‘ପେନ୍‌ କିଲର’ ଖାଇ ଚାଲୁଛନ୍ତି : ହଜାରେ କିଲୋମିଟର ଚାଲିଲେଣି, ଆହୁରି ୨୦୦କିମି ଚାଲିବେ, ଯନ୍ତ୍ରଣା ସହି ହେଉନି

ଭୁବନେଶ୍ବର : କିଏ ହାଇଦ୍ରାବାଦରୁ ଚାଲି ଚାଲି ଆସୁଛି ତ କିଏ ବିଶାଖାପାଟଣାରୁ। ମୁଣ୍ଡରେ ବୋଝ, ପାଦରେ ଛିଣ୍ଡା ଚପଲ, ସାଙ୍ଗରେ ପିଲା ଛୁଆଙ୍କୁ ଧରି ଶ୍ରମିକ ଓ ବିଭିନ୍ନ ବର୍ଗର ଲୋକମାନେ ଦିନ ଦିନ ଧରି ଚାଲୁଛନ୍ତି। ଯେଉଁ ସାର୍ଟ ପ୍ୟାଣ୍ଟ ପିନ୍ଧିଛନ୍ତି ସେଥିରେ ଧୂଳିର ଚଦର ପଡ଼ି ଯାଇଛି। ମୁହଁରେ ହାତ ପୋଛିଦେଲେ ପରସ୍ତେ ଧୂଳି ପଳାଇ ଆସୁଛି। ରାଜଧାନୀ ରାଜରାସ୍ତାରେ ଏବେ ଏମିତି ଲୋକଙ୍କର ଲମ୍ବା ଧାଡ଼ି। ଏହି ଲୋକଙ୍କୁ ଯିଏ ଦେଖୁଛି ତାର ଆଖି ଛଳଛଳ ହୋଇଯାଉଛି। ସମସ୍ତଙ୍କର ଗୋଟିଏ ପ୍ରଶ୍ନ, ଏତେ ଟାଣ ଖରାରେ କେମିତି ଚାଲିଚାଲି ଆସୁଛନ୍ତି।

ଆମ ମନରେ ବି ଏମିତି ପ୍ରଶ୍ନ ଉଠିଥିଲା। ୩୭/୩୮ଡିଗ୍ରି ଖରା। ତତଲା ପିଚୁରେ କେମିତି ଏହି ଶ୍ରମିକମାନେ ଏତେ ବାଟ ଚାଲିଚାଲି ଆସୁଛନ୍ତି। ଏମାନଙ୍କୁ କ’ଣ ଖରା କାଟୁନି। ଏମାନେ ଯନ୍ତ୍ରଣାକୁ କେମିତି ଚାପି ରଖି ଚାଲୁଛନ୍ତି। ମନର ଉତ୍ସୁକତାକୁ ସମ୍ଭାଳି ନପାରି ଜୟଦେବ ବିହାର ଛକ ନିକଟରେ ଗଛ ତଳେ ଆଶ୍ରୟ ନେଇଥିବା କିଛି ଶ୍ରମିକଙ୍କୁ ପଚାରିଥିଲୁ। ସେମାନଙ୍କ ଉତ୍ତର ଯାହା ଥିଲା, ତାହା ଆଖି ଛଳଛଳ କରି ଦେଇଥିଲା। ଶ୍ରମିକମାନେ କହିଥିଲେ ଯେ ଆମକୁ ବି ଖରା କାଟୁଛି। ହେଲେ ପେଟର ଭୋକ ଏବଂ ପରିବାରଲୋକଙ୍କ ପାଖରେ ପହଞ୍ଚିବାର ଆଶାରେ ଚାଲିଛୁ। ଶରୀରର ଯନ୍ତ୍ରଣା କମାଇବା ପାଇଁ ପେନ୍‌ କିଲର୍‌ (ଯନ୍ତ୍ରଣା ନିବାରକ ବଟିକା) ଖାଉଛୁ। ପ୍ରତି ଦିନ ଦୁଇଟି ଲେଖାଏଁ ପେନ୍‌ କିଲର୍‌ ଖାଇ ଚାଲୁଛୁ। ଏହି ଶ୍ରମିକମାନେ ହୁଏତ ଜାଣି ନ ଥିବେ ସେ ଯେଉଁ ପେନ୍‌ କିଲର୍‌ ଖାଇ ଶରୀରର ଯନ୍ତ୍ରଣାକୁ କିଛି ସମୟ ପାଇଁ ଲାଘବ କରିଦେଇଛନ୍ତି ଏବଂ ଟାଣ ଖରାକୁ ଖାତିରି ନକରି ଶହ ଶହ କିମି ଚାଲି ସାରିଲେଣି ସେମାନେ ଘର ପହଞ୍ଚିବା ପରେ ନୂଆ ରୋଗର ଶିକାର ହୋଇଯାଇଥିବେ। ପେନ୍ କିଲର୍‌ ଏତେ ମାତ୍ରାରେ ଖାଇବା ଦ୍ବାରା ଏହାର ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି ହେବ, ମାତ୍ରାଧିକ ଝାଳ ବୋହିବା ଦ୍ବାରା ଦୁର୍ବଳ ହୋଇଯିବେ, ଶରୀରକୁ ଯନ୍ତ୍ରଣା ନହେଲେ ବି ଶରୀର ଭିତରୁ କ୍ଷତ ସୃଷ୍ଟି ହେବ, ପେନ୍‌ କିଲର ଖାଇ ଅଧିକ ପରିଶ୍ରମ କଲେ କିଡନି ଓ ଲିଭର ଉପରେ ପ୍ରଭାବ ପକାଇବ।

ତାଙ୍କ ମନରେ ପରିବ‌ାର ଲୋକଙ୍କୁ ଭେଟିବାର ଯେଉଁ ଆଶା ଥିଲା ଏବଂ ଯେ କୌଣସି ପରିସ୍ଥିତିରେ ବି ଘରେ ପହଞ୍ଚିବାର ଯେଉଁ ଜିଦ୍‌ ଥିଲା ତାହା ଆଗରେ ଆମେ ପେନ୍‌ କିଲର୍‌ ସେମାନଙ୍କ ପାଇଁ ଯେ କ୍ଷତିକାରକ ହୋଇପାରେ ତାହା କହିବାକୁ ସାହାସ ଜୁଟି ନଥିଲା।

ହାଇଦ୍ରାବାଦରେ ଏକ ହୋଟେଲରେ କାମ କରୁଥିବା ଏହି ଲୋକମାନେ ଯାଜପୁର ଓ ଭଦ୍ରକ ଜିଲ୍ଲାର ବାସିନ୍ଦା। ପ୍ରାୟ ହଜାରେ କିଲୋମିଟର ଚାଲି ଚାଲି ଆସିବା ପରେ ଆଉ ଯେ ୨୦୦ କିମି ଚାଲିବାର ଅଛି ସେମାନେ ଜାଣିଥିଲେ। ନିଜ ନାଁ ଗୋପନ ରଖିବା ସର୍ତ୍ତରେ ସେମାନେ କହିଥିଲେ ଯେ ହାଇଦ୍ରାବାଦରୁ ୬ଦିନ ହେଲା ବାହାରିଛୁ। ଏତେ ବାଟ ଚାଲି ଚାଲି ଯିବା ସମ୍ଭବ ନଥିବାରୁ ୫ଷ୍ଟ୍ରିପ୍ (୫୦ଟା) ପେନ୍‌ କିଲର ଟାବଲେଟ୍‌ କିଣିଥିଲୁ। ପ୍ରତିଦିନ ଦୁଇଟା ଲେଖାଏ ଟା‌ବଲେଟ୍‌ ଖାଇ ଚାଲୁଛୁ। ବାଟରେ କିଏ ଖାଇବାକୁ ଦେଲେ ଖାଉଛୁ। ନଚେତ୍‌ ବିସ୍କୁଟ କିଣିକି ରଖିଛୁ। ବିସ୍କୁଟ ଖାଇ ପାଣି ପିଇ ଗୋଟିଏ ଟାବେଲଟ୍‌ ପକାଇଦେଲେ କଷ୍ଟ ଜଣାପଡ଼ୁନି। ଆଉ ଦୁଇ ଦିନ ଭିତରେ ଘରେ ପହଞ୍ଚି ଯିବୁ।

ପୁଲିସ ବି ସହିପାରୁନି କଷ୍ଟ
ଭୁବନେଶ୍ବର : ଅଧିକାଂଶ ଲୋକ ଭାବନ୍ତି ପୁଲିସ ବହୁତ କଠୋର। କିନ୍ତୁ ଲକ୍‌ ଡାଉନ୍‌ ସମୟରେ ପୁଲିସର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଥିଲେ। ନିୟମ କିପରି ପାଳନ ହେବ, ଲୋକ କିପରି ସାମାଜିକ ଦୂରତା ରକ୍ଷା କରିବେ ସେଥିପାଇଁ ପୁଲିସ ଲାଠି ମାଡ଼ ଦେବା ଠାରୁ ଆରମ୍ଭ କରି ଜରିମାନା ବି ଆଦାୟ କରିଥିଲା। କିନ୍ତୁ ପୁଲିସର ମାନବିକତା ଅଛି ବୋଲି ପ୍ରବାସୀ ଶ୍ରମିକ, ବାହାର ରାଜ୍ୟରୁ ଓଡ଼ିଶା ଫେରୁଥିବା ଲୋକ ଅନୁଭବ କରୁଛନ୍ତି। ଶହ ଶହ ଶ୍ରମିକ ଖରାକୁ ବେଖାତିର କରି ଚାଲି ଚାଲି ଆସୁଥିବାବେଳେ ପୁଲିସ କାହାକୁ ଅଟକାଉନି। ଗାଡ଼ି ଚାଳକମାନେ ପୁଲିସ ଭୟରେ ଶ୍ରମିକଙ୍କୁ ଲିଫ୍ଟ ଦେଉନଥିବାବେଳେ ପୁଲିସ ସହାୟତାର ହାତ ବଢ଼ାଉଛି। ଶ୍ରମିକମାନେ ରାସ୍ତାରେ ହାତ ଦେଖାଇଲେ ଗାଡ଼ି ଅଟକୁନି। ତେଣୁ ଶ୍ରମିକମାନେ ପୁଲିସକୁ ନେହୁରା ହୋଇ ଅନୁରୋଧ କରୁଛନ୍ତି। କେତେକ ସ୍ଥାନରେ ପୁଲିସ ଟ୍ରକ୍‌ ଚାଳକମାନଙ୍କୁ ଅଟକାଇ ଲୋକଙ୍କୁ ନେଇଯିବାକୁ ଅନୁରୋଧ କରୁଛି। ଏପରିକି କିଛି ପୁଲିସ କର୍ମଚାରୀ ନିଜ ଖର୍ଚ୍ଚରେ ଶ୍ରମିକମାନଙ୍କୁ ଖାଦ୍ୟ, ପାଣି ଓ ଔଷଧ ଆଦି ଦେଉଛନ୍ତି। ଶ୍ରମିକମାନଙ୍କର କଷ୍ଟ ଆଗରେ ପୁଲିସର କଠୋର ହୃଦୟ ବି ତରଳିଗଲାଣି।

ସମ୍ବନ୍ଧିତ ଖବର