ଭୁବନେଶ୍ବରରେ ଖୋଲିବ ମେଟ୍ରୋପଲିଟାନ୍ ସର୍ଭେଲାନ୍‌ସ ସେଣ୍ଟର୍‌

ଦେଶର ୨୦ଟି ସହର ଭିତରେ ରହିଛି ଭୁବନେଶ୍ବର

ଭୁବନେଶ୍ବର : କୋଭିଡ ମହାମାରୀ ପରେ ସଂକ୍ରାମକ ରୋଗକୁ ନେଇ ଚିନ୍ତା ବଢ଼ିଛି। ଆଗାମୀ ଦିନରେ ମହାମାରୀର କିଭଳି ସଫଳ ମୁକାବିଲା ହୋଇପାରିବ, ତାହାକୁ ନଜରରେ ରଖି କେନ୍ଦ୍ର ସରକାର ଦେଶବ୍ୟାପୀ ୨୦ଟି ସହରରେ ମେଟ୍ରୋପଲିଟାନ୍ ସର୍ଭେଲାନ୍‌ସ ସେଣ୍ଟର୍‌ ଖୋଲିବାକୁ ଯାଉଛନ୍ତି। ଏଥିରେ ଭୁବନେଶ୍ବର ରହିଛି। ନିକଟରେ କେନ୍ଦ୍ର ସରକାରଙ୍କ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ବା ଏନ୍‌ସିଡିସିର ଏକ ଶାଖା ଭୁବନେଶ୍ବରରେ କାର୍ଯ୍ୟକ୍ଷମ ହେବ। ଏହି ବିଲ୍ଡିଂରେ ମେଟ୍ରୋପଲିଟାନ୍ ସର୍ଭେଲାନ୍‌ସ ସେଣ୍ଟର୍‌କୁ କାର୍ଯ୍ୟକ୍ଷମ କରିବା ଲାଗି ନିଷ୍ପତ୍ତି ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୫ବର୍ଷ ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି।

ସହରାଞ୍ଚଳରେ ରୋଗର ସର୍ଭେଲାନ୍‌ସ ବା ନିରୀକ୍ଷଣ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ। ଏହି ସ୍ଥିତି କେବଳ ଓଡ଼ିଶାରେ ନୁହେଁ, ଦେଶବ୍ୟାପୀ ଏଭଳି ସମସ୍ୟା ରହିଛି। ସହରାଞ୍ଚଳରେ ଅଧିକାଂଶ ସଂକ୍ରାମକ କିମ୍ବା ଅଣ-ସଂକ୍ରାମକ ରୋଗର ତଥ୍ୟ ଠିକ୍‌ରେ ମିଳୁନାହିଁ। କୋଭିଡ ସମୟ‌ରେ ମଧ୍ୟ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା। ଯାହାଫଳରେ ଏନ୍‌ସିଡିସି ଓ ଆଇସିଏମ୍‌ଆର ଉପରେ ଚାପ ବଢ଼ିଥିଲା। ଏନ୍‌ସିଡିସିକୁ କେବଳ ଦିଲ୍ଲୀରେ ସୀମିତ ନ ରଖି ଏହାର ସଂପ୍ରସାରଣ ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ଯାହାଫଳରେ ଡେଙ୍ଗୁ, ଚିକିନଗୁନିଆ, ସ୍କ୍ରବ୍ ଟାଇଫସ୍‌, ଜାଇକା ଭଳି ରୋଗର ନିରୀକ୍ଷଣ ଠିକ୍ ଭାବେ ହୋଇପାରିବ। ଭୁବନେଶ୍ବର ସମେତ ରାଜ୍ୟର ସହରାଞ୍ଚଳରେ ପ୍ରତିବର୍ଷ ଡେଙ୍ଗୁ ବ୍ୟାପୁଛି। ଫାଇଲେରିଆ, ସ୍କ୍ରବ୍ ଟାଇଫସ୍, ଏଚ୍‌ଏଫ୍‌ଏମ୍‌ଡି ଭଳି ରୋଗ ମଧ୍ୟ ବଢ଼ିବାରେ ଲାଗିଛି। ଏସବୁ ରୋଗ ଉପରେ ତୀକ୍ଷ୍‌ଣ ନଜର ରଖିବା ଦିଗରେ ସର୍ଭେଲାନ୍‌ସ ସେଣ୍ଟର୍‌ କାର୍ଯ୍ୟ କରିବ। ଯାହାଫଳରେ କୌଣସି ଅଞ୍ଚଳରେ ରୋଗ ବ୍ୟାପିବା ପୂର୍ବରୁ ଏହା ସଂପର୍କିତ ଆଗୁଆ ସୂଚନା ମିଳିପାରିବ। ସମନ୍ବିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ ବା ଆଇଡିଏସ୍‌ପି ସେଲ୍‌ର ସହାୟତାରେ ଏହି ସେଣ୍ଟର୍‌ କାର୍ଯ୍ୟକାରୀ କରିବ। ଏହି ସେଣ୍ଟର୍‌ରେ ମହାମାରୀ ବିଶେଷଜ୍ଞ ବା ଏପିଡିମିଓଲୋଜିଷ୍ଟ, କୀଟରୋଗ ବିଶେଷଜ୍ଞ ବା ଏଣ୍ଟୋମୋଲୋଜିଷ୍ଟ ଓ ନମୁନା ସଂଗ୍ରହ ପାଇଁ ଫ୍ଲେବୋଟୋମିଷ୍ଟ ପ୍ରମୁଖଙ୍କୁ ମିଶାଇ ୯ଜଣ କର୍ମଚାରୀ ରହିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ମାନବ ସମ୍ବଳ ଯୋଗାଇ ଦିଆଯିବ। ଏହାସହ ଆବଶ୍ୟକ ଟେଷ୍ଟିଂ କିଟ୍‌, ପରିବହନ ବ୍ୟବସ୍ଥା, ଲଜିଷ୍ଟିକ୍ ସହାୟତା ଓ ଅନ୍ୟ ସର୍ଭେଲାନ୍‌ସ ଟୁଲ୍‌ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି।

 ଜାଗା ଦେଇପାରିଲାନି ବିଏମ୍‌ସି, ଏନ୍‌ସିଡିସି ଶାଖା ବିଲ୍ଡିଂରେ ଚାଲିବ ସେଣ୍ଟର୍‌
ଅନ୍ଧାରୁଆରେ ଏନ୍‌ସିଡିସିକୁ ୩ ଏକର ଜମି

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସା‌ରେ, କେନ୍ଦ୍ର ସରକାର ମେଟ୍ରୋପଲିଟାନ୍ ସର୍ଭେଲାନ୍‌ସ ସେଣ୍ଟର୍‌ ଭୁବନେଶ୍ବରରେ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଏମ୍‌ସିକୁ ଜାଗା ପ୍ରଦାନ କରିବା ଲାଗି ଅନୁରୋଧ କରାଯାଇଥିଲା। ମାତ୍ର ଠିକ୍ ସମୟରେ ବିଏମ୍‌ସି ଜାଗା ଯୋଗାଇବାରେ ବିଫଳ ହୋଇଥିଲା। ତେଣୁ ବାଧ୍ୟରେ ଏହାକୁ ଏନ୍‌ସିଡିସିର ଶାଖା ବିଲ୍ଡିଂରେ ହିଁ ଏହାକୁ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ନିକଟରେ ଏନ୍‌ସିଡିସିର ଭୁବନେଶ୍ବର ଶାଖା ପ୍ରତିଷ୍ଠା ପାଇଁ ଅନ୍ଧାରୁଆରେ ୩.୧୨୫ ଏକର ଜାଗା ଚିହ୍ନଟ କରାଯାଇଛି। ଏଥିପାଇଁ ଏନ୍‌ସିଡିସିକୁ ମାତ୍ର ୧ଟଙ୍କାରେ ଜାଗା ପ୍ରଦାନ କରାଯାଇଛି। ଜାଗା ହସ୍ତାନ୍ତର ପରେ କେନ୍ଦ୍ରୀୟ ପୂର୍ତ ବିଭାଗ କୋଠା ନିର୍ମାଣ ଆରମ୍ଭ କରିବ। କେତେକ ରାଜ୍ୟରେ ଆସନ୍ତାବର୍ଷ ଜାନୁଆରି ମାସରେ ଏହାକୁ କାର୍ଯ୍ୟକ୍ଷମ କରିବା ଲାଗି ଉଦ୍ୟମ ‌ହୋଇଛି। ମାତ୍ର ଭୁବନେଶ୍ବରରେ ଏହା କାର୍ଯ୍ୟକ୍ଷମ ହେବା ଲାଗି କିଛିମାସ ବିଳମ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି।

ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏନ୍‌ସିଡିର ଏହି ଶାଖା ଅଧୀନରେ ସର୍ଭେଲାନ୍‌ସ ସେଣ୍ଟର୍‌, ଉଚ୍ଚ କ୍ଷମତାସଂପନ୍ନ ଆଞ୍ଚଳିକ ଲାବୋରେଟାରି ନିର୍ମାଣ କରାଯାଉଛି। ମାତ୍ର ଭୁବନେଶ୍ବରରେ ଆରଏମ୍‌ଆରସି ଭଳି ଏକ କେନ୍ଦ୍ରୀୟ ପରୀକ୍ଷଣ ସେଣ୍ଟର୍‌ ରହିଥିବାରୁ ଭୁବନେଶ୍ବରର ଏନ୍‌ସିଡିସି ଶାଖାରେ ଉଚ୍ଚ କ୍ଷମତାସଂପନ୍ନ ଲାବୋରେଟାରି ପ୍ରତିଷ୍ଠା ହେବ ନାହିଁ। ତଥାପି ଏକ ଲାବୋରେଟାରି ରହିବ। ଏହାସହ ଡାଟା ସେଣ୍ଟର ମଧ୍ୟ କାର୍ଯ୍ୟ କରିବ। ଅନ୍ଧାରୁଆରେ ଏନ୍‌ସିଡିସିର ଶାଖା ପାଇଁ ଜାଗା ସଂକ୍ରାନ୍ତୀୟ ଚୂଡ଼ାନ୍ତ ଲିଜ୍ ପାଇଁ ଖୋର୍ଧା ସିଡିଏମ୍‌ଓଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ଏନ୍‌ସିଡିସି ଶାଖା ଓ ସର୍ଭେଲାନ୍‌ସ ସେଣ୍ଟର୍‌କୁ କାର୍ଯ୍ୟକ୍ଷମ କରିବା ଲାଗି ସମସ୍ତ ସହଯୋଗ କରାଯାଉଛି। ଯାହାଫଳରେ ସଂକ୍ରାମକ ରୋଗ ସଂପର୍କିତ ସମସ୍ତ ତଥ୍ୟ ଠିକ୍ ସମୟରେ ମିଳିପାରିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

୨୦ ସହରରେ ହେବାକୁ ଥିବା ମେଟ୍ରୋପଲିଟାନ୍ ସର୍ଭେଲାନ୍‌ସ ସେଣ୍ଟର୍‌ ଗୌହାଟୀ, ଦିଲ୍ଲୀ, ଅହମ୍ମଦାବାଦ, ଚଣ୍ଡିଗଡ଼, ଗୁରୁଗ୍ରାମ, ସିମ୍‌ଲା, ବାଙ୍ଗାଲୋଜର, ଭୋପାଳ, ପୁନେ, ଥାନେ, ମୁମ୍ବାଇ, ନାଗପୁର, ଭୁବନେଶ୍ବର, ଜୟପୁର, ହାଇଦ୍ରାବାଦ, ଚେନ୍ନାଇ, ଲକ୍ଷ୍ମୌ, ଆଗ୍ରା ଓ କୋଲାକାତାରେ ଏହି ସେଣ୍ଟର୍‌ ପ୍ରତିଷ୍ଠା କରାଯିବ।

ସମ୍ବନ୍ଧିତ ଖବର