ଭିଜିଲାନ୍‌ସ ଜାଲରେ ପୂର୍ତ୍ତ ବିଭାଗର କୋଟିପତି କିରାଣି: ୫ କୋଟି ୨୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ

ସାଢ଼େ ୩୫୦ ଗ୍ରାମ୍‌ ସୁନା, ନଗଦ ୧୦ ଲକ୍ଷ ଟଙ୍କା, ୨ କୋଟି ୭୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା

ଭୁବନେଶ୍ବର: ବନ ବିଭାଗ ଅଧିକାରୀ ଅଭୟକାନ୍ତ ପାଠକଙ୍କ ବେଆଇନ ସମ୍ପତ୍ତି ଠୁଳ ମାମଲା ଲୋକଙ୍କ ମନରୁ ନ ଲିଭୁଣୁ, ଆଜି ପୁଣି ଭିଜିଲାନ୍‌ସ ଟିମ୍‌ ଦ୍ବାରା ଜଣେ କିରାଣିଙ୍କ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି। ପୂର୍ତ୍ତ ବିଭାଗର ଏହି କୋଟିପତି କିରାଣିଙ୍କ ନିକଟରୁ ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଭିଜିଲାନ୍ସ ଜାଲରେ ପଡ଼ିଥିବା ଏହି କିରାଣି ହେଲେ, ଭୁବନେଶ୍ବର ପୂର୍ତ୍ତ ବିଭାଗ ଡିଭିଜନ୍-୧ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଅସିତ କୁମାର ନାୟକ। ତାଙ୍କ ଘର ଓ ଅଫିସ୍‌ ସମେତ ୫ଟି ଜାଗାରେ ଆଜି ଏକକାଳୀନ ଚଢ଼ଉ କରିଛି ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍। ଘରୁ ନଗଦ କ୍ୟାସ୍ ୧୦ଲକ୍ଷ ଟଙ୍କା, ୨ କୋଟି ୭୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ୩୫୦ ଗ୍ରାମ୍‌ ଓଜନର ସୁନା ଗହଣା ଜବତ କରାଯାଇଥିବା ବେଳେ ରାଜଧାନୀ, ଜଟଣୀ ଓ ବ୍ରହ୍ମପୁରରେ କୋଠା, ଫ୍ଲାଟ୍‌ ଓ ପ୍ଲଟ୍‌ ଠାବ କରାଯାଇଛି।

ଭିଜିଲାନ୍‌ସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଅସିତଙ୍କର ଡୁମୁଡୁମା ଫେଜ୍-୪ସ୍ଥିତ ପ୍ଲଟ୍ ନଂ-ଏଲ୍‌ଆଇଭି-୧୭୮ରେ ଏକ ତିନି ମହଲା କୋଠା ରହିଛି। ଏହାର ମୂଲ୍ୟ ୬୬ଲକ୍ଷ ୧୪ ହଜାର ଟଙ୍କା ବୋଲି ଆକଳନ କରାଯାଇଛି। ସୁନ୍ଦରପଦା-ଜଟଣୀ ରାସ୍ତା ପଧାନସାହିରେ ଗୋଟିଏ ଡୁପ୍ଲେକ୍ସ ଓ ବ୍ରହ୍ମପୁରରେ ଏକ ଡୁପ୍ଲେକ୍ସ (୫୭ ହଜାର ୭୧ ଲକ୍ଷ ଟଙ୍କା) ରହିଛି। ସେହିଭଳି ବ୍ରହ୍ମପୁର ସ୍ପେକ୍ଟ୍ରମ୍ କନଷ୍ଟ୍ରକ୍‌ସନ ଆପାର୍ଟମେଣ୍ଟରେ ୪୫ ଲକ୍ଷ ଟଙ୍କା ମୂଲ୍ୟର ଏକ ଫ୍ଲାଟ, ବ୍ରହ୍ମପୁର ବିଜିପୁରରେ ୬ ଲକ୍ଷ ଟଙ୍କାର ଏକ ମହଲା କୋଠା, ଜଟଣୀ ଓ ବ୍ରହ୍ମପୁରରେ ୮ଲକ୍ଷ ୬୦ ହଜାର ଟଙ୍କା ମୂଲ୍ୟର ୪ଟି ପ୍ଲଟ ଠାବ ହୋଇଛି। ଚଢ଼ଉ ବେଳେ ତାଙ୍କ ଘରୁ ସାଢ଼େ ୩୫୦ ଗ୍ରାମ୍ ସୁନା ଅଳଙ୍କାର, ପ୍ରାୟ ୨୫୦ ଗ୍ରାମର ରୁପା ଅଳଙ୍କାର, ନଗଦ ୧୦ ଲକ୍ଷ ୬୨ ହଜାର ୬୦୫ ଟଙ୍କା ଜବତ ହୋଇଛି। ବଡ଼ କଥା ହେଲା, ୨ କୋଟି ୭୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଠାବ କରିଛି ଭିଜିଲାନ୍‌ସ ଟିମ୍। ଠାବ ହୋଇଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୫ କୋଟି ୨୩ ଲକ୍ଷ ୬୨ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅସିତଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ।

ଏତେ ପରିମାଣର ସମ୍ପତ୍ତି କୁଆଡୁ ଆସିଲା ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଅସିତ କହିଛନ୍ତି ଯେ ଇଏ କ’ଣ ବେଶି ହୋଇଗଲା। ତାଙ୍କ ଚାକିରି କାଳ ଭିତରେ ନଗଦ ୧୦ ଲକ୍ଷ ଟଙ୍କା କ’ଣ ବେଶି ହୋଇଗଲା ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ। ବିଲ୍ ପାସ୍‌ କଲା ବେଳେ ଠିକାଦାରଙ୍କଠାରୁ ପିସି ନିଅନ୍ତି କି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ସେ କାହାକୁ ବାଧ୍ୟ କରନ୍ତି ନାହିଁ କି କାହାକୁ ହଇରାଣ କରି ଟଙ୍କା ଆଦାୟ କରନ୍ତି ନାହିଁ। କିଏ କେମିତି ମନ ଖୁସିରେ ଦିଅନ୍ତି ବୋଲି ସେ ବେଶ୍‌ ହାଲୁକା ଭାବେ କହିଥିଲେ। ଠାବ ହୋଇଥିବା ସମସ୍ତ ସମ୍ପତ୍ତି କଳାଧନ ନୁହେଁ ବୋଲି ସେ ସଫେଇ ଦେଇଥିଲେ। ଏମିତିକି ତାଙ୍କୁ ଫସାଇ ଦିଆଯାଇଛି ବୋଲି ସେ କହିଥିଲେ। ତେବେ ଏହି ବିପୁଳ ପରିମାଣର ସମ୍ପତ୍ତି ହାତେଇବା ପଛରେ ପିସି କାରବାର ଓ ଲାଞ୍ଚର ଗନ୍ଧ ସ୍ପଷ୍ଟ ବାରିଛି ଭିଜିଲାନ୍ସ ଟିମ୍‌। ତେବେ ଅସିତ୍ ଜଣେ ପିସିର ସୌଦାଗର ବୋଲି ଜଣାଶୁଣା ଥିବା ବିଭିନ୍ନ ସୂତ୍ରରୁ ଖବର ମିଳିଥିଲା। ଠିକାଦାରମାନଙ୍କୁ ବାଧ୍ୟ କରି ପିସି ଆଦାୟ କରୁଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା।

ସମ୍ବନ୍ଧିତ ଖବର