ଭୁବନେଶ୍ବର : ନଗର ଉନ୍ନୟନ ବିଭାଗ କହୁଛି ଯେ, ଲକ୍ଡାଉନ୍ ସମୟରେ ୯ଲକ୍ଷରୁ ଅଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆସରିଲାଣି। ବାହାରେ ରାଜ୍ୟରେ ଓଡ଼ିଆ ଶ୍ରମିକମାନେ ଖାଇବାକୁ ପାଉ ନ ଥିବାରୁ ଓଡ଼ିଶା ସରକାର ସେମାନଙ୍କୁ ଖାଦ୍ୟ ଯୋଗାଇବାକୁ ବିଭିନ୍ନ ରାଜ୍ୟର ସରକାରଙ୍କୁ ଅନୁରୋଧ କରୁଛନ୍ତି। ହେଲେ ରାଜଧାନୀରେ ବହୁ ଅଣଓଡ଼ିଆ (ବାହାର ରାଜ୍ୟର) ଶ୍ରମିକ ଖାଇବାକୁ ଯେ ପାଉନାହାନ୍ତି ସେଥିପ୍ରତି ନଜର ନାହିଁ। ରାଜଧାନୀରେ ଲୋକଙ୍କୁ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ଠିକ୍ ଭାବେ ମିଳିବ, ସମସ୍ତଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ମିଳିବ, ଲକ୍ଡାଉନ୍ ଯୋଗୁ ଯେପରି କେହି ଭୋକରେ ରହିବେନି ତାର ତଦାରଖ ପାଇଁ ୬ଜଣ ଆଇଏଏସ୍ ଅଧିକାରୀଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ବିଏମ୍ସି କମିସନରଙ୍କ ସମେତ ୧୦ରୁ ଅଧିକ ଓଏଏସ୍ ଅଧିକାରୀ ରାଜଧାନୀବାସୀଙ୍କ ପାଇଁ କାମ କରୁଛନ୍ତି। ହେଲେ ବିଏମ୍ସି କାର୍ଯ୍ୟାଳୟ ଠାରୁ ମାତ୍ର ୪କିମି ଦୂରରେ ଶତାଧିକ ବିହାରୀ ଶ୍ରମିକ ଖାଇବାକୁ ନପାଇ ଭୋକରେ ଆଉଟୁପାଉଟୁ ହେଉଥିବା କଥା କାହାରିକୁ ଆନ୍ଦୋଳିତ କରୁନି। ୱାର୍ଡ ୪୩ର ଲକ୍ଷ୍ମୀସାଗରସ୍ଥିତ ଖାନ୍ ଚିକେନ ସେଣ୍ଟର ଗଳିରେ ଥିବା ପାନବରଜ ବସ୍ତିରେ ଏବେ ଶତାଧିକ ବିହାରୀ ଶ୍ରମିକ ଖାଇବାକୁ ପାଉନାହାନ୍ତି। ଏଠାରେ ୩୦ରୁ ଅଧିକ ଛୋଟ ପିଲା ଥିବାରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବି ବିଗିଡ଼ିଲାଣି। ସ୍ଥାନୀୟ ଅଞ୍ଚଳର କିଛି ସ୍ବେଚ୍ଛାସେବୀ କିଛି ଦିନ ହେଲା ଖାଇବାକୁ ଦେଉଥିଲେ ହେଁ ୧୦୦ଜଣ ଲୋକଙ୍କୁ ସବୁ ଦିନ ଖାଇବାକୁ ଦେବା ସମ୍ଭବ ହେଉନି। ଏପରିକି ଏନେଇ ସ୍ବେଚ୍ଛାସେବୀମାନେ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଜଣାଇଲେ ବି କିଛି ଫରକ ପଡ଼ୁନି। ସମ୍ବାଦ ତରଫରୁ ବିଏମ୍ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଯାହା ପ୍ରତିଶ୍ରୁତି ମିଳିଥିଲା, ତାହା ମିଥ୍ୟା ପ୍ରମାଣିତ ହୋଇଛି। ବିଏମ୍ସି କର୍ତ୍ତୃପକ୍ଷ ଗତ ତିନି ଦିନ ହେଲା ଜାଣିଥିଲେ ହେଁ ଆଜି ପର୍ଯ୍ୟନ୍ତ ସେମାନଙ୍କ ପାଖରେ ଖାଦ୍ୟ ପହଞ୍ଚାଇ ପାରୁନାହାନ୍ତି। କାହାକୁ ଭୋକରେ ନରଖିବାକୁ ରାଜ୍ୟ ସରକାର ବିଏମ୍ସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ହେଁ ବିଏମ୍ସି ଅଧିକାରୀମାନେ ଏହାକୁ ମାନୁନାହାନ୍ତି। ଲକ୍ଡାଉନ୍ ଆରମ୍ଭ ହେବାର ପ୍ରଥମ ସପ୍ତାହରେ ଗୋଟିଏ ଦୁଇଟି ସ୍ଥାନରେ ଅଣଓଡ଼ିଆ ଶ୍ରମିକକୁ କିଛି ଖାଦ୍ୟପୁଡ଼ିଆ ଦେଇ ଫଟୋ ଉଠାଇ ନିଜର ପ୍ରଚାର କଲେ। ଏହାପରେ ସେମାନଙ୍କ କଥା ଭୁଲିଗଲେ। ଯେଉଁଥି ପାଇଁ ଶତାଧିକ ବିହାରୀ ଶ୍ରମିକ ଏବେ ଓଳିଏ ଖାଇଲେ ଆର ଓଳିକୁ ଉପାସ ରହୁଛନ୍ତି।
ଟୁଇଟ୍ କରି ଡିଲିଟ୍ କଲା ନଗର ଉନ୍ନୟନ ବିଭାଗ
ଭୁବନେଶ୍ବର : ଲକଡାଉନ୍ ପାଇଁ ବହୁ ଲୋକ ଅସୁବିଧାରେ ଅଛନ୍ତି। ଏ ସମୟରେ ଜଣେ ବି ଲୋକ ଯେପରି ଭୋକିଲା ନ ରହିବ, ସେଥିପାଇଁ ସମସ୍ତ ସହରାଞ୍ଚଳରେ ୯ ଲକ୍ଷ ଲୋକଙ୍କୁ ଖାଦ୍ୟ ବଣ୍ଟା ସରିଲାଣି। ଏଭଳି ଟୁଇଟ୍ ଆଜି ନଗର ଉନ୍ନୟନ ବିଭାଗ କରିଥିଲା। ହେଲେ ଏହି ଟୁଇଟ୍ରେ ଯେଉଁ ଫଟୋ ବ୍ୟବହାର କରାଯାଇଥିଲା, ତାହାକୁ ନେଇ ବିବାଦ ହେବାରୁ ବିଭାଗ ପକ୍ଷରୁ ଫଟୋ ଦୁଇଟିକୁ ହଟାଇ ଦିଆଯାଇଛି। ଏହି ଟୁଇଟ୍ରେ ୪ଟି ଫଟୋ ଥିବା ବେଳେ ଏଥିରେ ଦୁଇଟି ଫଟୋରେ ଦୁଇଜଣ ବୟସ୍କ ଲୋକ ଅଟୋ ପଛପଟୁ ଖାଦ୍ୟ ନେଉଥିବା ଦେଖିବାକୁ ମିଳିଛି। ଆଉ ଗୋଟିଏ ଫଟୋରେ ଜଣେ ଅସହାୟଙ୍କ ଘରେ ଖାଦ୍ୟ ଦିଆଯାଉଛି। ଚତୁର୍ଥ ଫଟୋଟିରେ ଜଣେ ବ୍ୟକ୍ତି ଅଳିଆ ଗଦାରେ ବସିଥିବା ବେଳେ ସେହି ଠାରେ ହିଁ ତାଙ୍କୁ ଖାଇବାକୁ ଦିଆଯାଉଛି। ବର୍ତ୍ତମାନ ସ୍ଥିତିରେ ଏଭଳି ଚିତ୍ର ପାଇଁ ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଫଟୋଗୁଡ଼ିକୁ ନଗର ଉନ୍ନୟନ ବିଭାଗ ଟୁଇଟ୍ରୁ ପ୍ରତ୍ୟାହାର କରିନେଇଛି। ହେଲେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଷ୍ଟେ ହୋମ୍, ଷ୍ଟେ ସେଫ୍ କହୁଥିଲେ ହେଁ ଏହି ଲୋକଙ୍କୁ କ’ଣ ଘରେ ରଖି ହେବନି? ଦ୍ବିତୀୟରେ ଯେଉଁ ଲୋକ ଅଳିଆ ଗଦାରେ ଖାଉଛି, ସେ କେତେଥର ସାବୁନ୍, ସାନିଟାଇଜର୍ କି ଖାଲି ପାଣିରେ ହିଁ ହାତ ଧୋଉଛି? ତୃତୀୟରେ ଯିଏ ଖାଦ୍ୟ ଦେଲା ସେ କ’ଣ ଅଳିଆ ଗଦାରୁ ଲୋକଟିକୁ ଉଠାଇ ଖାଇବାକୁ ଦେଇପାରି ନ ଥାନ୍ତା?