ପୂଜା ପାଇଁ ବିଏମ୍‌ସି ଜାରି କଲା ଏସ୍‌ଓପି: ପୂଜା ପୂର୍ବରୁ ରାସ୍ତା, ଡ୍ରେନ୍ ମରାମତି ହେବ

ମୀନାବଜାର, ଦୋକାନୀଙ୍କଠାରୁ ଟିକସ ଆଦାୟ ହେବ

ଭୁବ‌େନଶ୍ବର : ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ଦୁର୍ଗା ପୂଜା, ଗଜଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଆସୁଛି। ଏହାକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ଆଜି ବିଭିନ୍ନ ପୂଜା କମିଟିର ମୁଖ୍ୟମାନଙ୍କୁ ଡାକି ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ବିଷୟରେ ଆଲୋଚନା ହୋଇଛି। ଏହାସହ ବିଏମ୍‌ସି ପକ୍ଷରୁ ପୂଜା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍ (ଏସ୍‌ଓପି) ଜାରି ହୋଇଛି।

ବିଏମ୍‌ସି କମିସନର୍‌ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ନିଷ୍ପତ୍ତି ହୋଇଛି, ସମସ୍ତ ପୂଜା କମିଟି ବିଏମ୍‌ସିଠାରୁ ଏନ୍ଓସି ନେବେ। ଲାଇସେନ୍ସ ସେକ୍ସନରୁ ଏନ୍‌ଓସି ସଂଗ୍ରହ କରିବାକୁ କୁହାଯାଇଛି। ବିଏମ୍‌ସି ଚଳିତବର୍ଷଠାରୁ ସମସ୍ତ ପୂଜା ମଣ୍ଡପ ନିକଟରେ ପଡ଼ୁଥିବା ମୀନାବଜାର ଓ ଦୋକାନ ପାଇଁ ଜାଗା ଆବଣ୍ଟନ କରିବ। ପୂଜା କମିଟି ଏହି ଦୋକାନଗୁଡ଼ିକଠାରୁ ରାଜସ୍ବ ଆଦାୟ କରିବ। ମୀନାବଜାର ପାଇଁ ବିଏମ୍‌ସିର ଜୋନାଲ ଡେପୁଟି କମିସନରମାନେ ପବ୍ଲିକ ରିସୋର୍ଟସ ଏଣ୍ଟରଟେନମେଣ୍ଟ ଟ୍ୟାକ୍ସ (ପିଆରଇଟି) ଆଦାୟ କରି‌ବେ। ଦୁର୍ଗା ପୂଜା ସମୟରେ ଖୋଲିବାକୁ ଥିବା ଉଠାଦୋକାନଗୁଡ଼ିକୁ ବି ଅସ୍ଥାୟୀ ଟ୍ରେଡ୍‌ ଲାଇସେନ୍ସ ବିଏମ୍‌ସି ଦେବ। କେବଳ ଏତିକି ନୁହେଁ, ପୂଜା ମଣ୍ଡପ ନିକଟରେ ଯଦି ପୂଜା କମିଟି କିମ୍ବା କୌଣସି ବିଜ୍ଞାପନ ସଂସ୍ଥା ପକ୍ଷରୁ ହୋର୍ଡିଂ ଲାଗିବ, ତେବେ ସେ ବାବଦକୁ ଫି’ ବି ବିଏମ୍‌ସି‌ ନେବ। ବିଏମ୍‌ସିର ଏହି ନିଷ୍ପତ୍ତି ପରେ ପୂଜା କମିଟିଗୁଡ଼ିକର ଚିନ୍ତା ବଢ଼ି ଯାଇଛି। ପୂଜା କମିଟିଗୁଡ଼ିକ ମୀନାବଜାର ଉଠାଦୋକାନୀ, ବିଜ୍ଞାପନ ବାବଦକୁୁ କିଛି ପରିମାଣର ଫି’ ନେଇ ପୂଜା ଖର୍ଚ୍ଚ ତୁଲାଉଥିବା ବେଳେ ବିଏମ୍‌ସି ଏବେ ଏହି ରାଜସ୍ବ ନେବ ବୋଲି କହିବା ପରେ କିପରି ପୂଜା ଖର୍ଚ୍ଚ ଉଠିବ, ସେ ନେଇ ପୂଜା କମିଟିଗୁଡ଼ିକୁ ଚିନ୍ତା ଘାରିଲାଣି।

ସେହିପରି ରାଜଧାନୀର ପ୍ରାୟ ସମସ୍ତ ସ୍ଥାନରେ ରାସ୍ତା, ଡ୍ରେନ୍ ବ୍ୟବସ୍ଥା ଉଜୁଡ଼ି ଯାଇଥିବା ବେଳେ ପୂଜା ପୂର୍ବରୁ ଏହାକୁ ମରାମତି କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ସିଟି ଇଞ୍ଜିନିୟର ପୂଜା ମଣ୍ଡପକୁ ‌ସଂଯୋଗ କରିଥିବା ରାସ୍ତାଗୁଡ଼ିକର ସର୍ଭେ କରି ରିପୋର୍ଟ ଦେବେ। ଖରାପ ହୋଇଥିଲେ ଏହାକୁ ତୁରନ୍ତ ମରାମତି କରାଯିବ। ସେହିପରି ସହକାରୀ ଯନ୍ତ୍ରୀ (ଇଲେକ୍ଟ୍ରିକାଲ) ବିଭିନ୍ନ ଅଞ୍ଚଳରେ ଷ୍ଟ୍ରିଟଲାଇଟ୍‌ ଜଳୁଛି କି ନାହିଁ ସର୍ଭେ କରି ଦେଖିବେ। ଡ୍ରେନେଜ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ପରିଦର୍ଶନ କରି ଦେଖିବେ ଯେ କୌଣସି ପୂଜା ମଣ୍ଡପ ନିକଟରେ ଡ୍ରେନ୍ ଭାଙ୍ଗିଛି କି ନାହିଁ। ଯେପରି ଡ୍ରେନ୍ ପାଣି ପୂଜା ମଣ୍ଡପ ନିକଟକୁ ନ ଆସିବ, ସେହି ଅନୁଯାୟୀ ମରାମତି କରିବେ। ବିଏମ୍‌ସି ପରିବେଶ ଅଧିକାରୀ ପୂଜା ମଣ୍ଡପ ନିକଟରୁ ଗଛର ଡାଳଗୁଡ଼ିକୁ କାଟିବେ। ନଗର ସ୍ବାସ୍ଥ୍ୟ ଅଧିକାରୀ ପୂଜା ମଣ୍ଡପ ନିକଟରେ ସ୍ବଚ୍ଛତା, ନିୟମିତ ଅଳିଆ ଉଠିବା ନେଇ ପଦକ୍ଷେପ ନେବେ। ସବୁ ମୂର୍ତ୍ତି ଯେପରି ନଦୀପଠାରେ ଖୋଳା ହୋଇଥିବା ଅସ୍ଥା‌ୟୀ ପୋଖରୀରେ ବିସର୍ଜନ ହେବ ସେନେଇ ନିଶ୍ଚିତ କରିବେ ସିଟି ଇଞ୍ଜିନିୟର।

ଏହାବାଦ୍ ପୂଜା କମିଟିଗୁଡ଼ିକ ନିଶ୍ଚିତ କରିବ ଯେ ପୂଜା ମଣ୍ଡପ ଏବଂ ଏହା ଆଖପାଖରେ ଯେପରି ପଲିଥିନି ବ୍ୟବହାର ହେବନି। ସମସ୍ତ ପୂଜା ମଣ୍ଡପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ପୂଜା କମିଟିଗୁଡ଼ିକୁ କୁହାଯାଇଛି।

ସମ୍ବନ୍ଧିତ ଖବର