ଭୁବନେଶ୍ବର: ଆମ ପିଲାବେଳେ ଲିଙ୍ଗରାଜ ମନ୍ଦିର ନିକଟରୁ ଗୋସାଗରେଶ୍ବର ଛକ ପର୍ଯ୍ୟନ୍ତ ପିଚୁରାସ୍ତା ଓ ଲୁଇସ୍ ରୋଡ଼୍ ଯାଏ ତାଳିପକା ପିଚୁ ଥିଲା। ଭୁବନେଶ୍ବରର ବାକି ସବୁଆଡ଼େ ଥିଲା ମାଟିରାସ୍ତା। ଲୋକେ ଶଗଡ଼ରେ ଯିବା ଆସିବା କରୁଥିବାରୁ ବହୁତ ବଳଦ ଥିଲେ। କିଛି ଲୋକଙ୍କର ସାଇକେଲ୍ ବି ଥିଲା। ପରେ ରିକ୍ସା ଆସିଲା। ଅନେକ ବର୍ଷ ପରେ ଗ୍ୟାରେଜ ଛକ ନିକରେ ବସ୍ଷ୍ଟାଣ୍ଡ ତିଆରି ହେଲା। ଓଆର୍ଟିର ପୁରୀ- କଟକ ବସ୍ ସେଠୁ ଯାଉଥିଲା। ଲିଙ୍ଗରାଜ ମନ୍ଦିର ନିକଟରୁ ବିନ୍ଦୁସାଗର ଦେଇ କଳ୍ପନା ଛକ ଦେଇ ବସ୍ କଟକ ଯାଉଥିବା ବେଳେ ଶ୍ରୀରାମନଗର ଛକ ସାମନ୍ତରାପୁର ମଧ୍ୟଦେଇ ପୁରୀ ବସ୍ ଯାଉଥିଲା। ବର୍ଷା ହେଲେ ରାସ୍ତାରେ ଯିବା ମୁସ୍କିଲ ହେଇ ଯାଉଥିଲା। ସବୁଆଡେ କାଦୁଅ ପଚପଚ। କଠଉ ଓ ସ୍ଲିପର ଚପଲ ବ୍ୟବହାର ଥିଲା। ବର୍ଷାରେ ଚପଲ କାଦୁଅରେ ଲାଖି ଯାଉଥିଲା। ତେଣୁ ଲୋକେ ଚପଲକୁ ହାତରେ ଧରି ଯିବା ଆସିବା କରୁଥିଲେ। ତେବେ ବହୁ ଲୋକ ଖାଲିପାଦରେ ଯିବା ଆସିବା କରୁଥିଲେ।
ପୁନାମାଗେଟ୍ ଆଡ଼କୁ ଯିବାକୁ ଜଙ୍ଗଲ ଥିଲା। ସନ୍ଧ୍ୟା ହେଲେ ସେପଟେ ଲୋକ ଯିବା ଆସିବା କରୁନଥିଲେ। ସେତେବେଳେ ବିଜୁଳି ଆଲୋକ ନଥିଲା। ଭୁବନେଶ୍ବର ୟୁନିଅନ୍ ବୋର୍ଡ ପକ୍ଷରୁ ପୁରୁଣା ଭୁବନେଶ୍ବର ଛକରେ ଗୋଟିଏ ଖୁଣ୍ଟ ପୋତା ଯାଇଥିଲା। ତା’ଉପରେ ଗୋଟେ ଲ୍ୟାମ୍ପ ଥିଲା। ପ୍ରତିଦିନ ସନ୍ଧ୍ୟାରେ ଜଣେ ଲୋକ ସାଇକେଲ୍ରେ ଆସି ନିଶୁଣି ଲଗାଇ ତା’ଉପରେ ଚଢ଼ୁଥିଲା ଓ କିରାସିନି ପକାଇ ଯାଉଥିଲା। ସେହି ଲ୍ୟାମ୍ପ ଯେଉଁ ମିଞ୍ଜିମିଞ୍ଜି ଆଲୁଅ ଦେଉଥିଲା, ସେଇଥିରେ ଲୋକ ଯିବା ଆସିବା କରୁଥିଲେ। ମହତାବ ରୋଡ଼୍ କି ଭୀମଟାଙ୍ଗିରେ ଆଦୌ ଘର ନଥିଲା। ସବୁ ଜଙ୍ଗଲ ଥିଲା। ସେତେବେଳେ ହାତଗଣତି କୋଠାଘର ଥିଲା ପୁରୁଣା ଭୁବନେଶ୍ବରରେ। ବାକି ସବୁ ଥିଲା ଖପର ବା ଚାଳଘର। ଗୋଟିଏ ମାତ୍ର ହସ୍ପିଟାଲ ଥିଲା- ଗଦାଧର ମେଡିକାଲ, ଯାହା ଏବେ ବିଏମ୍ସି ହସ୍ପିଟାଲ ହୋଇଛି। ସେମିତି ଗୋଟିଏ ମାତ୍ର ହାଇସ୍କୁଲ ଥିଲା- ବିଏମ୍ ହାଇସ୍କୁଲ। ସେଠି ଭୁବନେଶ୍ବରଯାକର ପିଲା ପାଠ ପଢ଼ୁଥିଲେ। ଏକାମ୍ର କ୍ଷେତ୍ରରେ କୋଚିଲା ବଣ ପୂରିଥିଲା। ପରିବେଶ ବହୁତ ଭଲ ଥିଲା। ଏବେ ଯୁଆଡ଼େ ଦେଖିଲେ ଘରଦ୍ୱାର, ସେତେବେଳେ କିନ୍ତୁ ଯୁଆଡେ ଅନେଇଲେ ଗଛ ଆଉ ଗଛ। କୂଅ ପୋଖରୀ ପାଣି ପରିଷ୍କାର ଥିବାରୁ ସେ ପାଣି ନେଇ ଲୋକ ପିଉଥିଲେ ଓ ରୋଷେଇ କରୁଥିଲେ। ମାଟିପାତ୍ରରେ ରୋଷଇ ହେଉଥିଲା। କୁମ୍ଭାରସାହିର କୁମ୍ଭାରମାନଙ୍କର ବହୁତ ଚାହିଦା ଥିଲା। ବଢ଼େଇବାଙ୍କ ଛକରେ ଚୁଡ଼ାକଳ ଓ ଧାନକଳ ଥିଲା। ଲିଙ୍ଗରାଜ ମନ୍ଦିର ଆଡ଼କୁ ଯିବା ବେଳେ ଖରାଖିଆ ବୈଦ୍ୟନାଥ ଛକ ପରେ ଇଂରେଜ ଅମଳର ଗୋଟିଏ ପୋଷ୍ଟ ଅଫିସ୍ ଥିଲା। ତା’ପରେ କିଛି ଦୋକାନ। ଲିଙ୍ଗରାଜ ମନ୍ଦିର ନିକଟରେ ବିନ୍ଦୁସାଗର ଆଡ଼କୁ ତଳବଜାରରେ ମଧ୍ୟ ଦୋକାନ ଥିଲା। ନୁଆଣିଆ ଚାଳଘରେ ପାନ ବିଡ଼ି, ଚା’ ଦୋକାନ। ଲୋକେ ପତ୍ରଠୋଲାରେ ଜଳଖିଆ ଖାଉଥିଲେ। ସନ୍ଧ୍ୟାରେ ଡିବି ଆଲୁଅରେ କିଣାବିକା।
ପୁରୁଣା ଭୁବନେଶ୍ୱରରେ ମନ୍ଦିର ନିକଟରେ ଛୋଟବଜାର ଥିଲା। ଗୋଟିଏ ହାଟ ଥିଲା, ଲିଙ୍ଗରାଜ ହାଟ। ସେ ହାଟରେ ଘର ଚଳିବାର ସବୁ ସଉଦା ବିକ୍ରି ହେଉଥିଲା- ଚାଉଳ, ବିରି, ଧାନ, ଶାଗ, ଖଡ଼ା, ଶୁଖୁଆ, ଗୁଡ଼ାଖୁ, ଲୁଙ୍ଗି, ସାର୍ଟ, ଗଞ୍ଜି, ହାଣ୍ଡି କଳସୀ ଆଦି। ପୁରୁଣା ଭୁବନେଶ୍ୱର ସହ ବଡ଼ଗଡ଼, ଲକ୍ଷ୍ମୀସାଗର, ଝାରପଡ଼ା, ରସୁଲଗଡ଼, ପାଣ୍ଡରା, ସୁନ୍ଦରପଦା, କପିଳେଶ୍ୱର, ପୋଖରୀପୁଟ, ଡୁମୁଡୁମା, ଘାଟିକିଆ, ପାତ୍ରପଡ଼ା, ସରକନ୍ତରା, ବାଙ୍କୁଆଳ ପ୍ରଭୃତି ଗ୍ରାମର ଲୋକେ ଚାଷ ଉପରେ ନିର୍ଭର କରୁଥିଲେ। କ୍ବଚିତ୍ ଲୋକ ବ୍ୟବସାୟ କରୁଥିଲେ। ବ୍ୟବସାୟ କହିଲେ ଦୋକାନ ବା ଡାଲି, ବିରି, ଧାନ, ଚାଉଳ, ତେଲ, ଲୁଣ, ମାଟିପାତ୍ର ଓ ପରିବା ବେପାର। ସେତେବେଳେ ଆଜିପରି ଏତେ ପ୍ରକାର ଫଳ କିମ୍ବା ପନିପରିବା ମିଳୁନଥିଲା।
ହଁ, କିଛି ଲୋକଙ୍କ ପାଖରେ ବଡ଼ କାଠବନ୍ଧୁକ ଥିଲା। ସେ ବନ୍ଧୁକ ପାଇଁ ଲାଇସେନ୍ସ ଆବଶ୍ୟକ ପଡ଼ୁନଥିଲା। ଯାହାର ପଇସା ଥିଲା, ସେ ବନ୍ଧୁକ ରଖୁଥିଲା। ସେମାନେ ମଝିରେ ମଝିରେ ସାଇକେଲ ନେଇ ଚନ୍ଦକା ଓ ଆଖପାଖର ଅନ୍ୟ ଜଙ୍ଗଲ ଯାଇ ବାର୍ହା ଓ ହରିଣ ଆଦି ଶିକାର କରୁଥିଲେ। ଶିକାର ମାଂସକୁ ଭାଗବାଣ୍ଟି ଘରକୁ ନେଉଥିଲେ।
ପ୍ରସ୍ତୁତି: ଲିଙ୍ଗରାଜ ସାହୁ