ଦାଦନ ରୋକିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ : ୫ ରାଜ୍ୟରେ ଖୋଲିଲା ହେଲପ୍‌ ଡେକ୍ସ

୧୧ଟି ଜିଲ୍ଲାକୁ ସମ୍ପ୍ରସାରିତ ହେବ ସମନ୍ଵିତ କାର୍ଯ୍ୟ ପ୍ରଣାଳୀ

ଭୁବନେଶ୍ୱର : ବିଭିନ୍ନ ପରିସ୍ଥିତିରେ କାମ କରୁଥିବା ଦାଦନଙ୍କୁ ଉଦ୍ଧାର ଲାଗି ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଦିଲ୍ଲୀରେ ହେଲପ୍‌ ଡେକ୍ସ ପ୍ରତିଷ୍ଠା ହୋଇଛି। ବଲାଙ୍ଗୀର ଓ ନୂଆପଡ଼ାର ଦାଦନ ବହୁଳ ୩୦ଟି ପଞ୍ଚାୟତ ପାଇଁ ସମନ୍ଵିତ କାର୍ଯ୍ୟ ପ୍ରଣାଳୀ ଗ୍ରହଣ କରାଯାଇଛି। ଏହି କାର୍ଯ୍ୟ ପ୍ରଣାଳୀକୁ ଆଉ ୧୧ଟି ଜିଲ୍ଲାକୁ ସମ୍ପ୍ରସାରଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।

ଲେବର ଓ ଇଏସ୍‌ଆଇ ବିଭାଗ ପକ୍ଷରୁ ହୋଟେଲ ମେ’ ଫେୟାରରେ ଆଜି ଆୟୋଜିତ ‘ସେଫ୍‌ଟି ଆଣ୍ଡ େଓ୍ଵଲଫେୟାର ଅଫ୍‌ ଇଣ୍ଟର-ଷ୍ଟେଟ୍‌ ମାଇଗ୍ରାଣ୍ଟ ଓ୍ଵାର୍କମେନ୍‌ ଇନ୍‌ ଓଡ଼ିଶା’ ଶୀର୍ଷକ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପାଢ଼ୀ ଏହା କହିଛନ୍ତି। ସେ ଆହୁରି କହିଲେ, ଦାଦନ ପରିବାରର ଯତ୍ନ ଓ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଦାଦନପ୍ରବଣ ଜିଲ୍ଲାଗୁଡ଼ିକ ପାଇଁ ୨୦୧୪-୧୫ରୁ ୨୦୧୭-୧୮ ପର୍ଯ୍ୟନ୍ତ ହୋଇଥିବା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପ୍ରଣାଳୀକୁ ଆଧାର କରି ୨୦୨୦ ଯାଏ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ପ୍ରଣାଳୀ ପ୍ରସ୍ତୁତ କରାଯିବ। ଅଧିକ ପରିମାଣର ଯୁବପିଢ଼ି ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ମୁମ୍ବଇ, ବେଙ୍ଗାଲୁର ସମେତ ଦେଶର ପ୍ରମୁଖ ସହରରେ ଥିବା କାଫେ କଫି ଡେ’ରେ ସେମାନେ କାର୍ଯ୍ୟ କରୁଛନ୍ତି। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଶେଷକରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଲୋକେ ଅଧିକ ଦାଦନ ଖଟିବାକୁ ଯାଉଥିବା ନଜରକୁ ଆସିଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଏସ୍‌ସି ଓ ଏସ୍‌ଟି ବିଭାଗ, ଯୋଗାଣ ବିଭାଗ, କୃଷି ବିଭାଗ ସେମାନଙ୍କ ବଜେଟରେ ଦାଦନଙ୍କ ଲାଗି ବ୍ୟୟବରାଦ କରିଛନ୍ତି।

ଲେବର ଆଣ୍ଡ ଇଏସ୍‌ଆଇ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦାଦନ ପରିବାରର ପିଲାଙ୍କ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବା କହିଥିଲେ। ଶ୍ରମ କମିସନର ସଚିନ୍‌ ଯାଦବ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ଖୋର୍ଧା ଜିଲ୍ଲାକୁ ଦାଦନ ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି। ଉକ୍ତ ଜିଲ୍ଲାଗୁଡ଼ିକର ୧୩୦୯ ପଞ୍ଚାୟତ ଲାଗି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଦାଦନଙ୍କ ପଞ୍ଜୀକରଣ, ସେମାନଙ୍କ ଉଦ୍ଧାର ଲାଗି ଶ୍ରମ ନିର୍ଦେଶାଳୟ ପକ୍ଷରୁ ଦୁଇଟି ଟୋଲ ଫ୍ରି’ ନମ୍ବର ଜାରି କରାଯାଇ ସହାୟତା ଯୋଗାଇ ଦିଆଯାଉଛି। ଓଡ଼ିଶା ଭିତରେ ଓ ବାହାର ଲାଗି ଅଲଗା ଅଲଗା ନମ୍ବର ରହିଛି। ଦାଦନ ପ୍ରବଣ ପଞ୍ଚାୟତରେ ୨୦୬ଟି ସିଜୋନାଲ ହଷ୍ଟେଲ ପ୍ରତିଷ୍ଠା କରାଯାଇ ୯ ହଜାର ଛାତ୍ରଛାତ୍ରୀଙ୍କୁ ସେଠାରେ ଶିକ୍ଷା ପ୍ରଦାନ କରାଯାଉଛି।

ଏହି ଅବସରରେ କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ମାଡ୍ରାସରେ ଥିବା ଓଡ଼ିଆ ଆସୋସିଏସନ ସହ ବିଭାଗ ପକ୍ଷରୁ ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ଦାଦନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇ ପାରିବ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ଟାଟା ଟ୍ରଷ୍ଟର ପୋଗ୍ରାମ ଡିଜାଇନ୍‌ ନିର୍ଦେଶକ ନୟନତାରା ସାବାଭାଲା, ଟାଟା ଟ୍ରଷ୍ଟର ଆଞ୍ଚଳିକ ନିର୍ଦେଶକ ଜିତେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର