ସରୋଜର ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା, ବଢୁଛି ଅଭିଯୋଗ ତାଲିକା

ତିନି ଦିନିଆ ରିମାଣ୍ଡ ଶେଷ, ପ୍ରେମିକାର ପତ୍ତା ମିଳୁନି

ଧଉଳି: ଚାକିରି ନାଁରେ ଲକ୍ଷାଧିକ ଟଙ୍କାର ଚୂନ ଲଗାଇଥିବା କୁଖ୍ୟାତ ଠକ ସରୋଜ କୁମାର ଜେନା ବିରୋଧରେ ଅଭିଯୋଗ ତାଲିକା ବଢ଼ିବାରେ ଲାଗିଛି। ଆଜି ଆଉ ଏକ ଅଭିଯୋଗ ଥାନାରେ ପହଞ୍ଚିଛି। ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କୁ ରେଳବାଇରେ କିରାଣି ଚାକିରି କରାଇ ଦେବାକୁ କହି ପ୍ରଥମ ପର୍ଯ୍ୟାୟରେ ୭୦ ହଜାର ଟଙ୍କା ଠକି ନେଇଛି। ଏ ନେଇ ଧଉଳି ଥାନାରେ ଲିଖିତ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଛି।

ଶ୍ରୀଲିଙ୍ଗରାଜ ଥାନା ଅଧୀନ ମହାବୀର ନଗରର ବାସିନ୍ଦା ଦେବଦତ୍ତ ପଣ୍ଡାଙ୍କ ପତ୍ନୀ ରାଜଶ୍ରୀ ପଣ୍ଡାଙ୍କଠାରୁ ରେଲୱେରେ ଚାକିରି କରାଇ ଦେବା ପାଇଁ କହି ଗତ ଫେବ୍ରୁଆରି ମାସରେ ଟଙ୍କା ନେଇଥିଲା ସରୋଜ। ସରୋଜ ନୂଆଗାଁ ସ୍ଥିତ ଭଡ଼ାଘରେ ଚାଲିଥିବା ଅଫିସକୁ ଡକାଇ ରାଜଶ୍ରୀଙ୍କଠାରୁ ଟଙ୍କା ନେଇଥିଲା। କିନ୍ତୁ ପରେ ଆଉ ଚାକିରି ଦେଇ ନ ଥିଲା। ସରୋଜ ଗିରଫ ହୋଇଥିବା ଜାଣିବା ପରେ ଏହି ଅଭିଯୋଗ ହୋଇଥିଲା। ୩ ଦିନିଆ ରିମାଣ୍ତରେ ଆଣି ସରୋଜକୁ ପଚରାଉଚରା କରିବାରୁ ତା’ଠାରୁ ପୁଲିସ ଏହା ଜାଣିବାକୁ ପାଇଛି। ମଳିଥିବା ସୂଚନା ମୁତାବକ ସରୋଜ ନାମରେ ବିଭିନ୍ନ ବ୍ୟାଙ୍କରେ ୪ଟି ଆକାଉଣ୍ଟ ରହିଛି। ସେଥିମଧ୍ୟରୁ ୩ଟି ଆକାଉଣ୍ଟରେ ଅଳ୍ପ କିଛି ଟଙ୍କା ଥିବା ବେଳେ ବାକି ଅନ୍ୟ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ରହିଛି। ସରୋଜ ନାମରେ ଥିବା ସବୁ ବ୍ୟାଙ୍କ ଆକାଉଣ୍ଟକୁ କେଉଁ ଆକାଉଣ୍ଟରୁ ଟଙ୍କା ଆସିଥିଲା ଏବଂ କେଉଁ ଆକାଉଣ୍ଟକୁ ଟଙ୍କା ଯାଇଛି ତାହା ପୁଲିସ ଯାଞ୍ଚ କରିଥିଲା। ବ୍ୟାଙ୍କରୁ ସବିଶେଷ ତଥ୍ୟ ପହଞ୍ଚିବା ପରେ ପୂରା କାରବାର ସମ୍ପର୍କରେ ସ୍ପଷ୍ଟ ସୂଟନା ମିଳିପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ସରୋଜ ଗିରଫ ହେବା ଘଟଣାକୁ ୪ ଦିନ ବିତି ଯାଇଥିବା ବେଳେ ପ୍ରେମିକା ରଶ୍ମିଲତା ମହାନ୍ତିର ପତ୍ତା ମିଳିପାରୁ ନାହିଁ। ପୁଲିସର ଏକ ଟିମ୍ ରଶ୍ମିଲତାର ଗାଁ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ବନ୍ଦର ଗାଁରେ ଚଢ଼ଉ କରି ଖାଲି ହାତରେ ଫେରିଛି। ରଶ୍ମିଲତା ଏବେ କେଉଁଠି ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଠକେଇ ରାକେଟ୍‌ରେ ଏହି ଦୁଇ ଜଣ ନା ଆଉ କେହି ସାମିଲ ଅଛନ୍ତି ସେ ନେଇ ପୁଲିସ ଖୋଳତାଡ଼ ଚଳାଇଛି। ସୂଚନାଯୋଗ୍ୟ, ସରକାରୀ ଚାକିରି କରାଇ ଦେବା ନାଁରେ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିଲା ସରୋଜ। ଏ ନେଇ ଧଉଳି ଥାନାରେ ଗତ ୨୫ ତାରିଖରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଥିଲା। ୨୬ ତାରିଖରେ ସରୋଜକୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର