ପ୍ରବାସୀ ଓଡ଼ିଆ ଫେରିଲେ ରହିବେ କେଉଁଠି?

ମାତ୍ର ୭୬୭ଜଣଙ୍କ ପାଇଁ ରହିବା ବ୍ୟବସ୍ଥା
ଛାତ୍ରଛାତ୍ରୀ, କର୍ମଜୀବୀଙ୍କୁ ଘରେ ସଙ୍ଗରୋଧ ରହିବାକୁ କହିବୁ
ଘରକୁ ଯିବା ସୁବିଧା ନଥିବାରୁ ୨୫ଜଣ ସଙ୍ଗରୋଧରେ ଅଛନ୍ତି

ଭୁବନେଶ୍ବର : ବାହାର ରାଜ୍ୟରେ ଥିବା ଓଡ଼ିଆମାନେ ଓଡ଼ିଶାକୁ ଫେରିବାକୁ ହେଲେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି। ଗ୍ରାମାଞ୍ଚଳକୁ ଫେରିବାକୁ ଥିବା ଲୋକଙ୍କ ଦାୟିତ୍ବ ସରପଞ୍ଚମାନଙ୍କୁ ଦିଆଯାଇଛି। ସେମାନଙ୍କ ପଞ୍ଚାୟତରେ କେତେ ଲୋକ ଫେରିଲେ, କେଉଁଠି ରହିବେ, ସେ ବ୍ୟବସ୍ଥା କରିବାକୁ କୁହାଯାଇଛି। ସେଥିପାଇଁ ସ୍କୁଲ, କଲ୍ୟାଣ ମଣ୍ଡପ ଆଦିର ବ୍ୟବସ୍ଥା କରାଯାଇଛି। ହେଲେ ଭୁବନେଶ୍ବର ଫେରିବାକୁ ଥିବା ଲୋକ କେଉଁଠି ରହିବେ, ସେ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇନି। ବିଏମ୍‌ସି କର୍ତ୍ତୃପକ୍ଷ ଏବେ ୧୯୨୯ରେ ଫୋନ୍ କରି ଏବଂ କୋଭିଡ୍‌-୧୯ ୱେବସାଇଟ୍‌ରେ ଓଡ଼ିଶା ଫେରିବାକୁ ଥିବା ଲୋକଙ୍କ ନାମ ପଞ୍ଜୀକରଣ କରିବାକୁ କହୁଛନ୍ତି। ଏହାସହ ବିଏମ୍‌ସି କର୍ମଚାରୀ ଘରକୁ ଘର ବୁଲି ସର୍ଭେ କରୁଛନ୍ତି। ହେଲେ ଏବେ ନିର୍ବାଚିତ ପ୍ରତିନିଧି (କର୍ପୋରେଟର୍‌) ନଥିବାରୁ ଗ୍ରାମାଞ୍ଚଳ ଢାଞ୍ଚାରେ ଏଠାରେ ୱାର୍ଡ ସ୍ତରରେ ବ୍ୟବସ୍ଥା ହୋଇପାରୁନି। ତେଣୁ ଏବେ ଭୁବନେଶ୍ବରକୁ ହଜାର ହଜାର ଲୋକ ଫେରିବାକୁ ଥିଲେ ହେଁ ମାତ୍ର ୭୬୭ ଜଣଙ୍କୁ ସଙ୍ଗରୋଧ ଭାବେ ରଖିବାର ବ୍ୟବସ୍ଥା ଅଛି। ଯଦି ଓଡ଼ିଶା ବାହାରୁ ଫେରିବାକୁ ଥିବା ଲୋକ ୧୪ ଦିନ ପାଇଁ ସଙ୍ଗରୋଧରେ ନ ରହି ପାରିବେ ଏବଂ କରୋନା ଆକ୍ରାନ୍ତ ହୋଇଥି‌ବେ, ତେବେ ସ୍ଥିତି ସାଂଘାତିକ ହେବ। ତାହାକୁ ବର୍ତ୍ତମାନ ସୁଦ୍ଧା ବିମ୍‌ସି କର୍ତ୍ତୃପକ୍ଷ ବୁଝି ପାରୁନାହାନ୍ତି।

ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା‌ ୫ଟି ସ୍ଥାନରେ ସଙ୍ଗରୋଧ ରହିବାର ବ୍ୟବସ୍ଥା ହୋଇଛି। ଏହି ୫ଟି ସ୍ଥାନରେ କରୋନା ଆକ୍ରାନ୍ତଙ୍କ ପରିବାର ଓ କରୋନା ସନ୍ଦିଗ୍ଧଙ୍କୁ ରଖିବାର ବ୍ୟବସ୍ଥା ହୋଇଥିଲା। ସେଠାରେ ଓଡ଼ିଶା ବାହାରୁ ଆସିବାକୁ ଥିବା ଲୋକ ରହିବେ। ବିଏମ୍‌ସି ପକ୍ଷରୁ କୃପାଜଳ ଇଞ୍ଜିନିୟରିଂ କଲେଜରେ ୨୩୦ଜଣ, କିଟ୍‌ ପଲିଟେକନିକରେ ୧୦୦ଜଣ, ଟ୍ରାଇଡେଣ୍ଟ କଲେଜରେ ୧୭୦ଜଣ, ଓୟୁଏଟିରେ ୨୪୩ଜଣ ଏବଂ ଯାତ୍ରୀ ନିବାସରେ ୨୪ଜଣ ରହିବାର ବ୍ୟବସ୍ଥା ହୋଇଛି। ଗୋଟିଏ ଘରେ ଜଣେ ରହିବାର ବ୍ୟବସ୍ଥା ହୋଇଛି। ଯଦି ଏହାଠାରୁ ଅଧିକ ଲୋକ ପଞ୍ଜୀକରଣ କରିବେ, ତେବେ ଜୋନାଲ୍‌ ଡେପୁଟି କମିସନରମାନଙ୍କୁ ବ୍ୟବସ୍ଥା କରିବାକୁ କହିବୁ। ଆବଶ୍ୟକ ପଡ଼ିଲେ ୱାର୍ଡସ୍ତରରେ ସ୍କୁଲ, କଲେଜ ଆଦି ‌ନିଆଯାଇପାରେ। ଏନେଇ କମିସନର ଆଲୋଚନା କରିବା ପରେ ଜଣାପଡ଼ିବ।

ବିଏମ୍‌ସିର ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏଠାରେ ଆମେ ଲୋକଙ୍କୁ ଘରେ ସଙ୍ଗରୋଧ ହୋଇ ରହିବାକୁ କହିବୁ। କାରଣ ଯେତିକି ଲୋକ ଫେରିବେ, ସେଥିରୁ ଅଧିକାଂଶ ଛାତ୍ରଛାତ୍ରୀ, ବେସରକାରୀ ସଂସ୍ଥାର କର୍ମଚାରୀ ଥିବେ। ସେମାନେ ସଚେତନ ଥିବାରୁ ଘରେ ୧୪ ଦିନ ସଙ୍ଗରୋଧ ରହିପାରିବେ। ଭୁବନେଶ୍ବରର ଶ୍ରମିକମାନେ ମୁଖ୍ୟତଃ ବସ୍ତି ଅଞ୍ଚଳରେ ରୁହନ୍ତି। ଭୁବନେଶ୍ବରକୁ ଯେଉଁମାନେ କାମ ଅନ୍ବେଷଣରେ ଆସିଛନ୍ତି, ସେମାନେ କ’ଣ ପୁଣି ବାହାରକୁ ଯାଇଥିବେ? ଭୁବନେଶ୍ବରରୁ କମ୍‌ ଲୋକ ବାହାର ରାଜ୍ୟକୁ କାମ ପାଇଁ ଯାଇଥିବେ ବୋଲି ଅନୁମାନ କରୁଛୁ। ବର୍ତ୍ତମାନ ସର୍ଭେ ଚାଲିଛି। ସର୍ଭେ ଶେଷ ଏବଂ ପଞ୍ଜୀକରଣ ଶେଷ ହେବା ପରେ ବିଏମ୍‌ସି ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ। ଫସିଥିବା ଶ୍ରମିକମାନେ ଯଦି ଓଡ଼ିଶା ଫେରିବାକୁ ଚାହୁଁଥିବେ ତେବେ ପଞ୍ଜୀକରଣ କରିବେ। ଏଥିପାଇଁ ସ୍ବତନ୍ତ୍ର ୱେବସାଇଟ୍‌ ପ୍ରସ୍ତୁତ କରାଯିବା ସହ ଗ୍ରାମାଞ୍ଚଳର ଶ୍ରମିକମାନଙ୍କ ପାଇଁ ସରପଞ୍ଚମାନଙ୍କୁ ସ୍ବତନ୍ତ୍ର କ୍ଷମତା ଦିଆଯାଇଛି। ଗ୍ରାମାଞ୍ଚଳ ଭଳି ସହରାଞ୍ଚଳକୁ ହଜାର ହଜାର ଶ୍ରମିକ ଫେରିବାର ଅଛି। ତେଣୁ ଏଥିପାଇଁ ବିଏମ୍‌ସି ପକ୍ଷରୁ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି।

ମାସକରେ ୧୦୩ଜଣ ତିନି ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି
ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଆମର ତିନିଟି ସଙ୍ଗରୋଧ କେନ୍ଦ୍ରରେ ମାସକ ମଧ୍ୟରେ ୧୦୩ଜଣ ରହିଛନ୍ତି। ସେଥିରୁ ୨୫ଜଣ ଏବେ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୭୮ଜଣ ଘରକୁ ପଳାଇଲେଣି। ଓୟୁଏଟି ହଷ୍ଟେଲ, ଟ୍ରାଇଡେଣ୍ଟ କଲେଜ ଏବଂ ଯାତ୍ରୀନିବାସରେ ରହିବା ବ୍ୟବସ୍ଥା ହୋଇଥିଲା। ଓୟୁଏଟି ହଷ୍ଟେଲ ଏବେ ପୂର୍ତ୍ତ ବିଭାଗ ମରାମତି କରୁଥିବାରୁ ସେଠାରେ କେହି ନାହାନ୍ତି। ୧୩ ଜଣଙ୍କୁ ଯାତ୍ରୀନିବାସରେ ରଖିଛୁ। ସେହିପରି ୧୨ଜଣ ଇନଫୋସିଟିସ୍ଥିତ ଟ୍ରାଇଡେଣ୍ଟ କଲେଜରେ ଅଛନ୍ତି। ଏହି ସମସ୍ତ ଲୋକଙ୍କର କୋଭିଡ୍‌-୧୯ ପରୀକ୍ଷା ନେଗେଟିଭ୍ ବାହାରିଥିଲେ ହେଁ ଘରକୁ ଯିବାକୁ ସୁବିଧା ନଥିବାରୁ ଯାଇନାହାନ୍ତି। ସେମାନଙ୍କୁ ଖାଇବାକୁ, ପିଇବାକୁ ଦେଇ ରଖାଯାଇଛି।

ରିପୋର୍ଟ ନେଗେଟିଭ୍‌, ହେଲେ ୨୩ଦିନ ରହି‌ଲିଣି
ମୋର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଲା କିନ୍ତୁ ୨୩ ଦିନ ହେଲା ସଙ୍ଗରୋଧ କେନ୍ଦ୍ରରେ ରହିଲିଣି। ଏମିତିକି ଆନ୍ଧ୍ରପ୍ରଦେଶରେ ୧୦ଦିନ ସଙ୍ଗରୋଧ ହୋଇ ରହିବା ପରେ ଭୁବନେଶ୍ବରରେ ୨୩ ଦିନ ହେଲା ରହିଛି। ହେଲେ ଘରକୁ ଯାଇପାରୁନି। କେବେ ଯିବି ଜାଣିପାରୁନି। ଇଏ ହେଉଛି ଯାତ୍ରୀନିବାସରେ ଏପ୍ରିଲ ୫ତାରିଖରୁ ସଙ୍ଗରୋଧରେ ଥିବା କିଶୋର ଭୋଇଙ୍କ କଥା। ସମ୍ବଲପୁରର ବାସିନ୍ଦା କିଶୋରଙ୍କ ପାଖରେ ଟଙ୍କା ନଥିବାରୁ ସେ ଘରକୁ ଯାଇ ପାରୁନାହାନ୍ତି। ଯେଉଁ ପରିବାରକୁ ଭେଟିବା ପାଇଁ ସେ ଆନ୍ଧ୍ରରୁ ଲୁଚି ପଳାଇ ଆସୁଥିଲେ, ସେ ଏବେ ଭୁବନେଶ୍ବରରେ ଏକରକମ ବାନ୍ଧି ହୋଇପଡ଼ିଛନ୍ତି। କିଶୋରଙ୍କ କହିବାନୁଯାୟୀ, ମାର୍ଚ୍ଚ ୨୫ ତାରିଖରେ ସେ ଆନ୍ଧ୍ର ସୀମା ପାର୍ ହେବା ବେଳେ ଆନ୍ଧ୍ର ପୁଲିସ ଧରି ତାଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିଥିଲା। ୧୦ଦିନ ରଖିବା ପରେ ଆମେ ଓଡ଼ିଶା ଫେରିବାକୁ ଜିଦ୍‌ ଧରିବାରୁ ସେମାନେ ଓଡ଼ିଶା ପୁଲିସ ସହ କଥା ହୋଇ ଛାଡ଼ିଥିଲେ। ସେମାନେ ସହିଦନଗର ଥାନା ସହ ଯୋଗାଯୋଗ କରିଥିଲେ। ଆନ୍ଧ୍ରରୁ ପୁଲିସ ଅନୁମତି ନେଇ ଆସୁଥିବା କିଛି ଓଡ଼ିଆଙ୍କ ସହ ଆମେ ଏକ ଟ୍ରାଭେଲରରେ ଭୁବନେଶ୍ବର ପର୍ଯ୍ୟନ୍ତ ଆସିଥିଲୁ। ସହିଦନଗର ଥାନାରେ ଦେଖା କରିବା ପରେ ଆମକୁ ଏହି ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ମୋ ସହ ଆଉ ୯ଜଣ ଆସିଥିଲେ। ସେମାନଙ୍କର ୧୪ଦିନ ସଙ୍ଗରୋଧ ସରିବା ପରେ ତାଙ୍କର ଘର ଲୋକଙ୍କୁ ଡାକି ସେମାନେ ପଳାଇଲେ। ସେମାନଙ୍କ ଘର ପୁରୀ, କଟକ ଜିଲ୍ଲାରେ ହୋଇଥିବାରୁ ସେମାନେ ପଳାଇଲେ। ମୁଁ ଏକା ରହିଯାଇଛି। ବିଏମ୍‌ସି କର୍ତ୍ତୃପକ୍ଷ କହୁଛନ୍ତି ଲକ୍‌ଡାଉନ୍‌ ସରିଲେ ଯିବ। ଆମେ ଏବେ ଛାଡ଼ିବୁନି। ଘର ଲୋକ ବି ଏତେ ବାଟ ଆସିପାରୁନାହାନ୍ତି। ତେଣୁ ଭାଗ୍ୟକୁ ଆଦରି ପଡ଼ିଛି। କେବେ ଲକ୍‌ଡାଉନ୍ ଉଠିବ ତାହା ଭାବୁଛି। ସଙ୍ଗରୋଧ କେନ୍ଦ୍ରରେ ଦୁଇ ଓଳି ଭାତ, ଡାଲମା, ଦୁଇ ଓଳି ଚା’ ଜଳଖିଆ ଦିଆଯାଉଥିବାରୁ ଖାଇବା ପିଇବାରେ ଅସୁବିଧା ନାହିଁ। ହେଲେ ଏଠାରେ ଯେମିତି ପରିଷ୍କାର ପରିଚ୍ଛନ୍ନ କରିବା କଥା ତାହା ହେଉନି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର