ଜଟଣୀ: ବିଭିନ୍ନ ଯୋଜନା ମାଧ୍ୟମରେ ପଞ୍ଚାୟତ ଓ ପୌରାଞ୍ଚଳରେ ପୋଖରୀ, ଗାଡ଼ିଆ ଆଦିର ପୁନରୁଦ୍ଧାର ସହ ଉନ୍ନତୀକରଣ କରାଯାଉଛି। ଯେଉଁ ପୋଖରୀଗୁଡ଼ିକ ବହୁପୁରୁଣା ତଥା ବ୍ୟବହାର ଉପଯୋଗୀ ହୋଇପାରୁନି, ସେଗୁଡ଼ିକୁ ମଧ୍ୟ ପୁନରୁଦ୍ଧାର କରାଯାଉଛି। ସରକାର ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଜଟଣୀ ପୌରାଞ୍ଚଳ ବିଶ୍ୱନାଥ କଲୋନି ପାଖରେ ଥିବା ମିଲ୍ ପୋଖରୀ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ପୋଖରୀର ଜଳକୁ ଅଞ୍ଚଳର ଲୋକେ କାମରେ ଲଗାଇ ପାରୁନାହାନ୍ତି। ସେହିପରି ବର୍ଷ ବର୍ଷ ଧରି ପୋଖରୀ ସଫା ନ ହେବାରୁ ପାଣିରେ ଗଛ ପତ୍ର ସହ ଆବର୍ଜନା ପଡ଼ି ଦୂଷିତ ହୋଇଗଲାଣି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରିବା ପରେ ବି ପୋଖରୀ ପୁନରୁଦ୍ଧାର କାମ ଶେଷ ହୋଇପାରିଲା ନାହିଁ। ‘ମୁକ୍ତା’ ଯୋଜନାରେ ଏହି ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ ବିବାଦକୁ ନେଇ ଏହି କାର୍ଯ୍ୟ ଆଉ ଆଗକୁ ବଢ଼ି ପାରି ନାହିଁ। କେବଳ ମାଟି ଉଠା କାମ ପରେ ଉନ୍ନତୀକରଣ କାମ ଏକ ପ୍ରକାର ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି।
ଆବର୍ଜନାରେ ଭର୍ତ୍ତି, ବ୍ୟବହାର ଅନୁପଯୋଗୀ
ଅଟକିଛି ‘ମୁକ୍ତା’ ଯୋଜନା କାର୍ଯ୍ୟ
ପୌରପାଳିକା ଅନ୍ତର୍ଗତ ୧୧ ନମ୍ବର ୱାର୍ଡର ବିଶ୍ୱନାଥ କଲୋନି ପାଖ ତଥା ଗୋଡ଼ାଧର୍ମ ସାଗର ମୌଜାରେ ରହିଛି ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଏହି ମିଲ୍ ପୋଖରୀ। ଏହା ଅଞ୍ଚଳର ବହୁ ପୁରୁଣା ପୋଖରୀ ହୋଇଥିବା ବେଳେ ପୂର୍ବରୁ ଅଞ୍ଚଳବାସୀଙ୍କ ପାଇଁ ବ୍ୟବହାର ଉପଯୋଗୀ ଥିଲା। ସ୍ଥାନୀୟ ଲୋକେ ସ୍ନାନ ସହ ଲୁଗାପଟା ଓ ଅନ୍ୟ ଆସବାବ ସାମଗ୍ରୀ ଧୋଇବା, ଯାନବାହନ ଧୋଇବା, ଘର ନିର୍ମାଣରେ ଆବଶ୍ୟକ ଜଳ ସାଙ୍ଗକୁ ଶୁଦ୍ଧି କାର୍ଯ୍ୟ ପ୍ରଭୃତି ପାଇଁ ଏହି ପୋଖରୀ ଉପରେ ନିର୍ଭର କରୁଥିଲେ। କିନ୍ତୁ ଗତ ତିନି ଚାରି ବର୍ଷ ହେଲାଣି ରକ୍ଷଣାବେକ୍ଷଣ ଅଭାବରୁ ଧୀରେ ଧୀରେ ପୋଖରୀ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପୋଖରୀରେ ଦଳ ସହ ଅନାବନା ଗଛ ଓ ଅଳିଆ ଆବର୍ଜନା ଭରି ରହିଥିବାରୁ ପାଣି ଦୂଷିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିବାରୁ ମୁକ୍ତା ଯୋଜନାରେ ପୋଖରୀର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟୀକରଣ ପାଇଁ ୧୪ଲକ୍ଷ ଟଙ୍କା ବ୍ୟୟବରାଦ କରିଥିଲେ। ପରେ କେବଳ ପୋଖରୀରୁ ପଙ୍କ ଉଦ୍ଧାର, ପଥର ଉଠା, ଆଡିବନ୍ଧ ନିର୍ମାଣ ପରେ ଗଛ ଲଗାଇବାରେ ୧୧ଲକ୍ଷ ଖର୍ଚ୍ଚ କରାଯାଇଛି। କିନ୍ତୁ ଏବେ ବନ୍ଧ ଉପରେ ଲଗାଯାଇ ଥିବା କୌଣସି ଗଛ ନାହିଁ କି କୌଣସି ଉନ୍ନତିମୂଳକ କାମ ହୋଇନାହିଁ। ସ୍ଥାନୀୟ ବାସିନ୍ଦା ଶାନ୍ତନୁ ବିଶ୍ବାଳ କହିଛନ୍ତି ଯେ ସମୟ ଥିଲା, ଏହି ପୋଖରୀ ଲୋକଙ୍କ ଜୀବନରେଖା ଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଏବେ ଏଭଳି ସ୍ଥିତି ଉପୁଜିଛି। କାଉନ୍ସିଲର ଦିଲୀପ ମାର୍ଥା କହିଛନ୍ତି ଯେ ଉନ୍ନତୀକରଣ ସହ ପୁନରୁଦ୍ଧାର ପାଇଁ ବନ୍ଧ ଉପରେ ଗଛ ଲଗାଇବା, ପଥର ଉଠିବା ସହ ମାଟି ଉଠା କାମ କରାଯାଇଛି। ତେବେ ମାଟି ଉଠାକୁ ନେଇ ବିବାଦ ହେବାରୁ କାମ ବନ୍ଦ କରାଯାଇଛି। ପୁଣି କିଛି ଦିନ ଭିତରେ କାମ ଆରମ୍ଭ ହୋଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/24/dadagadgzvc-2025-10-24-03-42-23.jpg)