ଏସ୍‌ସିବିରେ ଅଧରାତିରେ ସାଢେ ୩ ଘଣ୍ଟାର ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ତ୍ରିଲୋଚନ

ଛାତିରେ ପଶି ଯାଇଥିଲା ୨୫ ଇଞ୍ଚ୍‌ର ଦା’

କଟକ: ବିଳମ୍ବିତ ରାତିରେ ହେଲା ସାଢ଼େ ୩ ଘଣ୍ଟାର ଅସ୍ତ୍ରୋପଚାର। ମିଳିଲା ୮ ଘଣ୍ଟାର ଯନ୍ତ୍ରଣାରୁ ମୁକ୍ତି। ୨୦/୨୫ଇଞ୍ଚ ଗଭୀରରେ ପଶିଥିବା ଲୁହାର ଦା’କୁ ଛାତିରୁ ଅସ୍ତ୍ରୋପଚାର କରି କଢ଼ାଗଲା। ଏହି ପ୍ରକ୍ରିୟାରେ ନୂଆ ଜୀବନ ପାଇଛନ୍ତି ଢେଙ୍କାନାଳ ଜିଲ୍ଲାର ତ୍ରିଲୋଚନ ବେହେରା(୪୫)। ଏଭଳି ଏକ ସଫଳ ଅସ୍ତ୍ରୋପଚାର କଟକ ବଡ଼ ଡାକ୍ତରଖାନା ହୃଦ୍‌ବକ୍ଷ ଶଲ୍ୟ ବିଭାଗରେ କରାଯାଇଛି। ଅସ୍ତ୍ରୋପଚାର ପରେ ତ୍ରିଲୋଚନ ସୁସ୍ଥ ଥିବା ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ବାଇସିଂଘା ଗ୍ରାମର ତ୍ରିଲୋଚନ ଶନିବାର ଅପରାହ୍‌ଣରେ ପ୍ରାୟ ୩ଟାରେ ଘର ଛାତ ଉପରେ କାମ କରୁଥିବା ବେଳେ ତଳକୁ ଖସି ପଡ଼ିଥିଲେ। ତଳେ ଘାସ କଟାଯିବା ପାଇଁ ପଡ଼ିଥିବା ଏକ ଲୁହା ଦା’ ତାଙ୍କ ଗଳାରେ ପଶି ଯାଇଥିଲା। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଢେଙ୍କାନାଳ, ତା’ ପରେ କଟକ ବଡ଼ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ଅଣାଯାଇଥିଲା। ଏସ୍‌ସିବି କାଜୁଆଲିଟିରେ ଭର୍ତ୍ତି ହେବା ପରେ ଏହି ଲୁହାର ଦା’ ଛାତିରେ ପଶିଥିବା ଜଣାପଡ଼ିଥିଲା। ଫଳରେ ତାଙ୍କୁ ଜରୁରୀ ଅସ୍ତ୍ରୋପଚାର ପାଇଁ ହୃଦ୍‌ବକ୍ଷ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ରାତି ପ୍ରାୟ ୧୧ଟାରେ ହୃଦ୍‌ବକ୍ଷ ଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର୍‌ ଡାକ୍ତର ମନୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ୩ଜଣିଆ ଡାକ୍ତରୀ ଦଳ ତାଙ୍କର ଅସ୍ତ୍ରୋପଚାର କରିଥିଲେ। ତାଙ୍କର ଗୋଡ଼ରୁ ଏକ ରକ୍ତ ନଳି (ଇଣ୍ଟର ପୋଜିସନ୍‌ ଭେନ୍‌ ଗ୍ରାଫ୍ଟ) ନିଆଯାଇ ଛାତିରେ ହୋଇଥିବା କ୍ଷତକୁ ଭରଣା କରାଯାଇଥିଲା। ପଶିଥିବା ଲୁହା ଦା’ ୨୦/୨୫ଇଞ୍ଚର ଗଭୀରକୁ ପଶିଥିବା ଅସ୍ତ୍ରୋପଚାର ସମୟରେ ଜଣାପଡ଼ିଥିଲା। ଲୁହା ଦା’ ତ୍ରିଲୋଚନଙ୍କ ଗଳା ଦେଇ ବାମପଟ ଛାତିର ହୃତ୍‌ପିଣ୍ଡ ପାଖରେ ଥିବା ବୃହତ୍‌ ଧମନୀ ଦେଇ ଫୁସଫୁସରେ ପଶି ଯାଇଥିଲା। ପାଖାପାଖି ସାଢ଼େ ୩ ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ ୩୫ଇଞ୍ଚ ଦା’କୁ କଢ଼ା ଯାଇଥିଲା। ସେ ସୁସ୍ଥ ଥିବା ବେଳେ ତାଙ୍କୁ ଆଇସିୟୁରେ ରଖାଯାଇଛି। ଏହି ଅସ୍ତ୍ରୋପଚାର ଟିମ୍‌ରେ ଡାକ୍ତର ସାରଦା, ଡାକ୍ତର ଚିତ୍ତ ଓ ଡାକ୍ତର ଅଭିଷେକଙ୍କ ସହ ଷ୍ଟାଫ୍‌ ନର୍ସ ଶୁଭଶ୍ରୀ ଓ ସଙ୍ଗୀତା ସାମିଲ ହୋଇଥିଲେ। ଏହା ପୂର୍ବରୁ କେନ୍ଦୁଝରର ୪ଜଣ ରୋଗୀଙ୍କ ଛାତରୁ ବାଉଁଶ ଖୁଣ୍ଟା, ଲୁହାରଡ୍‌ ଓ ଧନୁତୀର ସବୁ ଏହି ବିଭାଗରେ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଛି ଓ ସମସ୍ତେ ମଧ୍ୟ ସୁସ୍ଥ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର