କେବଳ ଶୌଚଯୋଗ୍ୟ ଗାଁ ପୋଖରୀ, ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିଲା

ଚନ୍ଦ୍ରଶେଖରପୁର: ଗ୍ରାମାଞ୍ଚଳର ପୋଖରୀ ସବୁକୁ ପୁନରୁଦ୍ଧାର କରିବା ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ମାତ୍ର ମରାମତି ଓ ପୁନରୁଦ୍ଧାର ପରେ ଗାଁ ପୋଖରୀ କେବଳ ଶୌଚଯୋଗ୍ୟ ହୋଇ ପଡ଼ିଛି। ପାଣି ଅବସ୍ଥ‌ା ଏତେ କଦର୍ଯ୍ୟ ଯେ ଲୋକେ ଏଠାରେ ଦଶାହ କାର୍ଯ୍ୟ କରିବା ପାଇଁ ମଧ୍ୟ ନାକ ଟେକୁଛନ୍ତି। ରଙ୍ଗମାଟିଆ, ଭୋଟପଡ଼ା ଓ ଗାଡ଼କଣ ଗାଁ ପୋଖରୀକୁ ଦେଖିଲେ ଏହି ଚିତ୍ର ସ୍ପଷ୍ଟ ଜଣାପଡ଼େ।

ରଙ୍ଗମାଟିଆ ଗାଁ ପୋଖରୀକୁ ବିଏମ୍‌ସି ଦ୍ବାରା ପୁନରୁଦ୍ଧାର କରାଯାଇଛି। ସିମେଣ୍ଟ କଂକ୍ରିଟ୍ ପାଚେରି ଓ ଷ୍ଟିଲ୍ ରେଲିଂ ଖଞ୍ଜାଯାଇ ଚାରିପାଖ ସଜା ଯାଇଛି।‌ କୂଳରେ ବସିବା ପାଇଁ ସିମେଣ୍ଟ ଚଉକି ତିଆରି କରାଯାଇଛି। ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ ପୃଥକ ଗାଧୁଆ ତୁଠ କରାଯାଇଛି। ମାତ୍ର ଏବେ ପୋଖରୀରେ ଦୁଇ ଫୁଟ ଗଭୀରରୁ କମ୍ ପାଣି ଅଛି। ପଙ୍କ ଉଦ୍ଧାର କରାଯାଉନାହିଁ। ପୋଖରୀରେ କୁଢ଼କୁଢ଼ ପଲିଥିନ୍, କାଗଜ ଓ ଅଳିଆ ଭାସୁଛି। ଫଳରେ ପଚା ପାଣିରେ କେହି ଗୋଡ଼ ବୁଡ଼ାଇବାକୁ ମନ କରୁନାହାଁନ୍ତି। ଭୋଟପଡ଼ା ଗ୍ରାମରେ ଥିବା ପୁରୁଣା ବୁଡ଼ୁନଈ ପୋଖରୀରେ ୨୦ଲକ୍ଷ ୯୧ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର ଗୋଟିଏ ବର୍ଷ ପରେ ଉକ୍ତ ପୋଖରୀ ପାଚେରି ଭାଙ୍ଗିଯିବା ସହ ଚାରିପାଖରେ ଥିବା ସିମେଣ୍ଟ ଚଉକି ଫାଟି ଚୁନା ହୋଇଯାଇଛି। ପୋଖରୀ ଜଳ ଭଲ ନଥିବାରୁ ଲୋକେ ଏଠାରେ ଗାଧୋଇବାକୁ ପସନ୍ଦ କରୁନାହାନ୍ତି। ଲୋକେ କେବଳ ଦଶାହ ତୁଠ କାମ କରୁଛନ୍ତି। ସେହିଭଳି ଗାଡ଼କଣ ଗାଁ ପୋଖରୀରେ ୩୪ଲକ୍ଷ ୮୩ହଜାର ଟଙ୍କା ବ୍ୟୟ କରାଯାଇଛି। ତେବେ ଗାଁ ଲୋକଙ୍କ ଯତ୍ନ ପାଇଁ ପୋଖରୀଟି ବ୍ୟବହାର ଉପଯୋଗୀ ହୋଇ ରହିଛି। ମାତ୍ର ପୋଖରୀ ଚାରିପାଖରେ ବସିବା ପାଇଁ ସ୍ଥାନ ଓ ସବୁଜିମା ପାଇଁ ବ୍ୟୟ ହୋଇଥିବା ଅର୍ଥ ପାଣିରେ ପଡ଼ି ଯାଇଛି ବୋଲି ଅଭିଯୋଗ ହେଉଛି। ପୋଖରୀ ଚାରିପାଖରେ ଲାଗିଥିବା ଗଛଗୁଡ଼ିକ ଆଉ ନାହିଁ। ଫଳରେ ପୋଖରୀର ସୌନ୍ଦର୍ଯ୍ୟପୂରା ନଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର