ଆଉ ଚାଲିବେନି ପ୍ରବାସୀ ଶ୍ରମିକ, ସରକାର ବସ୍‌ ଯୋଗେ ରାଜ୍ୟ ସୀମା ପାର୍‌ କରାଇବେ

ଭୁବନେଶ୍ବର : ପ୍ରବାସୀ ଶ୍ରମିକମାନେ ଆଉ ଚାଲିବେ ନାହିଁ। ସେ ପ୍ରବାସୀ ଓଡ଼ିଆ ହୁଅନ୍ତୁ କି ଅଣଓଡ଼ିଆ ଶ୍ରମିକ ହୁଅନ୍ତୁ, ଓଡ଼ିଶା ମଧ୍ୟ ଦେଇ ଯାଉଥିବା ଶ୍ରମିକମାନଙ୍କୁ ଆଉ ଚାଲିବାକୁ ପଡ଼ିବ ନାହିଁ। ସରକାର ସେମାନଙ୍କୁ ମାଗଣାରେ ବସ୍‌ ସେବା ଯୋଗାଇଦେବେ। ଅଣଓଡ଼ିଆ ଶ୍ରମିକ ‌ହୋଇଥିଲେ, ବସ୍‌ ସେମାନଙ୍କୁ ଓଡ଼ିଶା ସୀମା ପାର୍ କରାଇବ। ସେହିଭଳି ଓଡ଼ିଆ ଶ୍ରମିକମାନଙ୍କୁ ‌ସେମାନଙ୍କ ଘର ପାଖରେ ପହଞ୍ଚାଇବା ବ୍ୟବସ୍ଥା କରାଯିବ। ଏଥିପାଇଁ ଆବଶ୍ୟକ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଜି ପୁଲିସ ମହାନିଦ୍ଦେର୍ଶକ ଶ୍ରୀ ଅଭୟ ଏକ ପ୍ରେସ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି।

ଏବେ ସାରା ଦେଶରେ ହଜାର ହଜାର ପ୍ରବାସୀ ଶ୍ରମିକ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଗୁଜୁରାଟ ଓ ମହାରାଷ୍ଟ୍ରରୁ ଶ୍ରମିକମାନେ ଓଡ଼ିଶାକୁ ଚାଲି ଚାଲି ଫେରୁଛନ୍ତି। ସେହିଭଳି ପ୍ରତିଦିନ ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗ, ଛତିଶଗଡ଼, ଝାରଖଣ୍ଡ ଓ ବିହାରକୁ ପ୍ରବାସୀ ଶ୍ରମିକମାନେ ରାଜପଥରେ ଚାଲୁଥିବା ଦେଖିବାକୁ ମିଳୁଛି। ଡହଡହ ଖରାରେ ପିଲାଛୁଆଙ୍କୁ ଧରି ସେମାନେ ଭୋକ ଉପାସରେ ବଡ଼ କଷ୍ଟରେ ସେମାନେ ଚାଲୁଛନ୍ତି। ତେଣୁ ଶ୍ରମିକମାନଙ୍କ ଏହି ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସେମାନଙ୍କୁ ବସ୍ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାସ୍ତାରେ ସେମାନଙ୍କର ଯେପରି କୌଣସି ଅସୁବିଧା ନହୁଏ, ସେ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ରାଜ୍ୟ ସରକାରଙ୍କ ପ୍ରୟାସକ୍ରମେ ଏହି ପ୍ରବାସୀମାନଙ୍କୁ ରାଜ୍ୟ ସୀମାରେ ପହଞ୍ଚାଇବା ପାଇଁ ବନ୍ଦୋବସ୍ତ କରାଯାଇଛି। ରାଜ୍ୟ ସରକାର ସବୁ ବର୍ଡର୍‌ ଚେକ୍‌-ପଏଣ୍ଟ୍‌ ପରିଚାଳନା ଦାୟିତ୍ବ ପୁଲିସକୁ ପ୍ରଦାନ କରିଛନ୍ତି। ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନଙ୍କୁ ବସ୍‌ରେ ପଠାଇବା ଓ ସେମାନଙ୍କର ଖାଇବା ବ୍ୟବସ୍ଥାର ସମସ୍ତ ଦାୟିତ୍ବ ନିଆଯିବ। ଏହି ସବୁ ବସ୍‌ ରାଜ୍ୟର ସୀମା ତନଖି ଫାଟକ ସୋହେଲା, ଗିରିସୋଲା ଓ କେରଡ଼ାଠାରୁ ପ୍ରବାସୀଙ୍କୁ ନେଇ ସେମାନଙ୍କ ରାଜ୍ୟ ସୀମା ନିକଟରେ ପହଞ୍ଚାଇବେ। କଟକ, ଖୋର୍ଧା ଓ ଭୁବନେଶ୍ବରରେ ମଧ୍ୟ ସରକାର ଏଥିପାଇଁ ବସ୍‌ ପ୍ରସ୍ତୁତ ରଖିଛନ୍ତି ବୋଲି ପୁଲିସ ଡିଜିପି କହିଛନ୍ତି।

ସମ୍ବନ୍ଧିତ ଖବର