ସୋଆ ପକ୍ଷରୁ ଖାଦ୍ୟ ଓ ଜୀବିକା ନିରାପତ୍ତା ଇ-ସମ୍ମିଳନୀ: ଦେଶରେ ଦୁଗ୍ଧ, ଅଣ୍ଡା ଉତ୍ପାଦନ ୬ ପ୍ରତିଶତ ବଢ଼ିଛି

ଭୁବନେଶ୍ବର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କୃଷି ମହାବିଦ୍ୟାଳୟ ପକ୍ଷରୁ ‘ଖାଦ୍ୟ ଓ ଜୀବିକା ନିରାପତ୍ତା ପାଇଁ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଆଗାମୀ ବୈଷୟିକ ଓ ଔଦ୍ୟୋଗିକ ଉନ୍ନତୀକରଣକୁ ନେଇ ୩ ଦିନିଆ ଇ-ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଡ.ଅଶୋକ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଭାରତୀୟ କୃଷି ଓ ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡ. ତ୍ରିଲୋଚନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଦେଶରେ ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ ଶତକଡା ୬ ପ୍ରତିଶତ ବୃଦ୍ଧି ପାଇଛି। ଡାଲିର ଆବଶ୍ୟକତା ପୂରଣ ନିମନ୍ତେ ଉତ୍ପାଦନ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଅନିବାର୍ଯ୍ୟ ବୋଲି ସେ କହିଥିଲେ। ଏଥିସହ କୃଷି ବିଜ୍ଞାନର ଛାତ୍ରଛାତ୍ରୀଙ୍କୁ ବାଜରା ଜାତୀୟ ଫସଲ ସମ୍ପର୍କିତ ନୂଆ ପ୍ରକଳ୍ପ ନିର୍ମାଣ ପାଇଁ ଉପଦେଶ ଦେଇଥିଲେ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ଦେବୀପ୍ରସାଦ ରାୟ ଜାତୀୟ ଖାଦ୍ୟ ନିରାପତ୍ତା ସମ୍ବନ୍ଧରେ କହିବା ସହ ପ୍ରାକୃତିକ ଦୁର୍ବିପାକ ପରିଚାଳନା ନିମନ୍ତେ ବିହିତ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ତଥା କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଜୟ କୁମାର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବ‌େଳେ ସ୍ନାତକୋତ୍ତର ବିଭାଗ ଅଧ୍ୟକ୍ଷ ଡ. ପ୍ରେମାନନ୍ଦ ମହାପାତ୍ର ଉଦ୍‌ଘାଟନୀ ବକ୍ତବ୍ୟ ଦେଇଥିଲେ। ପ୍ରଫେସର୍‌ ବିବୁଧ ପରାଶରଙ୍କ ଦ୍ବାରା ସଂଯୋଜିତ ଉତ୍ସବ ଶେଷରେ ସମ୍ମିଳନୀର ପରିଚାଳନା ସମ୍ପାଦକ ଡ. ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସୋଆ ଛାତ୍ର ମଙ୍ଗଳ ଅଧ୍ୟକ୍ଷ ଡ. ଜ୍ୟୋତି ରଞ୍ଜନ ଦାଶଙ୍କ ସମେତ ସୋଆ, ଓୟୁଏଟି, ଶ୍ରୀ ଶ୍ରୀ, ଜିଆଇଟି ଏବଂ ଭାରତର ବିଭିନ୍ନ ପ୍ରମୁଖ କୃଷି ଗବେଷଣା ପ୍ରତିଷ୍ଠାନ ଓ ବିଶ୍ୱବିଦ୍ୟାଳୟର ୨୦୦ ରୁ ଅଧିକ ଶ୍ରୋତା ସମ୍ମିଳନୀରେ ସାମିଲ୍ ହୋଇଥିଲେ। ଅଧ୍ୟାପକ ରାଜୀବ କୁମାର ବେହେରା, ଡ. ପ୍ରିୟବ୍ରତ ଭୋଇ, ଡ. ଅଶୋକ କୁମାର ମହାପାତ୍ର (କ୍ଷେତ୍ର ବିଜ୍ଞାନ), ଡ. ଚକ୍ରଧର ପାତ୍ର ଓ ଅଧ୍ୟାପକ ରାକେଶ ଶତପଥୀ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର