ସଂଭାବନାର ଓଡ଼ିଆ ସ୍ବାଭିମାନ ସମାରୋହ, ମୀନା ପାଣିଗ୍ରାହୀ ଶ୍ରେଷ୍ଠ ଓଡ଼ିଆଣୀ

ଭୁବନେଶ୍ୱର: ସଂଭାବନା ପକ୍ଷରୁ ଆୟୋଜିତ ‘ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା’ର ବିଜୟିନୀଙ୍କ ନାମ ଘୋଷିତ ହୋଇଛି। ଆଜି ଜୟଦେବ ଭବନଠାରେ ଆୟୋଜିତ ‘ଶ୍ରେଷ୍ଠ ଓଡ଼ିଆଣୀ ସମ୍ବର୍ଦ୍ଧନା ଉତ୍ସବ’ ଓ ‘ଓଡ଼ିଆ ସ୍ୱାଭିମାନ ସମାରୋହ’ରେ ଚଳିତ ବର୍ଷର ଶ୍ରେଷ୍ଠ ଓଡ଼ିଆଣୀ ଭାବେ ମୀନା ପାଣିଗ୍ରାହୀ ସମ୍ମା‌ନିତ ହୋଇଛନ୍ତି। ସେହିପରି ସହ-ଶ୍ରେଷ୍ଠ ଓଡ଼ିଆଣୀର ଟାଇଟଲ ସୌଭାଗ୍ୟଲକ୍ଷ୍ମୀ ମହାନ୍ତି ଜିତିଛନ୍ତି। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଉଦ୍‌ଘାଟକ ଭାବେ ସଂଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ କଣ୍ଠଶିଳ୍ପୀ ତୃପ୍ତି ଦାସ ଉପସ୍ଥିତ ଥିଲେ। କମ୍ୟୁନିଷ୍ଟ ନେତା ରାମକୃଷ୍ଣ ପଣ୍ଡା ଓ ୨୦୧୮ର ଶ୍ରେଷ୍ଠ ଓଡ଼ିଆଣୀ ଚନ୍ଦ୍ରପ୍ରଭା ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭିକ ସୂଚନା ଦେଇଥିଲେ ପରିଚାଳନା ଟ୍ରଷ୍ଟି ତଥା ସଂପାଦକ ଦେବ ପ୍ରସାଦ ପରିଜା।

ଏହି ଅବସରରେ ସଂଭାବନାର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି ଏହି ପ୍ରତିଯୋଗିତାରେ ପ୍ରଥମ ଶ୍ରେଷ୍ଠ ଦଶଟି ସ୍ଥାନ ଅଧିକାର କରିଥିବା ଓଡ଼ିଆଣୀ ନାମ ଘୋଷଣା କରିଥିଲେ। ଝୋଟି, ପିଠା, ଓଡ଼ିଆ ତିଅଣ, ଶଙ୍ଖଫୁଙ୍କା, ଢଗଢମାଳି, ପାରମ୍ପରିକ ସଂଗୀତ, ପାନଭଙ୍ଗା, ପୁରାଣ ଆବୃତ୍ତି, ମୁରୁଜ, ହୁଳହୁଳି, ଓଡ଼ିଆ ଭାଷାଜ୍ଞାନ ଓ ଓଡ଼ିଆଣୀ ବେଶଭୂଷା ଆଦି ପ୍ରତିଯୋଗିତାରେ ପ୍ରଥମ ୩ ସ୍ଥାନରେ ଥିବା ୩୩ କୃତୀ ଓଡ଼ିଆଣୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବକ୍ତୃତା ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ ହାସଲ କରିଥିବା ସଲୋନୀ ଆଚାର୍ଯ୍ୟଙ୍କୁ ‘ପ୍ରଫୁଲ୍ଲ ଜଗଦ୍ଦେବ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବହୁ ବର୍ଷ ଧରି ଓଡ଼ିଆଣୀ ପ୍ରତିଯୋଗିତାରେ ଉତ୍ସର୍ଗୀକୃତ ଭାବେ ଅଂଶଗ୍ରହଣ କରୁଥିବା ବିଦୁଲତା ସ୍ୱାଇଁ, ମମତା ଦାସ, ସବିତା ତ୍ରିପାଠୀ, ଜ୍ୟୋତି ଗିରି, ସଂଯୁକ୍ତା ସ୍ୱାଇଁ , ଜ୍ୟୋତ୍ସ୍ନାରାଣୀ ପତ୍ରୀ ଓ ବେବିରାଣୀ ଦାସଙ୍କୁ ‘ସମର୍ପିତ ଓଡ଼ିଆଣୀ ସମ୍ମାନ ୨୦୧୯’ରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର