ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ କଟକର ଦୁଇଜଣ ଚାଷୀ ଅଧିକ ଦୁଗ୍ଧ ଉତ୍ପାଦନ ଆଶାରେ ଆନ୍ଧ୍ରରୁ ଦୁଇଟି ଗାଈ ଓ ଦୁଇଟି ବାଛୁରୀ ଆଣି ଫେରୁଥିବା ସମୟରେ ମଞ୍ଚେଶ୍ବର ଅଞ୍ଚଳରେ ଗୋରକ୍ଷକ ନାମରେ ୧୫ରୁ ଅଧିକ ବ୍ୟକ୍ତି ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ଲଙ୍ଗଳା କରି ଆକ୍ରମଣ କରାଯାଇଛି। ଏହା ଫଳରେ ଗୋଟିଏ ବାଛୁରୀର ମଧ୍ୟ ମୃତ୍ୟୁ ହୋଇଛି। ତେଣୁ ଗୋରକ୍ଷକ ନାମରେ ଆତଙ୍କ ରାଜ ଚଳାଇଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଆଜି ମଲା ବାଛୁରୀଙ୍କ ମୃତଦେହ ରଖି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ମଞ୍ଚେଶ୍ବର ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା।
ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୫ଟା ସମୟରେ କଟକର ଦୁଇଜଣ ଚାଷୀ ଆନ୍ଧ୍ରରୁ ଦୁଇଟି ଗାଡ଼ିରେ ଗାଈ ଓ ବାଛୁରୀ ଆଣି ଭୁବନେଶ୍ବର ଦେଇ କଟକ ଫେରୁଥିଲେ। କିନ୍ତୁ ପଳାଶୁଣି ଛକରେ ଗୋରକ୍ଷକ ନାମରେ କିଛି ଯୁବକ ସେମାନଙ୍କୁ ଅଟକାଇଥିଲେ। ତାଙ୍କୁ ମାଡ଼ ମାରିବା ସହିତ ଉଲଗ୍ନ କରିଥିବା ସେମାନେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଆକ୍ରମଣରେ ୪ଜଣ ଚାଷୀ ଆହତ ହୋଇଥିବା ବେଳେ ୨ଟି ଗାଡ଼ି ଭାଙ୍ଗିରୁଜି ଯାଇଥିଲା ଓ ଗୋଟିଏ କଅଁଳା ବାଛୁରୀର ମୃତ୍ୟୁ ଘଟିଥିଲା। ଆକ୍ରମଣର ଖବର ପାଇ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରା, ଅଲ୍ ଓଡ଼ିଶା ଗୋପାଳ ଯାଦବ ମହାସଂଘର ରାଜ୍ୟ ସଭାପତି ନାରାୟଣ ବେହେରା, ଦୁଗ୍ଧ ଉତ୍ପାଦନକାରୀ ସଂଘର ରାଜ୍ୟ ସମ୍ପାଦକ ନୃସିଂହ ବେହେରା ଓ ଅଲ୍ ଓଡ଼ିଶା ଗୋପାଳ ଯାଦବ ମହାସଂଘ ସମ୍ପାଦକ ନାରାୟଣ ଡାଳୁଆ ଓ ନାରୀନେତ୍ରୀ ମାମିନା ବେହେରା ପ୍ରମୁଖ ମଞ୍ଚେଶ୍ୱର ଥାନାରେ ପହଞ୍ଚି ମଲା ବାଛୁରୀ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ପୁଲିସ ମାମଲା ରୁଜୁ କରିବା ସହିତ ମଲା ବାଛୁରୀର ପୋଷ୍ଟମର୍ଟମ ପାଇଁ ପଠାଇଥିଲା। କିନ୍ତୁ ପୁଲିସ କୌଣସି ଆକ୍ରମଣକାରୀଙ୍କୁ ଗିରଫ ନ କରିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ବାରମ୍ବାର ଦୁଗ୍ଧଚାଷୀମାନଙ୍କ ଉପରେ ଏହିଭଳି ଆକ୍ରମଣ ହେଉଥିବା ଯୋଗୁ ଚାଷୀମାନେ ବାହାର ରାଜ୍ୟରୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗାଈ ଆଣିବାକୁ ଭୟଭୀତ ହେଉଛନ୍ତି। ଗୋମାଫିଆଙ୍କ ଆକ୍ରମଣକୁ ସରକାର ଓ ପୁଲିସ ପ୍ରଶାସନ ଯଦି ଦୃଢ ହସ୍ତରେ ଦମନ ନ କରନ୍ତି, ତାହେଲେ ଆଗମୀ ଦିନରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବିଫଳ ହେବାର ଆଶଙ୍କା ଦେଖାଦେଇଛି ବୋଲି ଦୁଗ୍ଧଚାଷୀମାନେ କହିଛନ୍ତି। ତେଣୁ ସରକାର ତୁରନ୍ତ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ସଫଳ ରୂପାୟନ ପାଇଁ ମୁଖ୍ୟଶାସନ ସଚିବ, ସ୍ୱରାଷ୍ଟ୍ର ବିଭାଗ ସଚିବ, ପୋଲିସ୍ ମହାନିର୍ଦ୍ଦେଶକ ଓ ଦୁଗ୍ଧଚାଷୀମାନଙ୍କର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ କରି ଏହାର ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବା ପାଇଁ ଦୁଗ୍ଧଚାଷୀମାନେ ଦାବି କରିଛନ୍ତି। ଏହି ଆନ୍ଦୋଳନରେ ଯୁବନେତା ସଂଜୟ ବେହେରା, ଉଲ୍ଲାସ ବାହାଲିଆ, ପୀତବାସ ବେହେରା ପ୍ରମୁଖ ଯୋଗଦେଇଥିଲେ। ଯଦି ୨୮ତାରିଖ ସୁଦ୍ଧା ଆକ୍ରମଣକାରୀ ଗୋମାଫିଆ ଓ ଆଜିର ଆକ୍ରମଣକାରୀ ଗୋମାଫିଆଙ୍କୁ ଗିରଫ ନକରନ୍ତି ଓ ଦୁଗ୍ଧଚାଷୀମାନଙ୍କର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନ ନିଅନ୍ତି, ତାହେଲେ ଆଗାମୀ ବିଧାନସଭା ଅଧିବେସନ ସମୟରେ ଆନ୍ଦୋଳନକୁ ଜୋର୍ଦାର କରାଯିବ ବୋଲି ଦୁଗ୍ଧଚାଷୀମାନଙ୍କ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି।