ପୁରୁଣା ଭୁବନେଶ୍ବର: ପୂର୍ବେ ଲିଙ୍ଗରାଜ ମନ୍ଦିର ବା ବାସୁଦେବ ମନ୍ଦିରରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତ ହେଉନଥିଲା। କେବଳ କପିଳେଶ୍ବର ମନ୍ଦିରରେ ଅନ୍ନ ପ୍ରସ୍ତାଦ ତିଆରି ହେଉଥିଲା। ସେତେବେଳେ କୁହା, କଣ୍ଟିଲୋ, ଓରକଳ, ବଡ଼ଗଡ଼, ଲକ୍ଷ୍ମୀସାଗର, ଝାଡ଼ପଡ଼ାଠୁ ଆରମ୍ଭ କରି ଡେଲାଙ୍ଗ ପର୍ଯ୍ୟନ୍ତ ଯାହାର ଅନ୍ନ ପ୍ରସାଦ ଆବଶ୍ୟକ ହେଉଥିଲା, ସେମାନେ ଶଗଡ଼ରେ ଉଦର ଲଦି ସେଥିରେ କପିଳେଶ୍ବର ମନ୍ଦିରରୁ ଅନ୍ନ, ଡାଲି ଓ ଖଟା ଆଦି ନେଉଥିଲେ। ସୁନ୍ଦରପଦା ଓ ଆଖପାଖର ଲୋକେ ଏକ ମାଟି ବାଇହାଣ୍ଡିରେ ଅରୁଆ ଚାଉଳ, ଡାଲି, ପରିବା ନେଇ କପିଳେଶ୍ବର ମନ୍ଦିର ସେବାୟତଙ୍କୁ ଦେଉଥିଲେ। ଖୁଣ୍ଟିଆ ସେବାୟତ ତାହାକୁ ରାନ୍ଧି ଭୋଗକରି ଦେଉଥିଲେ। ତେବେ ୧୯୭୦ରୁ ୧୯୮୦ ମସିହା ପର୍ଯ୍ୟନ୍ତ ଖୁଣ୍ଟିଆ ଓ ମଲିଆଙ୍କ ଭିତରେ ବିବାଦ ଦେଖା ଦେଇଥିଲା। ଡ. ‌ହରେକୃଷ୍ଣ ମହତାବ ବିଧାୟକ ଭାବେ ନେତୃତ୍ବ ନେଇ ତାଙ୍କ ବାସଭବନରେ ୫୦ଖଣ୍ଡ ଗାଁର ମୁରବୀଙ୍କୁ ଡାକି ବୈଠକ କରିଥିଲେ। ତା’ପରେ ବିବାଦର ସମାଧାନ ହୋଇଥିଲା। ତେବେ ବିବାଦ ଯୋଗୁଁ କପିଳେଶ୍ବରରେ ଅନ୍ନଭୋଗ ବନ୍ଦ ହେବାରୁ ବାସୁଦେବ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ଅଧିକ ପରିମାଣରେ ଅନ୍ନଭୋଗ ରନ୍ଧା ଆରମ୍ଭ ହୋଇଥିଲା। ତା’ପୂର୍ବରୁ ସେଠାରେ କେବଳ ପୂଜାନୀତି ପାଇଁ ଯେତିକି ଆବଶ୍ୟକ, ସେତିକି ଅନ୍ନ ରନ୍ଧା ହେଉଥିଲା। କୁମ୍ଭାରମାନେ ମାଟିହାଣ୍ଡି ଯୋଗାଉଥିଲେ। କୁମ୍ଭାରମାନଙ୍କ ଘରେ ମାଟିଚକ ଥିଲା। ସେମାନଙ୍କ ମାଟି ଆବଶ୍ୟକ ଥିବାରୁ ସେମାନଙ୍କୁ ନୂଆଗାଁ ମୌଜାରେ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଜମି ଯୋଗାଇ ଦିଆଯାଇଥିଲା। ସେହିପରି କପିଳେଶ୍ବର ମନ୍ଦିରକୁ ମାଟିହାଣ୍ଡି ଯୋଗାଇବାକୁ କପିଳେଶ୍ବର ମୌଜା କୁମ୍ଭାରହାତ ନାମରେ ଥିବା ଜମି ଯୋଗାଇ ଦିଆଯାଇଥିଲା। କପିଳେଶ୍ବର ମଣିକର୍ଣ୍ଣିକା ପୁଷ୍କରିଣୀ ପଛପଟେ ମନ୍ଦର ଜମିରେ ବ୍ୟାପକ ସାରୁଚାଷ ହେଉଥିଲା। ସେତେବେଳେ ସାରୁ ବିସା (୧ କିଲୋ ୧୨୫୦ଗ୍ରାମ)ର ମୂଲ୍ୟ ଥିଲା ଚାରିଅଣା (୨୫ପଇସା)। ବ୍ୟବସାୟୀଙ୍କ ସମେତ ବହୁ ଗାଁର ଲୋକ ଆସି ସେହିଠାରୁ ସାରୁ କିଣି ନେଉଥିଲେ। 

Advertisment

ଅଧିକ ବର୍ଷା ହେଲେ ବଢ଼ିପାଣି ଓ ଗଙ୍ଗୁଆପାଣି କପିଳେଶ୍ବର ଗହିରରେ ପଶୁଥିଲା। ସେତେବେଳେ ଗହିରରେ ବହୁ ପରିମାଣରେ ମାଛ ମିଳୁଥିଲେ। ଭୁବନେଶ୍ବର, ବଡ଼ଗଡ଼, ସୁନ୍ଦରପଦା, ରସୁଲଗଡ଼, ଝାଡପଡ଼ା ଓ ଲକ୍ଷ୍ମୀସାଗର ଆଦି ବିଭିନ୍ନ ଅଞ୍ଚଳ ଲୋକର ମାଛ ନେବାକୁ ଆସୁଥିଲେ। ଲୋକେ ସାରୁପତ୍ରରେ ମାଛ ନେଇକି ଯାଉଥିଲେ। ସେହିପରି ସୁନ୍ଦରପଦା ମାଂସକଟା ପଡ଼ିଆରେ ଛାଡ଼ଖାଇରେ ବୋଦା କଟା ହେଉଥିଲା। ମାଂସକୁ ସାରୁପତ୍ରରେ ଭାଗଭାଗ କରି ରଖାଯାଏ। ପ୍ରତି ଭାଗର ଓଜନ ଏକ ସେର, ଦାମ୍‌ ୫ ଟଙ୍କା। କପିଳେଶ୍ବର ମନ୍ଦିର ଆଗରେ ଏକ ବାଘ ଆଖଡ଼ାଘର ଅଛି। ଗହ୍ମା ପୂର୍ଣ୍ଣିମାରେ ଜଣେ ଜୋଇଁ ବନ୍ଧୁଘରକୁ ଯିବାବେଳେ ‌ସେହି ପାଖଆଖରେ ତା’କୁ ବାଘ ନେଇ ଯାଇଥିଲା। ତା’ପରେ ଆମ ଗାଁରେ ବାଘ ଆଖଡ଼ା ହୋଇଥିଲା। ଆମ ଗାଁରେ ଅନେକ ଯୁବକ ମଲ୍ଲଯୁଦ୍ଧ କରୁଥିଲେ। ସୁନ୍ଦରପଦା ବଙ୍ଗାଳି ପଡ଼ିଆ ସମ୍ମୁଖରେ ଗହ୍ମା ପଡ଼ିଆରେ ମଲ୍ଲଯୁଦ୍ଧ ଅଭ୍ୟାସ କରୁଥିଲେ। ପରେ ଗଦା, ତେଣ୍ଟା ଶିଖିବା ସହ ସାଞ୍ଜୁ ଧରି ବିଭିନ୍ନ ବ୍ୟାୟାମ କଲେ। ବାଘ ଆସିଲେ ଲଢ଼ିବା ପାଇଁ ଏହି ‘ବାଘ ଆଖଡ଼ା’ ତିଆରି ହୋଇଥିଲା।

ମହତାବରୋଡ୍‌ରୁ ଭୀମେଶ୍ବର ମନ୍ଦିର ପର୍ଯ୍ୟନ୍ତ ଖଣି ପୂରିଥିଲା। ଅନାଦି ରାଉତରାୟ ନାମକ ଜଣେ ଲୋକଙ୍କର ପ୍ରାୟ ୫୦ଟା ଖଣି ଥିଲା। ସେହି ଖଣି ପୋତାହୋଇ ହାଉସିଂବୋର୍ଡ ଘର ତିଆରି ହୋଇଛି। ଆହୁରି ବହୁ ଖଣି ଅଳିଆ ଅବର୍ଜନାରେ ପୋତିହୋଇ ସମତୁଲ ହୋଇଯାଇଛି। ପୂର୍ବରୁ ୟୁନିଟ୍‌-୧ ହାଟ କେଦାରପଲ୍ଲୀରେ ଥିଲା। ଆମେ ଓ ଭୁବନେଶ୍ବରବାସୀ ପୁନମାଗେଟ୍‌ ଛକ, ପଳାସପଲ୍ଲୀ କୁକଟେଶ୍ବର ମନ୍ଦିର ନିକଟ ଦେଇ ହାଟକୁ ଯାଉଥିଲୁ। ସେଠି ଅନ୍ଧାରୁଆରୁ ଶଗଡ଼ ଉଦରରେ ଭର୍ତିହୋଇ ଆମ୍ବ ଆସୁଥିଲା। ୨ଟଙ୍କାର ଏକ ପଣ (୮୦)ଟା ଆମ୍ବ ମିଳୁଥିଲା।

ବାହାଘର ପାଇଁ ବର୍ଷକ ଆଗରୁ ଜିନିଷ ଯୋଗାଡ଼ କରିବା ଦରକାର ପଡୁଥିଲା। ହଇରାଜପୁର ମେଳଣରୁ ଖଟ ପଲଙ୍କ; ଖଣ୍ଡଗିରି ଯାତ୍ରାରୁ ଶିଳ, ଚକି; ଜାଗରଯାତ୍ରାରୁ ଘରର ବିଭିନ୍ନ ଛୋଟମୋଟ ସାମଗ୍ରୀ ଓ ବାଳକାଟିରୁ କଂସାବାସନ କିଣି ବାହାଘର କରିବାକୁ ଲୋକେ ପ୍ରସ୍ତୁତ ହେଉଥିଲେ। କପିଳେଶ୍ବର ମନ୍ଦିରରେ କାର୍ତ୍ତିକ ମାସ ଶନିବାର ରାତିରେ ଯାତ୍ରା ହେଉଥିଲା। ଏହାକୁ ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ଲୋକ ଆସୁଥିଲେ। ଯାତ୍ରା ଦେଖି ସକାଳେ ଗୋଧୋଇ ଅନ୍ନଭୋଗ ଖାଇ ସେମାନେ ଯେ’ଝା ଘରକୁ ଫେରୁଥିଲେ। ଏହା ଏକ ବଡ଼ଯାତ୍ରା ଥିଲା। ଯାତ୍ରାରେ ଅଧ କିଲୋମିଟର ପର୍ଯ୍ୟନ୍ତ ଲମ୍ବାହୋଇ ଘରକରଣା ଜିନିଷ ବିକ୍ରି ହେଉଥିଲା। ସେତେବେଳେ କପିଳେଶ୍ବରରୁ ସାମନ୍ତରାପୁରକୁ ବିଲହିଡ଼ରେ ଯିବାକୁ ପଡ଼ୁଥିଲା। ବଡ଼ ବଡ଼ ସାରୁ କିଆରି ମଝିରେ ସେ ରାସ୍ତା ଥିଲା। କୂହା, ଓରକାଳ, ବୋତଣ୍ଡା ଆଦି ଅଞ୍ଚଳର ଲୋକ ସୁନ୍ଦରପଦା କେଉଟସାହି ନିକଟ ଦେଇ ଲିଙ୍ଗରାଜ ମନ୍ଦିରକୁ ଯେଉଁ ରାସ୍ତାରେ ଆସୁଥିଲେ, ସେଥିରେ ଏତେ କାଦୁଅ ଥିଲା ଯେ ଚାଲିବା କଷ୍ଟକର ଥିଲା। ଲୋକେ ଚପଲକୁ ହାତରେ ଧରି ସେ ରାସ୍ତାରେ ଯାଉଥିଲେ। ମୁଁ ବି କୂହାରେ ଥିବା ଜେଜେମା’ ଘରକୁ ସାଇକେଲ୍‌ରେ ଯିବାବେଳେ ଚକରେ ମାଟି ଏତେ ଲାଗୁଥିଲା ଯେ ସାଇକେଲ୍ ଗଡୁନଥିଲା। ତେଣୁ ବାଟରେ ମଝିରେ ମଝିରେ ଅଟକି ଚକର କାଦୁଅକୁ ଏକ ରମ୍ପାକାଠି ସାହାଯ୍ୟରେ ବାହାର କରିବାକୁ ପଡୁଥିଲା।

ବରିଷ୍ଠଙ୍କ ସ୍ମୃତିରେ ରାଜଧାନୀ
ଲିଙ୍ଗରାଜ ସାହୁ