ରାତିଅଧିଆ ଉଚ୍ଛେଦ : ମାଟିରେ ମିଶିଲା ଶିବତୀର୍ଥ ମଠ

ଇତିହାସ ହୋଇଯିବ ୯ଶହ ବର୍ଷର ମଠ!

ଭୁବନେଶ୍ବର : ଏକାମ୍ର ଯୋଜନା ବାହାନାରେ ରାଜ୍ୟ ସରକାର ପ୍ରାଚୀନ ମଠ ସବୁକୁ ଭାଙ୍ଗି ମାଟିରେ ମିଶାଇବାରେ ଲାଗିଛନ୍ତି। ପୁଣି ରାତିଅଧିଆ ଉଚ୍ଛେଦ କରାଯାଉଛି। କଳାପାହାଡ଼ ଆକ୍ରମଣଠାରୁ ଏହା କୌଣସି ଗୁଣରେ କମ୍ ନୁହେଁ। ଯେଉଁ ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ପାଇଁ ଏହି ପ୍ରକଳ୍ପ କରାଯାଉଛି, ସେହି ମନ୍ଦିର ସହ ଭାବଗତ ଭାବେ ଶହ ଶହ ବର୍ଷ ଧରି ଯୋଡ଼ି ହୋଇ ରହିଥିବା ମଠକୁ ମାଟିରେ ମିଶାଇ ଦିଆଯାଉଛି। ଲୋକଙ୍କ ଆବେଗ ସହ ମଠ ସବୁ ଜଡ଼ିତ ରହିଥିବାରୁ ଦିନରେ ଭାଙ୍ଗିଲେ ପ୍ରତିବାଦ ହେବା ଭୟରେ ରାତି ଅଧରେ ଭଙ୍ଗା ଯାଇଛି। ପୁଣି ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଉଲ୍ଲଘଂନ କରି ମଠକୁ ଧ୍ବଂସ କରାଯାଉଛି। ଏହାକୁ କୌଣସି ସ୍ଥିତିରେ ବି ବରଦାସ୍ତ କରାଯିବ ନାହିଁ। ଏଥିପାଇଁ ସଂଗ୍ରାମ ଜାରି ରହିବ ଓ ଦରକାର ପଡ଼ିଲେ କୋର୍ଟରେ ମଧ୍ୟ ଲଢ଼େଇ ହେବ। ଗତରାତିରେ ଶିବତୀର୍ଥ ମଠ ଭଙ୍ଗା ଯିବା ପ୍ରତିବାଦରେ ଆଜି ଏକାମ୍ର ଜାଗରଣ ମଞ୍ଚ ପକ୍ଷରୁ ହୋଇଥିବା ଦେବୋତ୍ତର କାର୍ଯ୍ୟାଳୟ ଘେରାଉ ଅବସରରେ ଏଭଳି ମତ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଶିବତୀର୍ଥ ମଠ ୯ ଶହ ବର୍ଷର ପୁରୁଣା। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିଭିନ୍ନ ସେବା ସହ ଏହି ମଠ ଜଡ଼ିତ। ରୁକୁଣା ରଥଯାତ୍ରା ବେଳେ ଏହି ମଠ ପକ୍ଷରୁ ସ୍ବତନ୍ତ୍ର ଭୋଗ ଲାଗି କରାଯାଏ। ସେହିପରି ଦୋଳ ପୂର୍ଣ୍ଣିମାରେ ଏଠାରୁ ଲିଙ୍ଗରାଜଙ୍କ ପାଇଁ ପୂଜା ସାମଗ୍ରୀ ଯୋଗାଇ ଦିଆଯାଏ। ଚନ୍ଦନଯାତ୍ରାର ଶେଷ ଦିନରେ ଠାକୁରଙ୍କୁ ଏହି ମଠ ପକ୍ଷରୁ ଭୋଗ ଲାଗି କରାଯାଏ। ବହୁ ବର୍ଷ ଧରି ଦେବୋତ୍ତର ବିଭାଗ ଅଧୀନରେ ଥିବା ଏହି ମଠ ଏବେ ଶ୍ରୀଲିଙ୍ଗରାଜ ପ୍ରଶାସନ ହାତରେ ନ୍ୟସ୍ତ କରାଯାଇଛି। ତେବେ ଏକାମ୍ର ଯୋଜନାରେ ଚାଲିଥିବା ଉଚ୍ଛେଦ ସମୟରେ ଏହି ମଠର କିଛି ଅଂଶ ଭଙ୍ଗା ଯାଇଥିଲା। ଲୋକେ ବିରୋଧ କରିବାରୁ ଏହାର ମୁଖ୍ୟ ଗାଦି ବା ମନ୍ଦିରକୁ ସୁରକ୍ଷିତ ରଖାଯିବ ବୋଲି କୁହାଯାଇଥିଲା। ମାତ୍ର ଗତକାଲି ରାତିରେ ଏହି ମଠକୁ ପୂରା ମାଟିରେ ମିଶାଇ ଦିଆଯାଇଛି। ଆଜି ସକାଳୁ ଏହା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ୯ ଶହ ବର୍ଷର ମଠକୁ ଏମିତି ଲୁଚା ଛପାରେ ଭାଙ୍ଗି ଦିଆଯାଇଥିବାରୁ ଲୋକେ ଭୀଷଣ ପ୍ରତିକ୍ରିୟା ପ୍ରଦର୍ଶନ କରିଥିଲେ। ଏତେ ସୁନ୍ଦର ମଠ ଇତିହାସ ହୋଇଗଲା ବୋଲି କ୍ଷୋଭ ପ୍ରକାଶ କରିଥିଲେ। ଏକାମ୍ର ଜାଗରଣ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଥିଲା। ଶତାଧିକ ବିକ୍ଷୋଭକାରୀ ଦେବୋତ୍ତର କାର୍ଯ୍ୟାଳୟ ଘେରାଉ କରିଥିଲେ। ବିଏମ୍‌ସିର ଏଭଳି ରାତିଅଧିଆ କାର୍ଯ୍ୟକୁ ବିକ୍ଷୋଭକାରୀମାନେ କଟୁ ଭାଷାରେ ନିନ୍ଦା କରିଥିଲେ। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଆଇନଗତ ଲଢ଼େଇ ପାଇଁ ଚେତାବନୀ ଦିଆଯାଇଥିଲା।

ଏ ନେଇ ଅତିରିକ୍ତ କମିସନର କମଲଜିତ୍ ସିଂହଙ୍କ କହିବା କଥା, ମଠକୁ ଜବରଦଖଲମୁକ୍ତ କରିବାକୁ ଭଙ୍ଗାଯାଇଛି। ମଠର ଗାଦି ବା ମୁଖ୍ୟ ମନ୍ଦିରକୁ ପୁଣି ଥରେ ସୁନ୍ଦର କରି ଗଢ଼ିବା ପାଇଁ ଯୋଜନା କରାଯାଇଛି। ଏମିତିକି ପୂର୍ବରୁ ଶ୍ରୀଲିଙ୍ଗରାଜଙ୍କ ସେବାରେ ମଠର ଯେଉଁ ସମ୍ପୃକ୍ତି ଥିଲା, ସେହି ପରମ୍ପରା ହିଁ ବଜାୟ ରହିବ। ଏକାମ୍ର ଯୋଜନାରେ ଏହି ପ୍ରାଚୀନ ମଠର ସୌନ୍ଦର୍ଯ୍ୟୀକରଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର