ସିଲ୍ ଅଞ୍ଚଳ‌ ବାହାରକୁ ଛାଡ଼ିଲାନି ପୁଲିସ : ମଧ୍ୟାହ୍ନ ଭୋଜନ ଚାଉଳ ପାଇଲେନି ଛାତ୍ରୀ

ଭୁବନେଶ୍ବର : ସ୍କୁଲ ବନ୍ଦ ଥିଲେ ହେଁ ଛାତ୍ରଛାତ୍ରୀଙ୍କର ଯେପରି ଖାଇବାରେ କିଛି ଅସୁବିଧା ହେବନି, ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଚାଉଳ ଯୋଗାଇ ଦିଆଯାଉଛି। ସ୍କୁଲର ପ୍ରଧାନଶିକ୍ଷକ ଅଭିଭାବକଙ୍କୁ ଟୋକନ୍‌ ଦେଇଥିବା ବେଳେ ସେମାନେ ଯେଉଁଠି ପିଡିଏସ୍‌ ସାମଗ୍ରୀ ମିଳୁଛି, ସେଠାରେ ଟୋକନ୍ ଦେଖାଇ ଚାଉଳ ସଂଗ୍ରହ କରିବାକୁ କୁହାଯାଇଛି। ହେଲେ ଆଜି ବମିଖାଲ ଅଞ୍ଚଳର ଦୁଇଜଣ ଛାତ୍ରୀ ମଧ୍ୟାହ୍ନ ଭୋଜନ ଚାଉଳ ପାଇ ପାରିନାହାନ୍ତି। ପୁଲିସ ସିଲ୍‌ ଅଞ୍ଚଳ ବାହାରକୁ ନଛାଡ଼ିବାରୁ ସେମାନେ ଚାଉଳ ପାଇନଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ବମିଖାଲର ଦେବରାଜ ନୋଡାଲ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଜ୍ୟୋତି ସାହୁ ଓ ୭ମ ଶ୍ରେଣୀରେ ପଢ଼ୁଥିବା ପ୍ରୀତି ସାହୁ ଟୋକନ୍ ନେଇ ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ଯାଇଥିଲେ ହେଁ ପୁଲିସ ତାଙ୍କୁ ବାହାରକୁ ଛାଡ଼ିନଥିଲା। ଜ୍ୟୋତି ଓ ପ୍ରୀତି ଦୁଇ ଭଉଣୀ ହୋଇଥିବା ବେଳେ ସେମାନେ ତାଙ୍କ ମା’ ପୁଷ୍ପାଞ୍ଜଳି ସାହୁଙ୍କ ସହ ସହିଦନଗରସ୍ଥିତ ପିଡିଏସ୍‌ କେନ୍ଦ୍ରକୁ ଚାଉଳ ପାଇଁ ‌ଯାଉଥିଲେ। ହେଲେ ପୁଲିସ ଅଟକାଇଥିଲା। ସେମାନେ ପାଖରେ ଥିବା ଟୋକନ୍ ଓ ସ୍କୁଲ ପରିଚୟପତ୍ର ଦେଖାଇଥିଲେ ବି ପୁଲିସ ଶୁଣିନଥିଲା। କୌଣସି ପରିସ୍ଥିତିରେ ବି ବାହାରକୁ ଛଡ଼ାଯିବନି ବୋଲି ପୁଲିସ କର୍ମଚାରୀ କହିବା ପରେ ମା’, ଝିଅ ଘରକୁ ଫେରିଥିଲେ। ବମିଖାଲ ଲୋକ ସହିଦନଗରକୁ ପିଡିଏସ୍‌ ସାମଗ୍ରୀ ନେବାକୁ ଯାଉଥିବାରୁ ଏହି ସମସ୍ୟା ଉପୁଜୁଛି। ଏହା ବିଏମ୍‌ସି କର୍ତ୍ତୃପକ୍ଷ ଜାଣି ବି କିଛି ପଦକ୍ଷେପ ନେଉନାହାନ୍ତି। ଫଳରେ ଜ୍ୟୋତି ଓ ପ୍ରୀତିଙ୍କ ଭଳି ବମିଖାଲ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ବାବଦକୁ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର