ଚାଲି ଚାଲି ଘରମୁହାଁ ମଧ୍ୟପ୍ରଦେଶ ଶ୍ରମିକ, ଠିକାଦାର ପାଖକୁ ଫେରାଇ ନେଲା ପୁଲିସ

ଭୁବନେଶ୍ବର : ଶୁକ୍ରବାର ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥ ବରମୁଣ୍ଡା ଓଭରବ୍ରିଜ୍ ଉପରୁ ଘରମୁହାଁ ହୋଇଥିବା ମଧ୍ୟପ୍ରଦେଶର ୩୦ଶ୍ରମିକଙ୍କୁ ଖଣ୍ଡଗିରି ଥାନା ପୁଲିସ ଉଦ୍ଧାର କରିଛି। ସେମାନଙ୍କ ଅନିଚ୍ଛା ସତ୍ତ୍ବେ ପୁଲିସ ସେମାନଙ୍କୁ ପୁଣି କାମ କରାଉଥିବା ଠିକାସଂସ୍ଥାକୁ ହସ୍ତାନ୍ତର କରିଛି। ଉକ୍ତ ଠିକାସଂସ୍ଥା ଆଗକୁ ଏହି ଶ୍ରମିକମାନଙ୍କ ଖାଇବା ପିଇବା ଓ ରହିବାରେ କୌଣସି ସମସ୍ୟା ନ କରିବା ପାଇଁ ପୁଲିସ ତାଗିଦ୍‌ କରିଛି। ଆଜି ରାତି ପ୍ରାୟ ସାଢ଼େ ୭ଟା ବେଳେ ବରମୁଣ୍ଡା ଓଭରବ୍ରିଜ୍‌ ଉପରେ ଧାଡ଼ିବାନ୍ଧି ଏହି ଶ୍ରମିକମାନେ ଚାଲିଥିଲେ। ପିଲାଛୁଆଙ୍କୁ ମିଶାଇ ପ୍ରାୟ ୩୦ଜଣ ଲୋକ ବାଣୀବିହାର ଦିଗରେ ମାଡ଼ି ଚାଲିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପିସିଆର୍ ସେଠାରେ ପହଞ୍ଚିଥିଲା ଓ ସେମାନଙ୍କୁ ଅଟକାଇଥିଲା।

ଖବର ନେବାରେ ଜଣାପଡ଼ିଥିଲା ଯେ କଳିଙ୍ଗନଗରସ୍ଥିତ ଏକ ବଡ଼ ନିର୍ମାଣ ପ୍ରକଳ୍ପରେ ମଧ୍ୟପ୍ରଦେଶର ଏହି ଶ୍ରମିକମାନେ ନିୟୋଜିତ ହୋଇଥିଲେ। କିନ୍ତୁ ମହାମାରୀ କୋଭିଡ୍-୧୯ ପାଇଁ ତାଲାବନ୍ଦ ଲାଗୁ ହେବା ପରଠାରୁ ଏହି ଶ୍ରମିକମାନେ ବେରାଜଗାର ହୋଇ ପଡ଼ିଥିଲେ। କାମ ବନ୍ଦ ହେବା ପରେ ସେମାନେ ଘରକୁ ଫେରିବା ପାଇଁ ଠିକାଦାରକୁ କହିବା ସହ ତାଙ୍କ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ମଧ୍ୟ ଜଣାଇଥିଲେ। ମାତ୍ର କିଛି ଲାଭ ହୋଇନଥିଲା। ସେମାନଙ୍କ କହିବା କଥା, ଠିକାସଂସ୍ଥା ପ୍ରଥମେ ପ୍ରଥମେ ଯେମିତି ଖାଇବା ପିଇବା କଥା ବୁଝୁଥିଲା, ଏବେ ଆଉ କରୁ ନାହିଁ। ବିନା କାମରେ ଖାଇବାକୁ ଦେଉଥିବାରୁ ପଶୁଙ୍କ ମୁହଁରେ ଦାନା ଫୋପାଡ଼ିବା ଭଳି ବ୍ୟବହାର କରୁଛି। ଯେତିକି ଖାଦ୍ୟ ଦଉଛି, ସେଥିରେ ଅଧାପେଟ ହିଁ ପୂରୁଛି। ତେଣୁ ପର ହାତଟେକାକୁ ଆଉ ନ ଚାହିଁ ସେମାନେ ଘରକୁ ଫେରିବାକୁ ମନସ୍ଥ କରିଛନ୍ତି। ଚାଲି ଚାଲି ହେଉ ପଛେ ସେମାନେ ଘରକୁ ପଳାଇବେ ବୋଲି କହିଥିଲେ ଓ ସେମାନଙ୍କୁ ଛାଡ଼ି ଦେବାକୁ ପୁଲିସକୁ ବହୁ ନେହୁରା ହୋଇଥିଲେ। କିନ୍ତୁ ଖଣ୍ଡଗିରି ଥାନା ଅଧିକାରୀ ଉକ୍ତ ଠିକାସଂସ୍ଥାର ପରିଚାଳକଙ୍କୁ ଡକାଇ ଶ୍ରମିକମାନଙ୍କୁ ତାଙ୍କ ଜିମା ଦେଇଥିଲେ। ଠିକାସଂସ୍ଥାକୁ ପୁଣି ଫେରିବା ବେଳେ ଉକ୍ତ ଶ୍ରମିକମାନେ ତାଙ୍କ ରାଜ୍ୟ ସରକାର ନିକଟରେ ସେମାନଙ୍କ ଦୁର୍ଦ୍ଦଶା ବାର୍ତ୍ତା ପଠାଇବାକୁ ପୁଲିସକୁ ବଡ଼ ଆକୁଳ ନିବେଦନ କରୁଥିଲେ।

ସମ୍ବନ୍ଧିତ ଖବର