ଗୋପାଳକ ବେରୋଜଗାର: ମିଳୁନି ଗୋ-ଖାଦ୍ୟ, ଦୁଗ୍ଧ ବେପାର ମାନ୍ଦା

ଖଣ୍ଡଗିରି: କରୋନା କଟକଣା ତଥା ତାଲାବନ୍ଦ ପରଠାରୁ ରାଜଧାନୀର ଗୋ-ପାଳକମାନେ ବେରାଜଗାର ହୋଇପଡ଼ିଛନ୍ତି। ବିଭିନ୍ନ କାରଣରୁ ଦୁଧ ବେପାର ମାନ୍ଦା ପଡ଼ି ଯାଇଛି। ଗୋ-ଖାଦ୍ୟ ମିଳୁନଥିବାରୁ ସେମାନଙ୍କ ଗୋସମ୍ପଦ କ୍ଷତିଗ୍ରସ୍ତ ‌ହେବାକୁ ବସିଛି। ଗୋଖାଦ୍ୟ ପରିବହନକୁ ଅନୁମତି ଓ ସେମାନଙ୍କ କ୍ଷୀର ବିକ୍ରି ସମସ୍ୟାର ସମାଧାନ ନ ହେଲେ, ରାଜଧାନୀର ଶହ ଶହ ଗୋପାଳ ପରିବାର ବିପୁଳ କ୍ଷତିଗ୍ରସ୍ତ ହେବେ ବୋଲି ସେମାନେ କହିଛନ୍ତି। ବରମୁଣ୍ଡା ଜଗନ୍ନାଥବିହାରରେ ରହୁଥିବା ଗୋପାଳକମାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ତାଲାବନ୍ଦ ପରଠାରୁ ଗୋ-ଖାଦ୍ୟ ଅଭାବ ପଡ଼ିଛି। ନଡ଼ା ଗାଡ଼ିକୁ ଅନୁମତି ମିଳୁ ନଥିବାରୁ ସହର ବାହାରୁ ନଡ଼ାକୁଟା ଆସିବା ବନ୍ଦ ହୋଇଯାଇଛି। ଫଳରେ ସେମାନଙ୍କ ନିକଟରେ ଗଚ୍ଛିତ ନଡ଼ାକୁଟା ସରିବାକୁ ବସିଥିବାରୁ ଏବେ ସେମାନେ ମାପିଚୁପି ଅଳ୍ପ ପରିମାଣର କୁଟାନଡ଼ା ଖାଇବାକୁ ଦେଉଛନ୍ତି। ସେହିଭଳି ଚୋକଡ଼ ଓ ଅନ୍ୟାନ୍ୟ ଦାନାଯୁକ୍ତ ଗୋ-ଖାଦ୍ୟ ପରିବହନ ହୋଇପାରୁନାହିଁ। ଫଳରେ ଆଉ ମାତ୍ର ଦିନ କେଇଟା ପରେ ଗାଈମାନଙ୍କ ପାଇଁ ଖାଦ୍ୟ ମିଳିବ ନାହିଁ। ଅନ୍ୟପକ୍ଷରେ ଏବେ କ୍ଷୀର ବେପାର ପୂରା ମାନ୍ଦା ପଡ଼ିଛି।

ବିମ୍ବାଧର ବେହେରାଙ୍କ କହିବା କଥା, ସେମାନେ ଗାଙ୍ଗୁରାମକୁ ନିୟମିତ ଦୁଧ ଯୋଗାଉଥିଲେ। ମାତ୍ର ମିଠା ଦୋକାନ ବନ୍ଦ ହୋଇ ଯାଇଥିବାରୁ ଗାଙ୍ଗୁରାମ ଦୁଧ କିଣୁନାହିଁ। ଚା’ ଦୋକାନଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ଦୁଧ ବିକ୍ରି ମଧ୍ୟ ପ୍ରଭାବିତ ହୋଇଛି। ସେହିଭଳି ଘରୋଇ ଲୋକେ ଗୋପାଳକମାନଙ୍କଠାରୁ କ୍ଷୀର କିଣିବା ବନ୍ଦ କରି ଦେଇଛନ୍ତି ବୋଲି କହିଛନ୍ତି ଗୁନ ବେହେରା। ଜଗନ୍ନାଥବିହାରରେ ପ୍ରାୟ ୧୬ ପରିବାର ୧୦୦ ଗାଈ ରଖିଛନ୍ତି। ପ୍ରତିଦିନ ପ୍ରାୟ ୫/୬ କ୍ବିଣ୍ଟାଲ ଦୁଧ ଦୁହାଁ ଯାଉଛି। ଏବେ ମାତ୍ର ଗୋଟିଏ କ୍ବିଣ୍ଟାଲ ଦୁଧ ବିକ୍ରି ହୋଇପାରୁଛି ଓ ଅବଶିଷ୍ଟ ଦୁଧ ନଷ୍ଟ ହେଉଛି ବୋଲି କହିଛନ୍ତି ଶ୍ରୀଧର ବେହେରା। କାରଣ ମିଠା ଦୋକାନ ସବୁ ବନ୍ଦ ଥିବାରୁ ଛେନା ପନିର ମଧ୍ୟ ବିକ୍ରି ହୋଇପାରୁନାହିଁ। ସବୁଠାରୁ ବଡ଼ ସମସ୍ୟା ଏବେ ଗାଈମାନଙ୍କୁ ମିଳୁଥିବା ଚିକିତ୍ସା ସେବା। ଡାକ୍ତରମାନେ ଗାଈମାନଙ୍କୁ ଦେଖିବା ପାଇଁ ଆସୁନାହାନ୍ତି। କରୋନା ପ୍ରଭାବ ଭୟରେ ଡାକ୍ତରମାନେ ଆସୁନାହାନ୍ତି ବୋଲି ପୀତବାସ ବେହେରା କହିଛନ୍ତି। ତେଣୁ ସବୁ ଦିଗରୁ ରାଜଧାନୀର ଗୋପାଳକମାନେ ସମସ୍ୟା ପଡ଼ିଛନ୍ତି ବୋଲି ସେମାନେ କହିଛନ୍ତି। ପ୍ରଶାସନ ନଡ଼ା ଓ ଗୋଖାଦ୍ୟ ଗାଡ଼ିମାନଙ୍କୁ ଚଳାଚଳ ପାଇଁ ଅନୁମତି ଦେବାକୁ ସେମାନେ ଦାବି କରିଛନ୍ତି। ବିଶେଷକରି ଏବେ ଦୁଧର ଅଭାବ ବିକ୍ରି ଜନିତ ସମସ୍ୟାର ସମାଧାନ ପାଇଁ ସରକାର ଓମ୍‌ଫେଡ୍ ଜରିଆରେ ସେମାନଙ୍କଠାରୁ କ୍ଷୀର କିଣୁ ବୋଲି ସେମାନେ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର