ବାଲିଅନ୍ତା ବଜାର: ଆଜି ରାତିରେ ପାହାଳ ଥାନା ରୁଦ୍ରପୁରସ୍ଥିତ ଏକ ହୋମ୍ ଆପ୍ଲିଆନ୍ସେସ୍ ଗୋଡାଉନ୍ରେ ନିଆଁ ଲାଗିବାରୁ କୋଟିକୋଟି ଟଙ୍କା ମୂଲ୍ୟର ଟିଭି, ଏସି, ୱାସିଂ ମେସିନ୍ ଓ ରେଫ୍ରିଜରେଟର୍ ସହିତ ସ୍ପେୟାର୍ ପାର୍ଟସ ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଆୟତ୍ତ କରିବାକୁ ୫ ଦମକଳ ଗାଡ଼ିକୁ ପାଖାପାଖି ୩ ଘଣ୍ଟା ସମୟ ଲାଗିଛି। ଭିତରେ ବିଭିନ୍ନ ଉପକରଣର କମ୍ପ୍ରେସର୍ ଥିବାରୁ ବିସ୍ଫୋରଣ ଭୟରେ ଭିତରକୁ ପଶିବା ସମ୍ଭବ ହୋଇନଥିଲା। ତେଣୁ ନିଆଁକୁ ଆୟତ୍ତ କରିବା ବିଳମ୍ବ ହୋଇଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। କିନ୍ତୁ ବିଦ୍ୟୁତ୍ ସଟ୍ ସର୍କିଟ୍ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଏତେବଡ଼ ଗୋଡାଉନ୍ ହୋଇଥିଲେ ବି ସେଠାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବାରୁ ନିଆଁକୁ ତୁରନ୍ତ ଆୟତ୍ତ କରିବା ସମ୍ଭବ ହୋଇନଥିବା ଜଣାପଡ଼ିଛି। ସେହିଭଳି ଗୋଡାଉନ୍ ବନ୍ଦ ଥିବା ବେଳେ ଭିତରେ ଅଗ୍ନିକାଣ୍ଡ ଘଟିଥିବାରୁ ନିଆଁ ବହୁ ଦ୍ରୁତବେଗରେ ବ୍ୟାପିଯାଇଥିଲା।
ସବୁଦିନ ଭଳି ଆଜି ରାତି ପ୍ରାୟ ସାଢ଼େ ୭ଟା ସୁଦ୍ଧା ଗୋଡାଉନ୍ ବନ୍ଦ କରି କର୍ମଚାରୀମାନେ ଚାଲିଯାଇଥିଲେ। କେବଳ ପରିସର ବାହାରେ ସୁରକ୍ଷାକର୍ମୀମାନେ ଜଗି ରହିଥିଲେ। ରାତି ପ୍ରାୟ ୮ଟା ବେଳେ ଭିତରୁ ପ୍ରବଳ ଧୂଆଁ ବାହାରିବା ଦେଖି ନିକଟସ୍ଥ ମଲ୍ର ଲୋକେ ସୁରକ୍ଷା କର୍ମଚାରୀମାନଙ୍କୁ ଜଣାଇଥିଲେ। ଭିତରେ ନିଆଁ ଲାଗିଥିବା ଜାଣିବା ପରେ ସୁରକ୍ଷାକର୍ମୀ ଗୋଡାଉନ୍ ମାଲିକଙ୍କୁ ଜଣାଇଥିଲେ। ମାଲିକ ତୁରନ୍ତ ପାହାଳ ଅଗ୍ନିଶମ ବାହିନୀକୁ ଜଣାଇ ଘଟଣାସ୍ଥଳକୁ ଆସିଥିଲେ। ପ୍ରଥମେ ପାହାଳ ଓ ଭୁବନେଶ୍ବରରୁ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା। ପରେ ଅସମ୍ଭାଳ ପରିସ୍ଥିତି ଦେଖି ଆଉ ୨ଟି ଦମକଳ ଗାଡ଼ି ସେଠାରେ ପହଞ୍ଚିଥିଲା। ସାଢ଼େ ୮ଟାରୁ ପାଖାପାଖି ସାଢ଼େ ୧୧ଟା ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରିବାକୁ ଅପରେସନ୍ ଜାରି ରହିଥିଲା। କ୍ଷୟକ୍ଷତିର ଆକଳନ ହୋଇପାରିନାହିଁ। କିନ୍ତୁ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ଯନ୍ତ୍ରାଂଶ ପୋଡ଼ି ଯାଇଥିବା ଜଣାପଡ଼ିଛି।