ପୁଲିସ୍‌କୁ ପାଠ ପଢ଼ାଉଛି କୋଟିପତି ଠକ ତୃପ୍ତି, ଜେରାରେ କରୁନି ସହଯୋଗ

କର୍ମଚାରୀ, ସହାୟକଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା, ବଢୁଛି ଅଭିଯୋଗ, ୨୪ରେ ପହଞ୍ଚିଲା ମାମଲା ସଂଖ୍ୟା

ଭୁବନେଶ୍ବର : ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇ ସେକେଣ୍ଡ ହ୍ୟାଣ୍ଡ ଚାରି ଚକିଆ ଗାଡ଼ି ବିକ୍ରି ନାଁରେ କୋଟି କୋଟି ଟଙ୍କା ଠକିଥିବା ଠକ ତୃପ୍ତିରଞ୍ଜନ ଦାସକୁ ରିମାଣ୍ଡରେ ଆଣି ଜେରା କରୁଛି ବଡ଼ଗଡ଼ ଥାନା ପୁଲିସ। କିନ୍ତୁ ତୃପ୍ତି ଏଲଏଲବି ଡିଗ୍ରିଧାରୀ ହୋଇଥିବାରୁ ପୁଲିସକୁ ଆଇନ ପାଠ ପଢ଼ାଉଛି। ତଦନ୍ତରେ ପୁଲିସକୁ ସହଯୋଗ କରୁନାହିଁ। ଯେମିତି ଲୋକଙ୍କଠାରୁ ଠକିଥିବା କୋଟି କୋଟି ଟଙ୍କା କେଉଁଠି ବିନିଯୋଗ କରିଛି? କେଉଁଠି ଲୁଚାଇ ରଖିଛି? ସେହି ଟଙ୍କାକୁ କ’ଣ କରିଛି ? ସେ ସମ୍ପର୍କରେ ମୁହଁ ଖୋଲୁନାହିଁ। କେମିତି ଆଇନଗତ ଉପାୟରେ ପୁଲିସକୁ ଚେକ୍ ଦେଇହେବ, ତାହାର ତରିକା ପ୍ରୟୋଗ କରୁଛି। ଫ​ଳରେ ତିନି ଦିନ ଭିତରେ ତଦନ୍ତକାରୀ ଟିମ୍‌କୁ ସେମିତି ଠୋସ୍ ତଥ୍ୟ ମିଳିପାରୁ ନାହିଁ। କିନ୍ତୁ ପୁଲିସ ତଦନ୍ତ ବେଳେ ଅଧିକ ତଥ୍ୟ ପାଇଛି। ସେହି ସଂସ୍ଥାରେ କାମ କରୁଥିବା କର୍ମଚାରୀ ଓ କିଛି ସହାୟକଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଯାଇଥିବା ଜାଣିବାକୁ ପାଇଛି। କର୍ମଚାରୀଙ୍କୁ ଜେରା କରାଯିବ ସହ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିଛି ପୁଲିସ। କେଉଁ ଆକାଉଣ୍ଟରେ କେତେ ଟଙ୍କା ରହିଛି? ଏହି ଟଙ୍କା କେମିତି ଜମା ହୋଇଛି? ତୃପ୍ତି କିମ୍ବା ତାହାର କୌଣସି ସମ୍ପର୍କୀୟଙ୍କ ଆକାଉଣ୍ଟରୁ ଟଙ୍କା ଆସିଛି କି? ସେ ସମ୍ପର୍କରେ ଖୋଳତାଡ଼ କରୁଛି ପୁଲିସ। ଏହି ଆକାଉଣ୍ଟ ସମ୍ପର୍କରେ ଅଧିକ ତଥ୍ୟ ଦେବା ଲାଗି ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକୁ ଚିଠି ଲେଖାଯାଇଛି। ତଥ୍ୟ ମିଳିବା ପରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି ପୁଲିସ୍‌ କହିଛି।

ଅନ୍ୟପକ୍ଷରେ ତୃପ୍ତିର ଜବତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରୁ ଗତକାଲି ୧୦ ଲକ୍ଷ ଟଙ୍କା ବାହାରିଥିବା ବେଳେ ଆଜି ଆଉ ପ୍ରାୟ ୩ ଲକ୍ଷ ଟଙ୍କା ମିଳିଛି। ସେହିପରି ଅନ୍ୟ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କ‌ରେ ତଥ୍ୟ ମଗା ଯାଇଥିବା ବେଳେ ଖୁବ୍‌ଶୀଘ୍ର ମିଳିବ ବୋଲି ଜଣାପଡ଼ିଛି। ତୃପ୍ତି ବିରୋଧରେ ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସନ୍ଧ୍ୟାରେ ଆଉ କିଛି ଅଭିଯୋଗ ଥାନାରେ ପହଞ୍ଚିଛି। ଆଜି ଆଉ ୩ଟି ମାମଲା ରୁଜୁ ହୋଇଥିବା ବେଳେ ବଡ଼ଗଡ଼ ଥାନାରେ ମାମଲା ସଂଖ୍ୟା ୨୪ରେ ପହଞ୍ଚିଛି। ଅଭିଯୋଗ ସଂଖ୍ୟା ଆହୁରି ବଢ଼ିବ ବୋଲି ଜଣାପଡ଼ିଛି। ଫେରାର୍‌ ହୋଇଯାଇଥିବା ପତ୍ନୀକୁ ପୁଲିସ ଖୋଜୁଛି। ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ବଡ଼ଗଡ଼ ଥାନା ପୁଲିସ ତୃପ୍ତିକୁ ଗିରଫ କରିଥିଲା। ଅଧିକ ଖୋଳତାଡ଼ ଲାଗି ୧୪ ତାରିଖରେ ୭ ଦିନିଆ ରିମାଣ୍ଡରେ ଆଣିଛି ତତଦନ୍ତକାରୀ ଟିମ୍।

ସମ୍ବନ୍ଧିତ ଖବର