ଜେଲ୍‌ରେ ମିଳିବ ମିଲେଟ୍

ଝାରପଡ଼ା ଜେଲ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ଜେଲ ଅନ୍ତେବାସୀଙ୍କ ଖାଦ୍ୟ ତାଲିକାରେ ମିଲେଟ୍ ସାମିଲ କରାଯିବ। ଏଥିପାଇଁ ପରୀକ୍ଷାମୂଳକ ଭାବରେ ଭୁବନେଶ୍ବରସ୍ଥିତ ଝାରପଡ଼ା ଜେଲକୁ ଗ୍ରହଣ କରାଯାଇଛି। ଆଜି ପ୍ରଥମ ଦିନରେ ଝାରପଡ଼ା ଜେଲ ଅନ୍ତେବାସୀଙ୍କୁ ମିଲେଟର ପାଉଁରୁଟି, ବିସ୍କୁଟ ଦିଆଯାଇଛି। ଖୁବ ଶୀଘ୍ର ତାଙ୍କ ଦୈନନ୍ଦିନ ଖାଦ୍ୟରେ ବି ମିଲେଟ୍ ରହିବ। ଓଡ଼ିଶା ମିଲେଟ୍ ମିସନ ପକ୍ଷରୁ ଝାରପଡ଼ା ଜେଲରେ ମିଲେଟ ଖାଦ୍ୟମେଳା ଏବଂ ପ୍ରଦର୍ଶନୀର ଆୟୋଜନ ହୋଇଛି।

ଏଥିରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ଯୋଗ ଦେଇ ମିଲେଟ୍ ଜାତୀୟ ଖାଦ୍ୟ ଅନ୍ତେବାସୀଙ୍କୁ କିଭଳି ସୁସ୍ଥ ଏବଂ ନିରୋଗ ରଖିବ ଏହାକୁ ନେଇ ଆଲୋଚନା ହୋଇଛି। କାରା ଉପମହାନିର୍ଦେଶକ ଶୁଭ୍ରକାନ୍ତ ମିଶ୍ର ମିଲେଟ୍‌କୁ ଖାଦ୍ୟ ସାରଣୀରେ ସାମିଲ ସହିତ ସ୍ବତନ୍ତ୍ର ବେକେରି ପ୍ରତିଷ୍ଠା ଯୋଜନା ସମ୍ପର୍କରେ କହିଛନ୍ତି। କାର୍ଯ୍ୟକ୍ରମରେ ଜେଲ ଅଧୀକ୍ଷକ ତଥା ନୋଡାଲ ଅଫିସର ବିନୋଦ ସାହୁ, ଝାରପଡ଼ା ଜେଲ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ, ଜେଲ ଅଧିକାରୀ ସନ୍ତୋଷିନୀ ଦାଶ, ଓଡ଼ିଶା ମିଲେଟ୍ ମିସନ ତଥା କୃଷି ବିଭାଗର ଯୁଗ୍ମ ନିର୍ଦେଶକ ଶୈଳେନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ, ଝାରପଡ଼ା ଜେଲରେ ମିଲେଟ ଖାଦ୍ୟର ଗ୍ରହଣୀୟତା ରହିଲେ ଅନ୍ୟ ଜେଲରେ କାର୍ଯ୍ୟକାରୀ ହେବ। ଏଥିପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର