ଭୁବନେଶ୍ବର : ଐତିହ୍ୟ ସହର ଭୁବନେଶ୍ବରରୁ ରୌପ୍ୟ ନଗରୀ କଟକକୁ ମେଟ୍ରୋ ଟ୍ରେନ୍ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ୫ମ ଥର ପାଇଁ ଶାସନ ଭାର ସମ୍ଭାଳିବା ପରେ ୧୬ତମ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଧାନସଭାରେ ତାଙ୍କ ଅଭିଭାଷଣରେ ଏହା କହିଥିଲେ।
ଏ ନେଇ ଶାସକ ବିଜେଡି ବି ତା’ର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ତେଣୁ ରାଜଧାନୀବାସୀ ଆଶା ରଖିଥିଲେ ରାଜ୍ୟ ସରକାର ମେଟ୍ରୋ ରେଳ ଚଲାଇବାକୁ ଯୋଜନା କରୁଛନ୍ତିି ମାନେ ଖୁବ୍ ଶୀଘ୍ର ଦୈତନଗରୀରେ ମେଟ୍ରୋ ଟ୍ରେନ୍ ଗଡ଼ିବ। ଏପରିକି କେନ୍ଦ୍ର ବଜେଟ୍ରେ ୮୭,୮୧୩କୋଟି ମେଟ୍ରୋ ରେଳ ପାଇଁ ଘୋଷଣା କରିବା ପରେ ଓଡ଼ିଶାରେ ମେଟ୍ରୋ ନେଇ କିଛି ଅର୍ଥ ଥିବ ବୋଲି ଲୋକ ଆଶା କରିଥିଲେ। ହେଲେ ଶାସକ ବିଜେଡି ଦଳ ଯେ, କେବଳ ଏହାକୁ ନିର୍ବାଚନ ଇସ୍ତାହାରରେ ରଖି ଦେଇଛି ତାହା ରାଜ୍ୟସଭାର ଏକ ପ୍ରଶ୍ନୋତ୍ତରରୁ ଜଣାପଡ଼ିଛି।
ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ଗଡ଼ିବା ନେଇ କିଛି ଯୋଜନା ଅଛି କି? ଯଦି ଅଛି କେବେ କାମ ଆରମ୍ଭ ହେବ? ଏହାର ଉତ୍ତର ରଖି କେନ୍ଦ୍ର ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ୍ ସିଂହ ପୁରୀ କହିଛନ୍ତି ଯେ, ଓଡ଼ିଶା ସରକାର ମେଟ୍ରୋ ରେଳ ନେଟୱର୍କ ନେଇ କିଛି ପ୍ରସ୍ତାବ ଦେଇନାହାନ୍ତି। ଯେଉଁ ରାଜ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ ସେଥିପାଇଁ ରାଜ୍ୟ ସରକାରଙ୍କୁ ଆଗ ଯୋଜନା ଆରମ୍ଭ କରିବାକୁ ହେବ, ଉନ୍ନତୀକରଣ କରିବାକୁ ହେବ ଏବଂ ପାଣ୍ଠି ଯୋଗାଡ଼ କରିବାକୁ ହେବ। କେନ୍ଦ୍ର ସରକାର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଯୋଗାଇବା, ନୀତି ନିର୍ଦ୍ଧାରଣ କରିବା, ପ୍ରସ୍ତାବର ବାସ୍ତବ ସ୍ଥିତି ପରଖନ୍ତି। କିନ୍ତୁ ଏହା ସବୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଆସିବା ପରେ ହୁଏ। ହେଲେ ଓଡ଼ିଶାରୁ ଏ ନେଇ କିଛି ପ୍ରସ୍ତାବ ଆସିନି।
ଯଦି ରାଜ୍ୟ ସରକାରଙ୍କର ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ କିଛି ପଦକ୍ଷେପ ନେବାର ନ ଥିଲା; ତେବେ କାହିଁକି ଶୁଖିଲାରେ ଘୋଷଣା କରୁଥିଲେ ବୋଲି ପ୍ରଶ୍ନ ଉଠିଲାଣି। ଆଶ୍ଚର୍ଯ୍ୟର ବିଷୟ ଜୁନ୍ ମାସରେ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ମେଟ୍ରୋ ଟ୍ରେନ୍ ଗଡ଼ିବ ବୋଲି କହିଥିଲେ ହେଁ ଏ ପର୍ଯ୍ୟନ୍ତ ନଗର ଉନ୍ନୟନ ବିଭାଗ କି ପରିବହନ ବିଭାଗ; କିଏ ଏ ନେଇ ସର୍ଭେ କରିବ ତାହା ସ୍ଥିର ହୋଇନି। କେବଳ ଏତିକି ନୁହେଁ, ରାଜଧାନୀ ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳରେ ପରିବହନ ସେବା ଯୋଗାଇବା ପାଇଁ ଗଠନ ହୋଇଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) କର୍ତ୍ତୃପକ୍ଷଙ୍କ ନିକଟରେ ଏ ନେଇ ବି ଖବର ନାହିଁ। ମେଟ୍ରୋ ଟ୍ରେନ୍ କେତେ କିଲୋମିଟର ଅଞ୍ଚଳରେ ହେବ, କେତେ କିଲୋମିଟର ରାସ୍ତାରେ ସ୍ବତନ୍ତ୍ର ରେଳ ଲାଇନ୍ ବିଛାଯିବ, କେଉଁ ରୁଟ୍ରେ ହେବ, କେତେ ଟଙ୍କା ଖର୍ଚ୍ଚ ହେବ, କେତେ ଜମି ଅଧିଗ୍ରହଣ ହେବ, କେଉଁଠି ଷ୍ଟପେଜ୍ ରହିବ, ସେ ନେଇ କିଛି ଆଲୋଚନା ବି ହୋଇନି।
ମେଟ୍ରୋ ଟ୍ରେନ୍ ଚଳାଚଳ ଆରମ୍ଭ କରିବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମୋଦନ ଦରକାର। କାରଣ କେନ୍ଦ୍ର ସରକାର ଏଥିପାଇଁ ଅନୁଦାନ ଦେବେ କିମ୍ବା କୌଣସି ବିଦେଶୀ ସଂସ୍ଥାରୁ ପୁଞ୍ଜି ଆଣି ଏଥିରେ ନିବେଶ କରିବାକୁ ଅନୁମତି ଦେବେ। ରାଜ୍ୟର ଅର୍ଥନୀତି ଯାହା, ସେଥିରେ କେନ୍ଦ୍ର ସରକାରଙ୍କ ବିନା ସହଭାଗିତାରେ ମେଟ୍ରୋ ଟ୍ରେନ୍ ଦୈତନଗରୀରେ ଗଡ଼ିବା ଏକରକମ ଅସମ୍ଭବ। ଏହା ସତ୍ତ୍ବେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କେନ୍ଦ୍ରକୁ ପ୍ରସ୍ତାବ ପଠାଇନାହାନ୍ତି କି ପ୍ରାରମ୍ଭିକ ଆଲୋଚନା ବି କରିନାହାନ୍ତି।
ନଗର ଉନ୍ନୟନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ରାଜ୍ୟ ସରକାର କେବଳ ଯୋଜନା କରିଦେଲେ ହେବନି। ଏକ ଅନ୍ତର୍ଜାତୀୟସ୍ତରର ସଂସ୍ଥା ଦ୍ବାରା ଏ ନେଇ ପ୍ରଥମ ଡିପିଆର୍ ପ୍ରସ୍ତୁତ କରିବାକୁ ପଡ଼ିବ। ମେଟ୍ରୋ ଟ୍ରେନ୍ ୧କିମି ପିଛା ପ୍ରାୟ ୧୫୦କୋଟି ଖର୍ଚ୍ଚ ହେବାକୁ ଥିବାରୁ ରାଜ୍ୟ ସରକାର ଭୁବନେଶ୍ବର-କଟକର କେଉଁ ଅଞ୍ଚଳରୁ କେଉଁ ଅଞ୍ଚଳକୁ ମେଟ୍ରୋ ସଂଯୋଗ କରୁଛନ୍ତି, ତାହା ଉପରେ ଏହି ପ୍ରକଳ୍ପର ବଜେଟ୍ ନିର୍ଭର କରିବ। କେବଳ ଏତିକି ନୁହେଁ, ଯଦି ଜମି ଅଧିଗ୍ରହଣ ଜନିତ ସମସ୍ୟା ଜଟିଳ ହୁଏ ବା ନ୍ୟାୟିକ ବ୍ୟବସ୍ଥାରେ ଫସିଯାଏ, ତେବେ ପ୍ରକଳ୍ପ କେବେ ଆରମ୍ଭ ହେବ, କେବେ ଶେଷ ହେବ, ତାହା କହି ହେବନି। ଏ ସବୁକୁ ନଜରରେ ରଖି ରାଜ୍ୟ ସରକାର ପ୍ରଥମେ କେଉଁ ରୁଟ୍ରେ ଭୁବନେଶ୍ବର ଓ କଟକ ମଧ୍ୟରେ ମେଟ୍ରୋ ସେବା ଆରମ୍ଭ କରିବେ ତାହା ନିଷ୍ପତ୍ତି ହେବାକୁ ହେବ। ଦୁଇ ତିନିଟି ରୁଟ୍ ବାଛିବା ସହ କେଉଁ ରୁଟ୍ରେ ଅଧିକ ଯାତ୍ରୀ ହେବେ, କିପରି ଏହା ଉପାଦେୟ ହେବ, ବିଶେଷ କ୍ଷତି ହେବନି; ସେସବୁକୁ ଧ୍ୟାନ ଦେବାକୁ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/metro-train.jpg)