

କେଉଁ ରେଳପଥ ନିର୍ମାଣ ଲାଗି ରାଜ୍ୟ ସରକାର ଏପର୍ଯ୍ୟନ୍ତ କେଉଁ ବର୍ଷ କେତେ ଅର୍ଥ ରେଳ ବିଭାଗକୁ ଦେଇଥିବା ସମ୍ପର୍କରେ ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜେନା କହି‌ଛନ୍ତି, ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପର ୧୧୨ରୁ ୨୮୯ କିମି ପର୍ଯ୍ୟନ୍ତ ରେଳପଥ ପାଇଁ ମାଗଣା ଜମି ସହ ୫୦% ନିର୍ମାଣ ଖର୍ଚ୍ଚ ପ୍ରଦାନ କରାଯାଇଛି। ଜୟପୁର-ନବରଙ୍ଗପୁର ପ୍ରକଳ୍ପରେ ମାଗଣା ଜମି ଓ ୫୦% ନିର୍ମାଣ ଖର୍ଚ୍ଚ, ଜୟପୁର-ମାଲକାନଗିରି ପ୍ରକଳ୍ପ ପାଇଁ ସମ୍ପୂର୍ଣ୍ଣ ରେଳ ପ୍ରକଳ୍ପର ୨୫% ଅର୍ଥ ଯୋଗାଇଦେବାକୁ ଚୁକ୍ତି ସ୍ବାକ୍ଷର ହୋଇଛି।