ସ୍ବାଭାବିକ ହେଉଛି ଦୁଗ୍ଧ ଯୋଗାଣ : ଦୁଗ୍ଧ କଳାବଜାରି ରୋକିବାକୁ ୨୦ ଟିମ୍‌, ଭୁବନେଶ୍ବରର ୨୮ଟି ସ୍ଥାନରେ ଭ୍ରାମ୍ୟମାଣ ଦୁଗ୍ଧଗାଡ଼ି

ଭୁବନେଶ୍ବର : ବାତ୍ୟା ପରେ ଭୁବନେଶ୍ବର ସମେତ କଟକ ଓ ପୁରୀରେ ଦୁଗ୍ଧ ଯୋଗାଣ ସ୍ଥିତି ସ୍ବାଭାବିକ ହେଉଛି। ଏବେ ଓମ୍‌ଫେଡ ପକ୍ଷରୁ ସ୍ବତନ୍ତ୍ର ଭାବେ ଦୁଗ୍ଧ ଯୋଗାଣ କରାଯାଉଛି। ଭୁବନେଶ୍ବର ସହରକୁ ୮ଟି ଜୋନ୍‌ରେ ବିଭକ୍ତ କରାଯାଇ ସ୍ବତନ୍ତ୍ର ଭାବେ ଭ୍ରାମ୍ୟମାଣ ଦୁଗ୍ଧ ଗାଡ଼ି ନିୟୋଜିତ କରାଯାଇଛି। ଜୋନ୍‌-୧ରେ ସତ୍ୟନଗର, ସହିଦନଗର, ମହର୍ଷି କଲେଜ, ଜୋନ୍‌-୨ରେ ମାଷ୍ଟରକ୍ୟାଣ୍ଟିନ୍‌, ରାଜମହଲ, ଲକ୍ଷ୍ମୀସାଗର, ଜୋନ୍‌-୩ରେ ବିଜୁ ପଟ୍ଟନାୟକ ଛକ, ପଳାସପଲ୍ଲୀ, ଭୀମଟାଙ୍ଗୀ, ପୋଖରୀପୁଟ, ଜୋନ୍‌-୪ରେ ଚନ୍ଦ୍ରଶେଖରପୁର, କିଟ୍ ଛକ ସମ୍ମୁଖ, ନୀଳାଦ୍ରିବିହାର, ଶୈଳଶ୍ରୀ ବିହାର, ଜୋନ୍‌-୫ରେ ଶିରିପୁର ଭିଆଇପି କଲୋନି, ଡେଲ୍‌ଟା ଛକ, ଗଙ୍ଗନଗର, ସିଆର୍‌ପି ଛକ, ଜୋନ୍‌-୬ରେ ଝାରପଡ଼ା, ପାତ୍ରପଡ଼ା, ଖଣ୍ଡଗିରି, ଜୋନ୍‌-୭ରେ ପୁରୁଣା ଭୁବନେଶ୍ବର, ରବି ଟକିଜ୍‌ ଛକ, ସାମନ୍ତରାପୁର, ଶିଶୁପାଳଗଡ଼ ଓ ଜୋନ୍‌-୮ରେ ରସୁଲଗଡ଼, ଭିଏସ୍‌ଏସ୍‌ନଗର, ପଳାସୁଣୀ ରହିଛି। ଖାଉଟିମାନେ ଏହାର ସୁଯୋଗ ନେଇପାରିବେ ବୋଲି ଓମ୍‌ଫେଡ ପକ୍ଷରୁ କୁହାଯାଇଛି।

ଏହାବ୍ୟତୀତ ଭୁବନେଶ୍ବର ସହରର ଖଣ୍ଡଗିରି ଛକ ସମେତ ବାରଙ୍ଗ ରେଲ୍‌ୱେ ଷ୍ଟେସନ, ପାତ୍ରପଡ଼ା, କଟକ ସହରର ହସ୍ପିଟାଲ ଛକ, ସେକ୍ଟର ୭ ସିଡିଏ, ବକ୍ସି ବଜାର ଛକ, ଓଏମ୍‌ପି ଛକ, ବାଦାମବାଡ଼ି ଛକ, ମହାନଦୀ ବିହାର ନିକଟ, ଚଣ୍ଡୀ ଛକ, ଗାନ୍ଧି ଛକ ଚୌଦ୍ବାର ଓ ପୁରୀ ସହରର ଜିଲ୍ଲା ସ୍କୁଲ ସ୍କୋୟାର ଭିଆଇପି ରୋଡ୍‌, ଗୁଣ୍ଡିଚା ମନ୍ଦିର, ରାଜନଅର, ମୋଚିସାହି ଛକରେ ସ୍ବତନ୍ତ୍ର ଭାବେ ଦୁଗ୍ଧ ବଣ୍ଟନ ହେଉଛି।

ଦୁଗ୍ଧ କଳାବଜାରି ରୋକିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଏବେ ବି ପ୍ରତି ଅଧଲିଟର ପ୍ରିମିୟମ୍‌ ଦୁଗ୍ଧ ୨୦ ଟଙ୍କା ରହିଥିବା ବେ‌ଳେ ଗୋଲ୍‌ଡ ୨୦ ଟଙ୍କା ଓ ଟୋନ୍‌ଡ ୧୭ ଟଙ୍କା ରହିଛି। ଯଦି କୌଣସି ବ୍ୟବସାୟୀ ଗ୍ରାହକଙ୍କଠାରୁ ଉକ୍ତ ଦାମ୍‌ଠାରୁ ଅଧିକ ମୂଲ୍ୟ ଦାବି କରନ୍ତି ତେବେ ୦୬୭୪-୨୭୪୨୧୬୮ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି। ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓମ୍‌ଫେଡ୍‌ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଅଧିକାରୀମାନଙ୍କୁ ନେଇ ଗଠିତ ୨୦ଟି ସ୍ବତନ୍ତ୍ର ଦଳ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ବୁଲି କଳାବଜାର ରୋକିବା ଉପରେ ଦ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି।

ଓମ୍‌ଫେଡ୍‌ର ପରିଚାଳନା ନିର୍ଦେଶକଙ୍କ ସୂଚନା ଅନୁଯାୟୀ, ଫନି ସମୟରେ ଓମ୍‌ଫେଡ୍‌ ଗ୍ରାହକଙ୍କୁ ସେବା ଯୋଗାଇଛି। ଗତ ୩ ତାରିଖ ଦିନ ସକାଳୁ ଭୁବନେଶ୍ବର ସହରରେ ୬୬ ହଜାର ୪୬୬ ଲିଟର ଦୁଗ୍ଧ ଯୋଗାଣ କରାଯାଇଥିଲା। ଏବେ ଓମ୍‌ଫେଡ୍‌ ୬୩୫ଟି ରିଟେଲ୍‌ ପଏଣ୍ଟ ମାଧ୍ୟମରେ ଭୁବନେଶ୍ବରରେ ଦୁଗ୍ଧ ଯୋଗାଣ ଜାରି ରହିଛି। ପୂର୍ବରୁ ସକାଳ ସମୟରେ ୨୫ଟି ଓ ସନ୍ଧ୍ୟାରେ ୧୩ଟି ଗାଡ଼ିରେ ଦୁଗ୍ଧ ଦେଉଥିଲା। ବାତ୍ୟା ପରେ ଭୁବନେଶ୍ବରର ବିଭିନ୍ନ ଆପାର୍ଟମେଣ୍ଟ, କଲୋନି, ୟୁନିଟ୍‌ ଅଞ୍ଚଳର ଗ୍ରାହକମାନଙ୍କ ସୁବିଧା ପାଇଁ ସକାଳ ଓ ସନ୍ଧ୍ୟାରେ ୮ଟି ଗାଡ଼ିରେ ଦୁଗ୍ଧ ଦିଆଯାଉଥିଲା। ଗ୍ରାହକଙ୍କର ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ଗତକାଲିଠାରୁ ଦୁଇ ଓଳା ୧୫ଟି ଲେଖାଏଁ ଗାଡ଼ି ନିୟୋଜିତ କରାଯାଇଛି। ଏହାବ୍ୟତୀତ୍‌ ୬ଟି ଇ-କାର୍ଟ ମାଧ୍ୟମରେ ଭୁବନେଶ୍ବର ସହର ସାରା ବୁଲି ଦୁଗ୍ଧ ଯୋଗାଣ ହେଉଛି। ଭୁବନେଶ୍ବର ସମେତ କଟକ, ଜଟଣୀ, ଖୋର୍ଧା ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଗ୍ରାହକଙ୍କ ଚାହିଦା ମୁତାବକ ଦୁଗ୍ଧଯୋଗାଣ ଅବ୍ୟାହତ ରହିଛି। ଗତ ୬ ତାରିଖଠାରୁ ପୁରୀ ସହରରେ ଦୁଗ୍ଧ ଯୋଗାଣ ଆରମ୍ଭ କରାଯାଇ ୭ ତାରିଖଠାରୁ ଦୁଇ ବେଳା ଦୁଗ୍ଧ ଯୋଗାଣ ଆରମ୍ଭ ହୋଇଛି। ଏଥିପାଇଁ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ସ୍ବତନ୍ତ୍ର ଭାବେ ୧୧ଟି ଗାଡ଼ି ଦୁଗ୍ଧ ଯୋଗାଣ କାର୍ଯ୍ୟରେ ନିୟୋଜିତ କରାଯାଇଛି।

ସମ୍ବନ୍ଧିତ ଖବର