ପୁରୁଣା ଭୁବନେଶ୍ବର: ବହୁତ କଥା ଅଛି। ତେବେ ସିନେମାରୁ ଆରମ୍ଭ କରୁଛି। ଆମ ପିଲାବେଳେ ହାଟସାହିରେ ଭୁବନେଶ୍ବରର ଗୋଟିଏ ମାତ୍ର ସିନେମା ହଲ୍ ଥିଲା। ବର୍ତମାନ ଥିବା ପୋଷ୍ଟ୍ ଅଫିସ୍ ସମ୍ମୁଖରେ ବଡ଼ଚାଳ ଘରେ ଥିଲା ସେ ସିନେମା ହଲ୍। ଉପରେ ଚାଳ, ଚାରିପଟେ ତାଟି ବନ୍ଧା ହୋଇଥିଲା। ହଲ୍ ଭିତରେ ସବାପଛରେ କାଠଚୌକି, ଏହାପରେ ଲମ୍ବାବେଞ୍ଚ। ସବାଆଗରେ ଥିଲା ତଳେ ବସିବା ଟିକେଟ୍। ସିନେମା ହଲ୍ ଭିତରେ ବାଜୁଥିବା ମାଇକ୍ ଆଖପାଖ ଅଞ୍ଚଳକୁ ଶୁଣାଯାଏ। ସେ ମାଇକ୍ ବାଜିଲେ ଜଣାପଡ଼େ ସିନେମା ଆରମ୍ଭ ହେଲା। ଅପରାହ୍ନ ୬ଟାରୁ ଗୋଟିଏ ସୋ’ ଓ ରାତି ୯ଟାରେ ଆଉ ଗୋଟିଏ ସୋ’ ହେଉଥିଲା। ଟିକେଟ୍ର ଦାମ୍ ଥିଲା ତଳପାଇଁ ୫ଅଣା, ବେଞ୍ଚ ପାଇଁ ୧୦ଅଣା ଓ ପଛ ଚୌକିରେ ବସିଲେ ୧ଟଙ୍କା ୪ଅଣା। ମହିଳାମାନେ ଗୋଟିଏ ପଟେ ତ ପୁରୁଷମାନେ ଅନ୍ୟପଟେ ବସି ସିନେମା ଦେଖୁଥିଲେ। ପ୍ରଥମ ସୋ’ରେ ଲକ୍ଷ୍ମୀସାଗର, ଝାରପଡ଼ା, ରସୁଲଗଡ଼, ପଟିଆ, ଓରକଳ, ବିରିବନ୍ଧ, ବଡ଼ଗଡ଼, ପାଣ୍ଡରା, ସୁନ୍ଦରପଦା, କପିଳେଶ୍ୱର, ପୋଖରୀପୁଟ, ଡୁମୁଡୁମା, ଘାଟିକିଆ, ପାତ୍ରପଡା, ସରକନ୍ତରା, ବାଙ୍କୁଆଳ ଆଦି ଦୂରସ୍ଥାନର ଲୋକ ଆସି ଦେଖୁଥିଲେ। ପାଖରେ ରହୁଥିବା ଆମ ଅଞ୍ଚଳର ଲୋକ ବ୍ୟବସାୟ ଓ ମନ୍ଦିର କାମ ସାରି ରାତି ସୋ’ ଦେଖୁଥିଲେ। ହିନ୍ଦୀ ଓ ଓଡ଼ିଆ ସିନେମା ପଡ଼ୁଥିଲା। ନୂଆ ସିନେମା ଆସିଲେ ଜଣେ ରିକ୍ସାରେ ବୁଲି ମାଇକ୍ରେ ବଜାଇ ପ୍ରଚାର କରୁଥିଲା। ସିନେମା ହଲ୍ ପାଖରେ ଚା, ଜଳଖିଆ, ପାନ ଦୋକାନ ଥିଲା।
ଗୋଟିଏ ଉଲ୍ଲେଖନୀୟ କଥା ହେଉଛି, ମୁଁ ବିଏମ୍ ହାଇସ୍କୁଲରେ ପାଠ ପଢ଼ିବାବେଳେ ଗାନ୍ଧି ସାର୍ (ଗାନ୍ଧି ସମର୍ଥା) ବୋଲି ଜଣେ ସାର୍ ଥିଲେ। ସେ ସାର୍ ସ୍କୁଲଛୁଟିପରେ ବି ସିନେମା ହଲ୍ ପାଖରେ ବେତ ଧରି ଜଗି ରହୁଥିଲେ। ସ୍କୁଲର କୌଣସି ଛାତ୍ର ସିନେମା ଦେଖିବାକୁ ଯିବାର ଦେଖିଦେଲେ ସାର୍ ତା’କୁ ବେତରେ ମାଡ଼ ମାରିମାରି ନେଇ ଘରେ ଛାଡ଼ୁଥିଲେ। ତାଙ୍କ ଭୟରେ ଆମେସବୁ ସିନେମା ହଲ୍ ପାଖ ମାଡୁନଥିଲୁ। କିନ୍ତୁ ସାର୍ଙ୍କ ଦୃଷ୍ଟିକୁ ଏଡ଼ାଇ କିଛି ପିଲା କେବେକେବେ ଯାଉଥିଲେ ଅବଶ୍ୟ। ସାର୍ ସିନେମା ବଦଳରେ ଖେଳିବାକୁ ଉତ୍ସାହିତ କରୁଥିଲେ।
ସେତେବେଳେ ଲିଙ୍ଗରାଜ ମନ୍ଦିର ଚାରିପଟେ ହିଁ ଦୋକାନ ଥିଲା। ଜଣେ ଗୋଟେ ବିରାଟ ଟିଣଡବା ମୁଣ୍ଡେଇ ସବୁସାହିରେ ବର୍ଣ୍ଣରୁଟି ଓ ବିସ୍କୁଟ୍ ବୁଲିବୁଲି ବିକୁଥିଲା। ମୁଁ ବିଏମ୍ ହାଇସ୍କୁଲରେ ପଢ଼ିବା ପୂର୍ବରୁ ଟାଉନ୍ ସ୍କୁଲ (ବର୍ତମାନର ପଣ୍ଡିତ ରଘୁନାଥ ବିଦ୍ୟାଳୟ)ରେ ପଢ଼ୁଥିଲି। ସେଠାରେ ୫ଟି ଚାଳଘରେ ପାଠପଢ଼ା ହେଉଥିଲା। ଆମେ ହାଟସାହିରୁ କପଡ଼ା ବ୍ୟାଗ୍ରେ ଖାତାବହି ଧରି ଚାଲିଚାଲି ସ୍କୁଲ୍ ଯାଉଥିଲୁ। ସବୁଆଡ଼େ ନାଲିଗୋଡ଼ି ରାସ୍ତା। ଶଗଡ଼ଗାଡ଼ି ଯିବା ପରି ରାସ୍ତା ହିଁ ଥିଲା। ପୁନାମାଗେଟ୍ ଆଡ଼େ ଜଙ୍ଗଲ ଥିଲା। ଆମକୁ ସେପଟେ ଯିବାକୁ ଘରେ ବାରଣ କରୁଥିଲେ। ସନ୍ଧ୍ୟାହେଲେ ଲୋକ ସେପଟେ ଯିବା ଆସିବା କରୁନଥିଲେ। ସେତେବେଳେ ଏତେ ଆଲୋକ ନଥିଲା। ଭୁବନେଶ୍ବର ୟୁନିଅନ୍ ବୋର୍ଡ ପକ୍ଷରୁ ନିଯୁକ୍ତ ଲୋକ ପ୍ରତିଦିନ ସନ୍ଧ୍ୟାରେ ପୁରୁଣା ଭୁବନେଶ୍ବରର ବିଭିନ୍ନ ଛକରେ ଲଗା ଯାଇଥିବା ଲ୍ୟାମ୍ପ୍ଖୁଣ୍ଟ ଉପରେ ଚଢ଼ି ଲ୍ୟାମ୍ପ ସଫା କରୁଥିଲେ ଓ ସେଥିରେ ତେଲ ପକାଇ ଜଳାଉଥିଲେ। ସେତିକି ତେଲରେ ଲ୍ୟାମ୍ପ ଯେତିକି ସମୟ ପର୍ଯ୍ୟନ୍ତ ଜଳୁଥିଲା, ସେତିକି ସମୟ ଆଲୁଅ ମିଳୁଥିଲା। ତେଲ ସରିଗଲେ ଅନ୍ଧାର।
ରାଜଧାନୀ ହେବାପରେ ବହୁ ପରିବାର ଆସି ପୁରୁଣା ଭୁବନେଶ୍ବରରେ ଘରଭଡ଼ା କିମ୍ବା ଜାଗା କିଣି ରହିଲେ। ତେବେ ରାସ୍ତା ଘାଟ ଇଲେକ୍ଟ୍ରିକୁ ଛାଡ଼ିଦେଲେ ଆଉକିଛି ଉନ୍ନତି ହେଲାନାହିଁ। ମନ୍ଦିର ଯୋଗୁଁ ଆମ ସେବାୟତ ପରିବାରଗୁଡ଼ିକ ଚଳି ଯାଉଥିଲେ। ପରେ ଗଛ କଟାହୋଇ ରାସ୍ତାଘାଟ ଓ ଅଫିସ୍ ତିଆରି ହେଲା। ସ୍ଥାନୀୟ ଯୁବକମାନେ ଚାକିରି ପାଇଲେ। ସେତେବେଳେ କ୍ବଚିତ୍ ଲୋକ ବ୍ୟବସାୟ କରୁଥିଲେ। ପରେ କିଛି ଗୁଜୁରାଟୀ ଲୋକ ଆସି ପୁରୁଣା ଭୁବନେଶ୍ବରରେ ରହି ବ୍ୟବସାୟ ଆରମ୍ଭ କଲେ। ବିନ୍ଦୁସାଗର, କେଦାରଗୌରୀ ମନ୍ଦିର ଆଖପାଖରେ ବହୁ ବଙ୍ଗାଳୀ ପରିବାର ଜାଗାକିଣି ରହିଲେ। କ୍ରମେ ଆହୁରି ବହୁ ବଙ୍ଗାଳୀ ପରିବାର ଆସି ପୁରୁଣା ଭୁବନେଶ୍ବରରେ ବାସକଲେ। ସେତେବେଳେ ପର୍ଯ୍ୟଟକ ବର୍ତମାନ ପରି ଏତେ ଆସୁନଥିଲେ। ଯେଉଁମାନେ ଆସୁଥିଲେ, ସେମାନେ ଲିଙ୍ଗରାଜ ମନ୍ଦିର ଦେଖିବାକୁ ଆସୁଥିଲେ। ଟ୍ରେନ୍ରୁ ଓହ୍ଲାଇ ବର୍ତମାନର ପୁରୁଣା ଷ୍ଟେସନ୍ ପଟେ ଆସି ଚାଲିଚାଲି ବା ଶଗଡ଼ କିମ୍ବା ରିକ୍ସାରେ ଆସୁଥିଲେ। ସେତେବେଳେ ଧର୍ମଶାଳାରେ କିଛି ରହୁଥିଲେ, କିଛି ସେବାୟତଙ୍କ ଅତିଥିଗୃହରେ ରହୁଥିଲେ। ସେବାୟତମାନେ ତାଙ୍କ ଯଜମାନଙ୍କ ପାଇଁ ଚାଳଘର ତିଆରି କରି ରଖୁଥିଲେ। ସେଥିରେ ସେମାନେ ରହି ଠାକୁରଙ୍କ ଦର୍ଶନ କରୁଥିଲେ। ଯଜମାନ ଯାହା ଦକ୍ଷିଣା ଓ ଦାନ ଦେଉଥିଲେ, ସେଥିରେ ସେବାୟତ ପରିବାର ବେଶ୍ ଭଲରେ ଚଳୁଥିଲେ।
ବରିଷ୍ଠଙ୍କ ସ୍ମୃତିରେ ରାଜଧାନୀ
ପ୍ରସ୍ତୁତି: ଲିଙ୍ଗରାଜ ସାହୁ