ଭୋକ ଦାଉ ଅସହ୍ୟ, ଶ୍ରମିକ ଚାଲିଚାଲି ଯାଉଛନ୍ତି ବିହାର

ଚନ୍ଦ୍ରଶେଖରପୁର : ସବୁପ୍ରକାର କାମଧନ୍ଦା ଠିକ୍ ଠାକ୍ ଚାଲିଥିଲା। ହଠାତ୍ ଘୋଷଣା କରାଗଲା ଲକ୍‌ଡାଉନ୍। ଫଳରେ ଅନେକ ଅଣ ଓଡ଼ିଆ ଶ୍ରମିକ ରାଜ୍ୟ ଭିତରେ ଫସିଯାଇଥିଲେ। ନିଜ ପାଖରେ ଯାହା ଅର୍ଥ ଥିଲା ସେମାନେ ବେସ୍ କିଛି ଦିନ ଚଳିଗଲେ। କିନ୍ତୁ ପଇସା ସରିଗଲା ପରେ ଖାଦ୍ୟ ପାଇଁ ଅନ୍ୟଆଗରେ ହାତ ପତାଇଲେ। କିନ୍ତୁ ତାହାବି ମିଳିଲା ନାହିଁ। ଶେଷରେ ଭୋକ ସହି ନ ପାରି ଦେଢ଼ ମାସ ପରେ ଆଜି ମଞ୍ଚେଶ୍ବର ଷ୍ଟେସନ୍ ନିକଟରେ ଫସିରହିଥିବା ୨୨ଜଣ ବିହାରୀ ଶ୍ରମିକ ବିଳମ୍ବିତ ରାତିରୁ ଚାଲିଚାଲି ବିହାର ଅଭିମୁଖେ ଚାଲିଛନ୍ତି।

ଠିକାଦାର ସେମାନଙ୍କ ପାଉଣା ନ ଦେଇ ପଳାଇବାରୁ ସେମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। କିଛି ଦିନ ପାଇଁ ସେମାନଙ୍କ ନିକଟରେ ଥିବା ରୋଷେଇ ସାମ୍ରଗୀକୁ ବ୍ୟବହାର କରି ଚଳିଥିଲେ। ହେଲେ ସେତକ ସରିଯିବା ପରେ ଖାଦ୍ୟ ପାଇଁ ସ୍ଥାନୀୟ ଲୋକମାନଙ୍କ ନିକଟରେ କାକୁତି ମିନତି ହୋଇଥିଲେ। ସେମାନଙ୍କ ଦୁଃଖ ଦେଖି କଳିଙ୍ଗ ସିନେ ଅର୍ଟସ୍ ସାମାଜିକ ଅନୁଷ୍ଠାନ ଗୋଟିଏ ସପ୍ତାହର ଖାଦ୍ୟ ସାମ୍ରଗୀ ଯୋଗାଇଥି‌ଲା। ପରେ ସ୍ଥାନୀୟ ୱାର୍ଡ଼ ୯ର କର୍ପୋରେଟର୍ ସେମାନଙ୍କୁ ବିଏମ୍‌ସି ସହଯୋଗରେ କିଛି ଚାଉଳ ଓ ଡ଼ାଲି ଯୋଗାଇ ଦେଇଥିଲେ। ମାତ୍ର ସେତିକି ଖାଦ୍ୟ ଶେଷ ହୋଇଯିବା ପରେ ଆଖପାଖ ବ୍ୟବସାୟୀମାନେ ସେମାନଙ୍କୁ ଧାରରେ ଚେଜରାତି ସାମଗ୍ରୀ ଦେବା ପାଇଁ ନାହିଁ କରି ଦେଇ ଥିଲେ। ଭୋକ ସେମାନଙ୍କ ପାଇଁ ବାଧକ ସାଜିବାରୁ ୨୨ଜଣ ଶ୍ରମିକ ରହୁଥିବା ଏକ ଆଜବେଷ୍ଟସ୍‌ ଘରକୁ ଛାଡ଼ି ଗତକାଲି ରାତିରେ ଚାଲି ଯାଇଛନ୍ତି। ସେମାନେ ରେଳଧାରଣା କଡ଼ ଦେଇ ଚାଲି ଚାଲି ବିହାର ଚାଲି ଯାଇଥିବା ଅନୁମାନ କରାଯାଉଛି। କାହିଁକି ନା ଗତକାଲି ସେମାନେ ବିହାର ଚାଲିଯିବେ ବୋଲି ସେଠାକାର କିଛି ଲୋକଙ୍କୁ କହିଥିଲେ।

ଆଜି ସେମାନ‌େ ମେସ୍‌ରେ ନ ଥିବା ଦେଖି ସ୍ଥାନୀୟ ଲୋକ ସେମାନଙ୍କ ମୋବାଇଲ୍ ଫୋନ୍‌କୁ ଯୋଗାଯୋଗ କରିବାରୁ ଜାଣିବାକୁ ପାଇଥିଲେ ସେମାନେ ପାଣିକୋଇଲି ପାଖାପାଖି ହୋଇ ଗଲେଣି। ସେମାନଙ୍କୁ ବିହାରରେ ପହଞ୍ଚିବାକୁ ଆଉ ଦୁଇ ତିନି ଦିନ ଲାଗିବ।

ସମ୍ବନ୍ଧିତ ଖବର