ଭୁବନେଶ୍ୱର: ଗାଡ଼କଣରେ ଥିବା ଟିଟିଏସ୍‌ (ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ‌)ରେ ପାହାଡ଼ ଭଳି ଆବର୍ଜନା ଗଦା ହୋଇଛି। ଯଦିଓ ଉଦ୍ଦେଶ୍ୟ ଥିଲା ଅସ୍ଥାୟୀ ଭାବରେ ଏଠାରେ ଆବର୍ଜନା ଗଦା ହେବ। ସକାଳେ ସହରର ସବୁ ଜାଗାରୁ ଛୋଟ ଛୋଟ ଗାଡ଼ିରେ ଆବର୍ଜନା ଆସିବା‌ ପରେ ଏଠାରୁ ବଡ଼ଗାଡ଼ିରେ ଦାରୁଠେଙ୍ଗ ସ୍ଥାୟୀ ଡମ୍ପିଂୟାର୍ଡକୁ ଯାଉଥିଲା। ଟିଟିଏସ୍‌ ସହର ମଝିରେ ଥିବାରୁ ଓ ଟିଟିଏସ୍‌ ଚାରିପାଖେ ଜନବସତି ଥିବାରୁ ଏଠାରେ କୌଣସି ପରିସ୍ଥିତିରେ ସ୍ଥାୟୀ ଭାବରେ ଆବର୍ଜନା ଜମା କରିବା ଯୋଜନା ନଥିଲା। କିନ୍ତୁ କଣ ଏମିତି ହେଲା ଯେ, ଏହା ସ୍ଥାୟୀ ଡମ୍ପିଂୟାର୍ଡ ପାଲଟିଗଲା? ଏତେ ପରିମାଣର ଆବର୍ଜନା ଗଦା ହେବାବେଳେ ବିଏମ୍‌ସି ଜାଣି ପାରିଲାନି କେମିତି? କେଉଁଠି ବିଏମ୍‌ସିର ବୁଦ୍ଧି ବଣା ହୋଇଗଲା? ଯେଉଁଥିପାଇଁ ଆଜି କେବଳ ସମ୍ପୃକ୍ତ ଅଞ୍ଚଳ ବାସିନ୍ଦା ନୁହନ୍ତି, ବରଂ ଭୁବନେଶ୍ବରର ଅଧିକାଂଶ ଅଞ୍ଚଳର ଲୋକେ ଏଥିରୁ ବାହାରୁଥିବା ଦୁର୍ଗନ୍ଧରେ ପ୍ରଭାବିତ ହେଉଛନ୍ତି। ସାଧାରଣ ଲୋକଙ୍କୁ ଏହାର ପ୍ରଭାବରୁ ଦୂରରେ ରଖିବା ପାଇଁ ଏବେ ବିଏମ୍‌ସି ଦିନରାତି ଏକ କରିଦେଇଛି। ଯଦି ସମୟ ଥିବାବେଳେ ଏତିକି ଚେତିଥାନ୍ତା, ତେବେ ଏଭଳି ଏକ ସମୟ ଦେଖିବାକୁ ପଡ଼ିନଥାନ୍ତା ବା ଏତେ ସଂଖ୍ୟକ ଲୋକ ପ୍ରଭାବିତ ହୋଇନଥା‌ନ୍ତେ।

Advertisment

ଏହି ପ୍ରସଙ୍ଗର ମାନସମନ୍ଥନ ବେଳେ ଏହା ପଛରେ ଥିବା କାରଣ ପଦାକୁ ଆସିଛି। ଛୋଟ ଛୋଟ ଏମ୍‌ସିସି(ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର) ତିଆରି କରି ସହରର ଆବର୍ଜନାକୁ ପରିଚାଳନା କରାଯିବା ଯୋଜନା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଫଳରେ ସହରର ଆବର୍ଜନା ସ୍ଥିତି ଏଭଳି ବେହାଲ ହୋଇଯାଇଛି। ଏସି ରୁମ୍‌ରେ ବସି ବାବୁମାନେ ନେଇଥିବା ନିଷ୍ପତ୍ତି ପାଇଁ ଆଜି ଲୋକଙ୍କୁ ଭୋଗିବାକୁ ପଡ଼ୁଛି। ଏହି ନିଷ୍ପତ୍ତି ଯେ ତ୍ରୁଟିପୂର୍ଣ୍ଣ ଥିଲା, ତାହାକୁ ଖୋଦ୍‌ ବିଏମ୍‌ସି ପ୍ରମାଣିତ କରିଛି। କାରଣ ଏହି ସବୁ ଛୋଟ ଛୋଟ ଏମ୍‌ସିସି କାର୍ଯ୍ୟକ୍ଷମ ଥିବାବେଳେ ବିଏମ୍‌ସି ଆଉ ଦୁଇଟି ମେଗା ଏମ୍‌ସିସି ନିର୍ମାଣ କରୁଛି। ଏଥିରେ ଦିନକୁ ଛୋଟ ଏମ୍‌ସିସିରେ ପରିଚାଳନା ହେଉଥିବା ଆବର୍ଜନାର ୧୦ ଗୁଣ ପରିଚାଳନା ହେବ। ଏହି ମେଗା ଏମ୍‌ସିସି ପୂର୍ବରୁ ପ୍ରତିଷ୍ଠା ହୋଇଥିଲେ ଟିଟିଏସ୍‌ର ସ୍ଥିତି ବେ‌ହାଲ୍‌ ହୋଇନଥାନ୍ତା। ଏହି ଏମ୍‌ସିସି ନିର୍ମାଣ ବେଳେ ଜନସ୍ବାର୍ଥକୁ ନଜରରେ ରଖା ଯାଇନାହିଁ। କାରଣ ସହରରୁ କେତେ ପରିମାଣର ଆବର୍ଜନା ବାହାରୁଛି ଓ ଆଗକୁ ଏହାର ପରିମାଣ କେତେ ବଢ଼ିବାକୁ ଯାଉଛି, ତାହା ବାବୁମାନଙ୍କୁ ବେଶ୍‌ ଜଣା। କିନ୍ତୁ ଏହାକୁ ବିଚାର ନ କରି ବା ଏକା ଥରକେ ମେଗା ଏମ୍‌ସିସି ପ୍ରତିଷ୍ଠା କରି ଆବର୍ଜନା ପରିଚାଳନା କରିବାକୁ ସେମାନେ ଚାହିଲେ ନାହିଁ। ବଦଳରେ ଏମିତି ଛୋଟ ଛୋଟ ପ୍ରକଳ୍ପ ପ୍ରତି‌ଷ୍ଠା କରି ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କଲେ ଓ କମିସନ ବାବଦକୁ ମୋଟା ଅଙ୍କର ରୋଜଗାର କଲେ। ଯେତେବେଳେ ଟିଟିଏସ୍‌ରେ ଆବର୍ଜନା ବଢ଼ିବାକୁ ଲାଗିଲା, ସେତେବେଳେ ବି ଏହାର ପରିଚାଳନା ବାବଦରେ ଚିନ୍ତା କଲେନାହିଁ ବୋଲି ଜଣେ ଅବସରପ୍ରାପ୍ତ ଅଧିକାରୀ କହିଛନ୍ତି।

ଦାରୁଠେଙ୍ଗରେ ଥିବା ସ୍ଥାୟୀ ଡମ୍ପିଂୟାର୍ଡକୁ ବିରୋଧ ହୋଇ ଆସୁଥିଲା। ସ୍ଥାନୀୟ ବାସିନ୍ଦା ଏହାକୁ ସେଠାରୁ ହଟାଇବା ପାଇଁ ଚାହୁଥିଲେ। ଏହା ଆଜି କିମ୍ବା କାଲିର ନୁହେଁ, ୧୫ ବର୍ଷର। ଏହି ୧୫ ବର୍ଷ ମଧ୍ୟରେ ବିଏମ୍‌ସିର ତତ୍‌କାଳୀନ କମିସନରମାନେ ସମସ୍ୟା ସମାଧାନ କରିବାକୁ ଉଦ୍ୟମ କଲେନାହିଁ। ଏଣେ ବିଭିନ୍ନ ସମୟରେ ହେଉଥିବା ଆନ୍ଦୋଳନ ଓ ବିରୋଧ ଯୋଗୁ ଦାରୁଠେଙ୍ଗକୁ ଆବର୍ଜନା ଯାଇପାରୁନଥିଲା। ଏହି ଆବର୍ଜନା କେଉଁଠି ଗଦା ହୋଇ ରହିବ ବା‌ ତୁରନ୍ତ ପରିଚାଳନା ହୋଇଯିବ, ସେ ନେଇ କୌଣସି ମାନସମନ୍ଥନ ହେଲାନାହିଁ। ଫଳରେ ଅସ୍ଥାୟୀ ଡମ୍ପିଂୟାର୍ଡର ମାନ୍ୟତା ପାଇଥିବା ଟିଟିଏସ୍‌ ସ୍ଥାୟୀ ଡମ୍ପିଂୟା‌ର୍ଡ ହୋଇଗଲା। ଆନ୍ଦୋଳନ ପାଇଁ ଦାରୁଠେଙ୍ଗକୁ ବନ୍ଦ ହୋଇଥିବା ଆବର୍ଜନାର ‌ପରିବହନ ‌ପୁଣି ଯେତେବେଳେ ଆରମ୍ଭ ହେଲା, ସେତେବେଳେ ଟିଟିଏସ୍‌ରେ ପଡ଼ି ରହିଥିବା ପୁରୁଣା ଆବର୍ଜନା ନିଆ ଗଲାନାହିଁ। ଏଣୁ ଟିଟିଏସ୍‌ ଆବର୍ଜନାର ପାହାଡ଼ ହୋଇଗଲା। ଯାହାର କୁପରିଣତି ଏବେ ଭୋଗିବାକୁ ପଡ଼ୁଛି।
ଦାୟିତ୍ବରେ ଥିବା ତତ୍‌କାଳୀନ ବାବୁମାନେ ଛୋଟ ଛୋଟ ଏମ୍‌ସିସି କରି ସହରର ଆବର୍ଜନା ପରିଚାଳନା କରିବାକୁ ଯୋଜନା କଲେ। କେବଳ ବୁଦ୍ଧି ଆଣିବାକୁ ବିଭିନ୍ନ ସହର ବୁଲି ମୋଟା ଅଙ୍କର ବିଏମ୍‌ସି ପୁଞ୍ଜି ବି ବରବାଦ କଲେ ଓ ମାତ୍ର ୫ରୁ ୭ ଟନ୍‌ ଆବର୍ଜନା ପରିଚାଳନା କ୍ଷମତା ବିଶିଷ୍ଟ ଏମ୍‌ସିସି ପ୍ରତିଷ୍ଠା କଲେ। ୪୧ ଏମ୍‌ସିସି ପ୍ରତିଷ୍ଠା ହେବାକୁ ଯୋଜନା ଥିବା ବେଳେ, ଏବେ ୩୭ ଏମ୍‌ସିସି କାର୍ଯ୍ୟକ୍ଷମ ଅଛି। ଏବେ ଦିନକୁ ୬୦୦ ଟନ୍‌ ଆବର୍ଜନା ବାହାରୁଛି। ୩୭ ଏମ୍‌ସିସିରେ ଦିନକୁ ୨୫୦ ଟନ୍‌ ପରିଚଳନା ହେଉଥିବା ବେଳେ ୩୫୦ ଟନ୍‌ ଟିଟିଏସ୍‌ରେ ଗଦା ହେଉଛି। ଏଭଳି ସ୍ଥିତିରେ ବିଏମ୍‌ସି କୋଟି କୋଟି ଟଙ୍କା ବ୍ୟୟରେ ଦୁଇଟି ମେଗା ଏମ୍‌ସିସି ନିର୍ମାଣ କରୁଛି। ଆଉ ଗୋଟିଏ ନିର୍ମାଣ କରିବା ପାଇଁ ଯୋଜନା କରୁଛି। କିନ୍ତୁ ସ୍ମାର୍ଟ ସିଟି ବାସିନ୍ଦାଙ୍କୁ କେବେ ଅଳିଆ ଯାତନାରୁ ମୁକ୍ତି ମିଳିବ, ସେ ନେଇ କାହା ପାଖରେ ଠୋସ୍‌ ଖବର ନାହିଁ।

‘ଏଣିକି ପରିମଳ ବ୍ୟବସ୍ଥାରେ ଶୂନ୍ୟ ସହନଶୀଳତା’

‘ଇଚ୍ଛାମୃତ୍ୟୁ ଅନୁମତି ଦିଅ , ନହେଲେ ଗୁଳି ମାର’, ଦୁର୍ଗନ୍ଧରେ ଅତିଷ୍ଠ ଲୋକଙ୍କ ଚରମ ଅନୁରୋଧ

ଭୁବନେଶ୍ୱର, ୩/୧୧(ଇମିସ): ପରିମଳ ବ୍ୟବସ୍ଥାରେ କୌଣସି ପ୍ରକାରର ବୁଝାମଣା କରା ଯିବନାହିଁ। ଏଥିରେ ଯଥେଷ୍ଟ ପରିମାଣର କର୍ମଚାରୀ ନିୟୋଜିତ ଅଛନ୍ତି, ଆବଶ୍ୟକ ମୁତାବକ ଅର୍ଥ ମଧ୍ୟ ଖର୍ଚ୍ଚ ହେଉଛି, ଆବଶ୍ୟକ ମୁତାବକ ଗାଡ଼ି ଯୋଗାଇ ଦିଆଯାଇଛି। ଏଣୁ ଏଥର ଏହି ବ୍ୟବସ୍ଥାରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ। କୌଣସି ଛକରେ ବିଜ୍ଞାପନ ଫଳକ ଓ ବର୍ଜ୍ୟ ପଡ଼ି ରହିବନାହିଁ। ଯଦି ଏଭଳି ଦେଖିବାକୁ ମିଳିବ ତେବେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ। ଜରିମାନା ଆଦାୟ କରାଯିବା ସହ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। କାହାର ଆପତ୍ତି ଶୁଣା ଯିବନାହିଁ ବୋଲି କମିସନର ବିଜୟ ଅମୃତା କୁଲାଙ୍ଗେ ୱାର୍ଡ ଅଫିସରଙ୍କ ଠାରୁ ଆରମ୍ଭ କରି ଏସ୍‌ଆଇ, ସ୍ୱଚ୍ଛ ସୁପରଭାଇଜର ଓ ସଫେଇ ଏଜେନ୍ସିଗୁଡିକୁ ତାଗିଦ କରିଛନ୍ତି। ଆଜି ବିଏମ୍‌ସିରେ ହୋଇଥିବା ପରିମଳ ସମୀକ୍ଷା ବୈଠକରେ ଏଭଳି କଡ଼ା ନିଷ୍ପତ୍ତି ହୋଇଛି।

କେବଳ ଏସ୍‌ଆଇ, ସୁପରଭାଇଜର କିମ୍ବା ଏଜେନ୍ସି ନୁହନ୍ତି, ୱାର୍ଡ ଅଫିସର ମଧ୍ୟ ଦୈନିକ ସକାଳୁ ୱାର୍ଡ ବୁଲି ପରିମଳ, ରାସ୍ତା, ବିଦ୍ୟୁତ୍‌, ପାନୀୟଜଳ ଆଦି ସ୍ଥିତି ଅନୁଧ୍ୟାନ କରିବେ। ଯାହା ସମସ୍ୟା‌ ଥିବ ତୁରନ୍ତ ସମାଧାନ କରିବେ। ୱାର୍ଡ ଭିତର ରାସ୍ତାରେ ନିୟମିତ ଘାସ କଟାଯିବା ସହ ଅଳିଆ ଉଠାଯିବ। ଡ୍ୟୁଟି ସମୟରେ କର୍ମଚାରୀମାନେ ୟୁନିଫର୍ମ ଓ ନିରାପତ୍ତା ପୋଷାକ ପିନ୍ଧିବେ। ଏଜେନ୍ସିମାନେ ସେମାନଙ୍କର ସଫେଇକର୍ମୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଆସନ୍ତା ୧୫ ତାରିଖ ସୁଦ୍ଧା ୟୁନିଫର୍ମ, ସେଫ୍ଟିକିଟ୍‌ ପ୍ରଦାନ କରିବେ। ବର୍ଜ୍ୟ ସଂଗ୍ରହ କରିବା ପାଇଁ ଏଜେନ୍ସିମାନେ ସମ୍ପୃକ୍ତ କର୍ମଚାରୀକୁ ବ୍ୟାଗ୍‌ ଯୋଗାଇଦେବେ। ଏଭଳି ନ ହେଲେ ଏଜେନ୍‌ସିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

ଏହି ବୈଠକରେ ଡ୍ରେନ କାମର ମଧ୍ୟ ସମୀକ୍ଷା ହୋଇଛି। ଯେଉଁଠି ନିର୍ମାଣାଧୀନ ଡ୍ରେନ୍‌ ରହିଛି, ତାହାର ସ୍ଥିତାବସ୍ଥା ଅନୁଧ୍ୟାନ କରିବା ସହ ତଦାରଖ କରିବାକୁ କୁହାଯାଇଛି। ଆଉ କେଉଁ ସ୍ଥାନରେ ଡ୍ରେନ ନିର୍ମାଣ କିମ୍ବା ମରାମତି କରାଯିବ, ସେ ସଂପର୍କରେ ରିପୋର୍ଟ ପ୍ରଦାନ କରିବାକୁ ଜେଡ୍‌ଡିସି ଓ ଇଞ୍ଜିନିୟରମାନଙ୍କୁ ନିର୍ଦେଶ ଦିଆଯାଇଛି। ସେହିଭଳି କେଉଁଠି କଚ୍ଚାରାସ୍ତା ରହିଛି, ତାହା ଦେଖି ତାହାକୁ ଆସନ୍ତା ଜାନୁଆରି ୧୫ ତାରିଖ ସୁଦ୍ଧା ପକ୍କାରାସ୍ତା କରିବାକୁ ଇଞ୍ଜିନିୟରମାନଙ୍କୁ କମିସନର ନିର୍ଦେଶ ଦେଇଛନ୍ତି। ପାର୍କଗୁଡିକର ତଦାରଖ ପାଇଁ ୱାର୍ଡକୋର କମିଟିକୁ ଦାୟିତ୍ୱ ଦିଆଯାଇଛି। ବିଏମ୍‌ସି ଅଧୀନରେ ଥିବା ୩୮ଟି ଶଶ୍ମାନର ଉନ୍ନତୀକରଣ କାମ ତଦାରଖ କରିବା ସହ ‘ମୋ ପୋଖରୀ’ ଯୋଜନାରେ ହୋଇଥିବା ଉନ୍ନତୀକରଣ କାର୍ଯ୍ୟର ଅନୁଧ୍ୟାନ କରିବାକୁ କୁହାଯାଇଛି। ଆହୁରି ମଶା ଧୂଆଁ ସ୍ପ୍ରେ (ଫଗିଂ) ମେସିନ ଆସିବ। ଠିକ୍‌ଭାବେ ମଶାଧୂଆଁ ଛଡ଼ା ଯାଉଛି କି ନାହିଁ, ୱାର୍ଡ ଅଫିସର ନିଶ୍ଚିତ କରିବେ। ବୁଲାଗାଈ ଗୋରୁଙ୍କୁ ଧରିବା ଓ କଞ୍ଜରଭେନ୍ସି ଲେନ୍‌ଗୁଡିକୁ ସଫାକରିବା ପାଇଁ ମଧ୍ୟ ତାଗିଦ କରାଯାଇଛି। ଏହି ବୈଠକରେ ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ, ସୂର୍ଯ୍ୟବଂଶୀ ମୟୂର ବିକାଶ, ଡେପୁଟି କମିସନର ମନୋରଂଜନ ସାହୁଙ୍କ ସମେତ ସିଏଫ୍‌ଓ ଗୋବିନ୍ଦ ଚନ୍ଦ୍ର ନାୟକ, ସିଏଚ୍‌ଓ ଡା. ଦୀପକ କୁମାର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।

ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ଅଳିଆ ଗଦା ଦୁର୍ଗନ୍ଧରେ ଅତିଷ୍ଠ ହୋଇ ସ୍ଥାନୀୟ ନିବାସୀ ଏବେ ସରକାରଙ୍କ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଦାବି ଉପସ୍ଥାପନ କରିଛନ୍ତି। ଦୁର୍ଗନ୍ଧରେ ପ୍ରତିଦିନ ଧିରେ ଧିରେ ଅସୁସ୍ଥ ହୋଇ ରୋଗ ଯନ୍ତ୍ରଣାରେ ମରିବା ଅପେକ୍ଷା, ସେମାନେ ଇଚ୍ଛାମୃତ୍ୟୁ ଦାବି କରିଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଆଜି ଏହି ସ୍ଥାନୀୟ ଲୋକମାନେ ସୈନିକ ସ୍କୁଲ ନିକଟସ୍ଥ ବିଏମ୍‌ସି ଅଳିଆଗଦା ଆଗକୁ ଯାଇ ପ୍ରତିବାଦ କରିବା ସହିତ ଇଚ୍ଛାମୃତ୍ୟୁ ପାଇଁ ସରକାରଙ୍କୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, ଅଳିଆ ପାହାଡ଼ର ଦୁର୍ଗନ୍ଧରେ ସ୍ଥାନୀୟ ବାସିନ୍ଦା ଅତିଷ୍ଠ ହୋଇ ପଡ଼ି‌ଲେଣି। ଘର ଅଗଣାରୁ ଆରମ୍ଭ ହୋଇ ହାଣ୍ଡିଶାଳରେ ପଶିଗଲାଣି ଗନ୍ଧ। ଲୋକେ ଭଲରେ ନା ଗଣ୍ଡେ ଖାଇ ପାରୁଛନ୍ତି, ନା ଶାନ୍ତିରେ ଦଣ୍ଡେ ରହି ପାରୁଛନ୍ତି। ତେଣୁ ଏଭଳି ବିଷର ପ୍ରଭାବରେ ଧିରେ ଧିରେ ମାରିବା ବଦଳରେ ସରକାର ସେମାନଙ୍କୁ ଇଚ୍ଛାମୃତ୍ୟୁ ଦେଇ ଦିଅନ୍ତୁ, ନହେଲେ ଗୁଳି ମାରି ଦିଅନ୍ତୁ। ସେମାନେ ଆହୁରି କହିଛନ୍ତି ଯେ ଅଳିଆ ଭିତରେ ୪୩ ବର୍ଷର ପୁରୁଣା ସର୍ବେଶ୍ବର ମହାଦେବଙ୍କ ମନ୍ଦିର ବନ୍ଦ ହେବାକୁ ବସିଛି। ଏ କାର୍ତ୍ତିକ ମାସରେ ମଧ୍ୟ ମହାଦେବଙ୍କ ମନ୍ଦିର ଖାଁ ଖାଁ ହୋଇ ଯାଇଛି। ଅଳିଆ ଗଦା ସେମାନଙ୍କର ସ୍ବାସ୍ଥ୍ୟ, ପେଟପାଟଣା ସହିତ ତାଙ୍କ ପୁରାତନ ମନ୍ଦିର ଓ ହାଟ ଆଦିକୁ ମଧ୍ୟ ପ୍ରଭାବିତ କରିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏସବୁରୁ ତ୍ରାହି ପାଇବାପାଇଁ ଅନ୍ୟମାନଙ୍କ ଭିତରେ ସ୍ଥାନୀୟ ବାସିନ୍ଦା ଅଶୋକ କୁମାର ସେଠୀ ଓ ସୁର ପାତ୍ର ସରକାରଙ୍କ ନିକଟରେ ଇଚ୍ଛାମୃତ୍ୟୁ ଅନୁମତି ପାଇବାପାଇଁ ଦାବି କରିଛନ୍ତି।