ଭୁବନେଶ୍ବର: ଓଡ଼ିଶା ମିଲେଟ୍ ମିସନ ଏବଂ ଏମ୍ସର ସହଯୋଗରେ ଏମ୍ସ ପରିସରରେ ମିଲେଟ୍ କିଓସ୍କର ଉଦ୍ଘାଟନ ହୋଇଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏବଂ ଏମ୍ସର କାର୍ଯ୍ୟକାରୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ମିଳିତ ଭାବରେ ଏହାର ଉଦଘାଟନ କରିଥିଲେ। ଏହି ଅବସରରେ ଉଭୟ ମିଲେଟ୍ର ଉପକାରିତା ବିଷୟରେ ସୂଚନା ଦିଆଯାଇଥିଲା। ପୁରୁଣା ରୋଗୀ, ଗର୍ଭବତୀ ଏବଂ ପ୍ରସୂତିମାନଙ୍କ ପାଇଁ ମିଲେଟ୍ ବିଶେଷ ଉପଯୋଗୀ ବୋଲି ଉପସ୍ଥିତ ଡାକ୍ତରମାନେ କହିଥିଲେ।
ଦନ୍ତ ବିଭାଗର ପ୍ରଫେସର ଡା. ଅଶୋକ କୁମାର ଜେନା ମିଲେଟ୍ର ବ୍ୟବହାରକୁ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ବାଧ୍ୟତାମୂଳକ କରିବାକୁ ଗୁରୁତ୍ବ ଦେଇଥିଲେ। କ୍ୟାଲସିୟମ, ମାଙ୍ଗାନିଜ, ଫସ୍ଫେଟ, ଆଇରନ୍, ଏବଂ ଅନ୍ୟ ମାଇକ୍ରୋ ନ୍ୟୁଟ୍ରାଣ୍ଟସ୍ରେ ଭରପୂର ମିଲେଟ୍ ବିଭିନ୍ନ ରୋଗରୁ ରକ୍ଷା କରିପାରିବ ବୋଲି କହିଥିଲେ। ମିସନ ଶକ୍ତି ମହିଳାମାନଙ୍କ ଦ୍ୱାରା ପରିଚାଳିତ ଏହି କିଓସ୍କରେ ମିଲେଟ୍ରୁ ନିର୍ମିତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯଥା ଖୁରୁମା, କୁକିଜ୍, ମିକ୍ସଚର, ଗୋଟା ଶସ୍ୟ, ପେଷା ଶସ୍ୟ ଇତ୍ୟାଦି ମିଳିବ। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ଏମ୍ସ ଭୁବନେଶ୍ୱର ସହ ମିଳିତ ଭାବରେ ବିଭିନ୍ନ ଆବଶ୍ୟକୀୟ ପଦକ୍ଷେପମାନ ଗ୍ରହଣ କରୁଅଛି। ଏମ୍ସ କ୍ୟାଣ୍ଟିନ ଓ ହଷ୍ଟେଲ ଗୁଡିକରେ ମିଲେଟ୍ ପ୍ରସ୍ତୁତ ଖାଦ୍ୟ ପରିବେଷଣ, ରୋଗୀମାନଙ୍କୁ ମିଲେଟ ପ୍ରସ୍ତୁତ ଖାଦ୍ୟ ଗ୍ରହଣ ପାଇଁ ଡାକ୍ତର, ଡାଏଟିସିଆନ ପରାମର୍ଶ ଦେବା ଏବଂ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏମ୍ସରେ ତାଲିମ ଦେବା ଭଳି ଅନେକ କାର୍ଯ୍ୟକ୍ରମ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି।