ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ଲାକ୍ଟେସନ୍ ମ୍ୟାନେଜମେଣ୍ଟ ସେଣ୍ଟର ବା ମିଲ୍‌କ ବ୍ୟାଙ୍କ୍। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅସୁସ୍ଥ ମା’ମାନେ ଏହି ବ୍ୟାଙ୍କରେ ନିଜ ଶିଶୁ ପାଇଁ କ୍ଷୀର ସଂରକ୍ଷିତ ରଖିପାରିବେ। ପାଇଲଟ୍‌ ପ୍ରକଳ୍ପରେ ଏହା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି। ଚଳିତବର୍ଷ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଏହା ପ୍ରଥମ ମିଲ୍‌କ ବ୍ୟାଙ୍କ ହେବ କୁହାଯାଉଛି।

Advertisment

କ୍ୟାପିଟାଲ ହସ୍ପିଟାଲର ଶିଶୁ ୱାର୍ଡରେ ନିକଟରେ ଇନ୍‌ଫାଣ୍ଟ ଏଣ୍ଡ ୟଙ୍ଗ ଚାଇଲ୍‌ଡ ଫିଡିଂ ବା ଆଇଏୱାଇଏଫ୍‌ କାଉନ୍‌ସେଲିଂ ସେଣ୍ଟର୍‌ କାର୍ଯ୍ୟକ୍ଷମ ହୋଇଛି। ଏଥିରେ ଜନ୍ମରୁ ୬ମାସ ପର୍ଯ୍ୟନ୍ତ ଶିଶୁଙ୍କୁ ସ୍ବତନ୍ତ୍ର ସ୍ତନ୍ୟପାନ ବା ଏକ୍ସକ୍ଲୁସିଭ୍ ବ୍ରେଷ୍ଟଫିଡିଂ ଉପରେ ଗୁରୁତ୍ବ ଦିଆଯାଉଛି। ପରବର୍ତୀ ସମୟରେ ଏହି କେନ୍ଦ୍ରକୁ ମିଲ୍‌କ ବ୍ୟାଙ୍କରେ ପରିଣତ କରିବା ପାଇଁ ଯୋଜନା ହୋଇଛି। ଜାତୀୟ ସ୍ବାସ୍ଥ୍ୟ ମିସନ୍ ଜରିଆରେ ଏହି ବ୍ୟାଙ୍କ ଖୋଲିବ ବୋଲି ଜଣାପଡ଼ିଛି। ଏହି ବ୍ୟାଙ୍କରେ ମା’ମାନେ ନିଜ କ୍ଷୀରକୁ ସଂରକ୍ଷିତ ରଖିପାରିବେ। ନିକଟରେ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍‌ଏଫ୍‌ଏଚ୍‌ଏସ୍‌ରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ରହୁଥିବା ମା’ମାନେ ନିଜ ଶିଶୁକୁ ସ୍ତନ୍ୟପାନ କରାଇବାକୁ ଚାହୁ ନାହାନ୍ତି। ଚାକିରିଆ ମା’ମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳୁଛି। ଡବା କ୍ଷୀରକୁ ସେମାନେ ବିକଳ୍ପ ଭାବେ ବ୍ୟବହାର କରୁଛନ୍ତି। ଯାହାଫ‌ଳରେ ଉଭୟ ଶିଶୁ ଓ ମା’ମାନଙ୍କ ପ୍ରତି ବିପଦ ରହୁଛି। ତେବେ ସେମାନଙ୍କୁ ସ୍ତନ୍ୟପାନ ପାଇଁ ଉତ୍ସାହିତ କରିବାରେ ଏହି ବ୍ୟାଙ୍କ ସହାୟକ ହେବ।

କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ଯେଉଁ ମା’ମାନେ ଅସୁସ୍ଥ ଅଛନ୍ତି ଓ ସେମାନଙ୍କ ଶିଶୁ କ୍ଷୀର ଖାଇପାରୁ ନାହାନ୍ତି ସେମାନେ ହିଁ କ୍ଷୀର ରଖିପାରିବେ। କ୍ଷୀର ଯେପରି ଅଦଳ ବଦଳ ନ ହେବ ସେଥିପାଇଁ ରକ୍ତ ପରୀକ୍ଷା କରାଯିବ। ଏହାସହ ଯେଉଁ କ୍ଷୀର ସଂରକ୍ଷିତ ହେବ ତହିଁରେ କେତେ ଜୀବାଣୁ ରହିଛି ତାହାର ମଧ୍ୟ ପରୀକ୍ଷା କରାଯିବ। ମା’ମାନେ ଚାହିଁଲେ ନିଜେ କ୍ଷୀର କାଢ଼ିପାରିବେ ନଚେତ୍ ମେସିନ୍ ସହାୟତାରେ କ୍ଷୀର ବାହାର କରିପାରିବେ। ଦେଶରେ କୋଲକାତା, ମୁମ୍ବାଇ, ହାଇଦ୍ରାବଦ୍‌ରେ ଏଭଳି ମିଲ୍‌କ ବ୍ୟାଙ୍କ ରହିଛି। ଏହି ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଅର୍ଥ ବ୍ୟୟ ବରାଦ ହୋଇସାରିଛି। ତେବେ ଏହା ହାଇଟେକ୍ ବ୍ୟବସ୍ଥା ହୋଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବାରେ କେତେକ ସମସ୍ୟା ଦେଖା ଦେଉଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି।