ମେଣ୍ଢାଶାଳ: ପିତାପଲ୍ଲୀ-ବାରଙ୍ଗ ରାସ୍ତା ପ୍ରଶସ୍ତୀକରଣ ପାଇଁ ନିର୍ମାଣ କାର୍ଯ୍ୟ ଚାଲିଛି। ତେଣୁ ରାସ୍ତାର ଦୁଇ ପାର୍ଶ୍ବରେ ଥିବା ବହୁ ପୁରାତନ ବ୍ରିଟିଶ୍ ଅମଳର ଆମ୍ବ ଗଛଗୁଡ଼ିକୁ କାଟି ଦିଆଯାଇଛି। ଦାରୁଠେଙ୍ଗଠାରୁ ଜାମୁଝରୀ ପର୍ଯ୍ୟନ୍ତ ଚନ୍ଦକା ଡିଭିଜନର ଓ ଜାମୁଝରୀଠାରୁ ପିତାପଲ୍ଲୀ ପର୍ଯ୍ୟନ୍ତ ଖୋର୍ଦ୍ଧା ଡିଭିଜନର ଶହ ଶହ ଆମ୍ବ ଗଛ ସବୁ ରାସ୍ତା ପାଇଁ ବଳି ପଡ଼ିଯାଇଛି। ତେବେ ସେହିଦିନଠାରୁ କଟା ହୋଇଥିବା ଆମ୍ବ ଗଛଗୁଡିକ ରାସ୍ତା କଡ଼ରେ ପଡ଼ିଛି। ବନବିଭାଗ ଦ୍ବାରା କଟା ହୋଇଥିବା ଲକ୍ଷାଧିକ ଟଙ୍କାର ଆମ୍ବ ଗଛର ଗଣ୍ଡି ସବୁ ରାସ୍ତା କଡ଼ରେ ପଡ଼ିରହିଛି। ନିକଟସ୍ଥ ଗାଁର ଲୋକେ ବହୁ ଆମ୍ବ ଗଛ ଗଣ୍ଡିଗୁଡ଼ିକୁ ଚୋରି କରି ନେଇଗଲେଣି। କଟା ହେବା ପରେ ବନ ବିଭାଗ ଏହାକୁ ନିଲାମ କରିବା ପାଇଁ ମୂଲ୍ୟ ନିର୍ଦ୍ଧାରଣ କରିଥିଲା। ୧୨ ଫୁଟ ଲମ୍ବ ୩ ଫୁଟ ଗୋଲେଇର କାଠକୁ ସରକାରୀ ମୂଲ୍ୟ ୨୮୭୫ ଟଙ୍କା ଦରରେ ନିଲାମ କରାଯିବ ବୋଲି ନିର୍ଦ୍ଧାରଣ କରାଯାଇଛି। କିନ୍ତୁ କିଣିବା ବଦଳରେ ଲୋକମାନେ ବିଳମ୍ବିତ ରାତିରେ କାଠଗଣ୍ଡି ସବୁ ଚୋରି କରି ନେଇ ଗଲେଣି। ଏବେ ଯେତିକି ଅଛି, ତାହା ଶାଗମାଛ ଦରରେ ବିକ୍ରି ହେଉଥିବା ଜଣାପଡ଼ିଛି।