ବାଲିଅନ୍ତା: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ଗରିବ ଶ୍ରମିକମାନଙ୍କୁ ଠିକ ସମୟରେ ମଜୁରି ମିଳୁନାହିଁ। କାମ କରିବା ପରେ ମାସ ମାସ ଧରି ମଜୁରିକୁ ଅପେକ୍ଷା କରିବାକୁ ପଡ଼ୁଛି। ମଜୁରି ଟଙ୍କାରେ ଘରେ ଚୁଲି ଜଳିବାକୁ ଥିବା ବେଳେ ଏତେ ଦିନ ବାକି ପଡ଼ୁଥିବାରୁ ସ୍ବାଭାବିକ ଭାବେ ଶ୍ରମିକମାନେ ଏହି ଯୋଜନାରୁ ମୁହଁ ଫେରାଇନେଉଛନ୍ତି। ଗ୍ରାମାଞ୍ଚଳର ଗରିବ ଶ୍ରମିକମାନେ ଏହି ଯୋଜନା କାମ କରିବାକୁ ଆଗ୍ରହ କରୁନାହାନ୍ତି। ଫଳରେ ଅନେକ ପ୍ରକଳ୍ପ ଠିକ ସମୟରେ ଶେଷ ହୋଇପାରୁନାହିଁ କିମ୍ବା ଅନେକ ପ୍ରକଳ୍ପ ଅଧାରୁ ବନ୍ଦ ହୋଇଯାଉଛି। ଏମିତି ଅଭିଯୋଗକୁ ନେଇ ବାଲିଅନ୍ତା ବ୍ଲକ୍ ମନରେଗା ସମୀକ୍ଷା ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା। କେନ୍ଦ୍ରୀୟ ଯୋଜନା ହୋଇଥିବାରୁ ଅଧିକାରୀମାନେ କୌଣସି ସନ୍ତୋଷଜନକ ଉତ୍ତର ଦେବାକୁ ସମର୍ଥ ହୋଇନଥିଲେ।
ଗତ ୨୮ ତାରିଖରେ ବ୍ଲକ୍ ସମ୍ମିଳନୀ କକ୍ଷରେ ବିଡିଓ ନାରାୟଣ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ଖଟୁଆ ଉପସ୍ଥିତ ଥିଲେ। ୨୦୨୨/୨୩ ଆର୍ଥିକ ବର୍ଷରେ ଏହି ଯୋଜନାରେ ୧ ଲକ୍ଷ ୫୭ ହଜାର ୩୮୧ ଶ୍ରମ ଦିବସ ସୃଷ୍ଟି ହୋଇଥିବା ଏବଂ ଜବ୍କାର୍ଡଧାରୀଙ୍କୁ ୫ କୋଟି ୬୦ ଲକ୍ଷ ୨୯ ହଜାର ଟଙ୍କାର ଅନୁଦାନ ମିଳିଥିଲା ବୋଲି ତଥ୍ୟ ଉପସ୍ଥାପନ କରାଯାଇଥିଲା। ୫୨୩ ଟି ପ୍ରକଳ୍ପ ମଧ୍ୟରୁ ୩୪୦ ପ୍ରକଳ୍ପ ସରିଥିବା ବେଳେ ଅବଶିଷ୍ଟ ୧୮୩ ପ୍ରକଳ୍ପ ମଧ୍ୟରୁ ବହୁ ପ୍ରକଳ୍ପ ଅଧପନ୍ତରିଆ ଓ କିଛି ପ୍ରକଳ୍ପ ଆଦୌ ଆରମ୍ଭ ହୋଇନାହିଁ ବୋଲି ଅଧିକାରୀମାନେ ତଥ୍ୟ ରଖିଥିଲେ। ତେବେ ଏହି ସମୟରେ ସରକଣା ସରପଞ୍ଚ ବିଷ୍ଣୁପ୍ରିୟା ସାହୁ ଶ୍ରମିକଙ୍କ ମଜୁରି ପ୍ରଦାନ ସମୟକୁ ନେଇ ଆପତ୍ତି ଉଠାଇଥିଲେ।
ଜବକାର୍ଡଧାରୀଙ୍କୁ ଦୈନିକ ମଜୁରି ମାତ୍ର ୨୩୭ ମିଳୁଛି। ଚାଷ କାମରେ ୩ ଶହ ଟଙ୍କାରୁ ଅଧିକ ମଜୁରି ମିଳୁଥିବା ବେଳେ ମନରେଗାରେ ମାଟି ହାଣି ବୁହାଇ ମାତ୍ର ୨୩୭ ଟଙ୍କା ମିଳୁଛି। ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ହୋଇଥିବା ବେଳେ ବିଚରା ଗରିବ ଶ୍ରମିକମାନେ କମ୍ ମଜୁରି ହେଲେ ବି ବାଧ୍ୟହୋଇ ଖରାତରାରେ ଖଟୁଛନ୍ତି। କିନ୍ତୁ ସପ୍ତାହକ ଭିତରେ ମିଳିବାକୁ ଥିବା ମଜୁରି ମାସେ ଦି’ମାସ ଯାଏ ମିଳୁନି। ତେଣୁ ଶ୍ରମିକମାନେ କାମ କରିବାକୁ ରାଜି ହେଉନାହାନ୍ତି ଏବଂ ପ୍ରକଳ୍ପ କାମ ସରିପାରୁନାହିଁ ଏବଂ ମନରେଗା ଯୋଜନା ଫଳପ୍ରଦ ହୋଇପାରୁନାହିଁ। ଉଲ୍ଲେଖଯୋଗ୍ୟ ଯେ ଏହି ବ୍ଲକ୍ରେ ମନରେଗା ଅର୍ଥରେ ବିଭିନ୍ନ ପଞ୍ଚାୟତରେ ଶ୍ମଶାନ, ମୋ’ ବଗିଚା, ନୂତନ ପୋଖରୀ ଖନନ, ପୋଖରୀ ପୁନରୁଦ୍ଧାର କାର୍ଯ୍ୟ, ଚକନାଳି ଖନନ କାର୍ଯ୍ୟ ଅଧାରେ ଲଟକିଛି। ଏକାଧିକ ସ୍ଥାନରେ କଚ୍ଚାରାସ୍ତା ନିର୍ମାଣ କାର୍ଯ୍ୟ ହୋଇନାହିଁ। ଏହି ବୈଠକରେ ସମସ୍ତ ପଞ୍ଚାୟତର ଜନପ୍ରତିନିଧି, ଜିଆର୍ଏସ୍ମାନେ ଉପସ୍ଥିତ ଥିଲେ।