ବାରଙ୍ଗକୁ ଅଡ଼ୁଆ ଅଣଓଡ଼ିଆ ଶ୍ରମିକ : ସଂଗରୋଧରେ ୨୭ ବଙ୍ଗୀୟ ଶ୍ରମିକ

ବାରଙ୍ଗ : ଏବେ ଅଣଓଡ଼ିଆ ଶ୍ରମିକମାନେ ବାରଙ୍ଗ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି। ଲୁଚିଛପି ବାହାର ରାଜ୍ୟରୁ ଏଠାକୁ ପଳାଇ ଆସୁଥିବା ଶ୍ରମିକମା‌ନଙ୍କ ପାଇଁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ସ୍ଥାନୀୟ ପ୍ରଶାସନ ଚିନ୍ତାରେ ପଡ଼ିଛି। ତେଣୁ ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ନିଜ ନିଜ ଅଞ୍ଚଳର ବିଭିନ୍ନ ଠିକାସଂସ୍ଥାକୁ ଟାର୍ଗେଟ୍‌ କରି ଏବେ ଆସୁଥିବା ଶ୍ରମିକମାନଙ୍କୁ ଚିହ୍ନଟ କରି ସଂଗରୋଧରେ ରଖାଉଛି। ଆଜି ୨୭ ଜଣ ବଙ୍ଗୀୟ ଶ୍ରମିକଙ୍କୁ ସଂଗ‌ରୋଧରେ ରଖାଯାଇଛି।

ଆଜି ବାରଙ୍ଗ ବ୍ଲକ କୁହ୍ନେଇପଡ଼ା ପଞ୍ଚାୟତର ଫକୀରପଡ଼ା ଗ୍ରାମ ନିକଟରେ ଥିବା ଏକ ବିଲଡର ସଂସ୍ଥାକୁ ୨୭ ଜଣ ଶ୍ରମିକ ପଶ୍ଚିମବଙ୍ଗରୁ ଆସିଥିବା ଜଣାପଡ଼ିଥିଲା। ଏହି ଶ୍ରମିକମାନେ ଏକ ବସ୍‌ରେ ଆସି ଓହ୍ଲାଇବା ପରେ ଲୋକେ ସେମାନଙ୍କୁ ଦେଖିଥିଲେ। ଖବର ପାଇ ଆଞ୍ଚଳିକ ଶାନ୍ତି କିମିଟିର ସଭାପତି ପ୍ରତାପ ଚନ୍ଦ୍ର ପାଣି, କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ରାଉତ ଓ ସମ୍ପାଦକ ସୁରେଶ ମହାନ୍ତି ବାରଙ୍ଗ ବିଡିଓ ପ୍ରଭାକର ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୂଚନା ପାଇ ବିଡିଓ ବିଲଡର ସଂସ୍ଥା ପାଖରେ ପହଁଚି ସମସ୍ତ ୨୭ ଜଣ ଶ୍ରମିକଙ୍କୁ ସେହିଠାରେ ୧୪ ଦିନ ପାଇଁ ସଂଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଶ୍ରମିକମାନେ ବାହାରକୁ ନଯିବା ପାଇଁ ସେ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୬ ତାରିଖରେ ନରଣପୁରସ୍ଥିତ ଏକ ନିର୍ମାଣାଧୀନ କୋଠାରେ ୨୮ ଜଣ ମୁର୍ଶିଦାବାଦ‌୍‌ ଶ୍ରମିକଙ୍କୁ ବାରଙ୍ଗ ବ୍ଲକ ପ୍ରଶାସନ ସଂଗରୋଧ କରିଥିଲା। କରୋନା କଟକଣା କୋହଳ ହେବା ପରେ ଏବେ ଏହି ଅଞ୍ଚଳରେ ଗଢ଼ି ଉଠୁଥିବା ଆପାର୍ଟମେଣ୍ଟ ଓ ଅନ୍ୟାନ୍ୟ ନିର୍ମାଣାଧୀନ ସଂସ୍ଥାମାନଙ୍କୁ ବହୁ ସଂଖ୍ୟାରେ ଅଣଓଡ଼ିଆ ଶ୍ରମିକମାନେ ଆସୁଛନ୍ତି।

ସମ୍ବନ୍ଧିତ ଖବର