ରୋଗ ଯନ୍ତ୍ରଣାରେ ଛଟପଟ ଦିବ୍ୟାଙ୍ଗ ମିନତି

ବାଲିପାଟଣା: ସାମାନ୍ୟଭାବେ ମାନସିକ ଭାରସାମ୍ୟ ହରାଇ ବସିଥିବା ମିନତିଙ୍କ ରୋଗ ଯନ୍ତ୍ରଣା ଦିନକୁ ଦିନ ବଢ଼ି ଚାଲିଛି। ଅପରେସନ୍‌ ନ ହେଲେ ଆଗକୁ ବଡ଼ଧରଣର ବିପଦ। ମାତ୍ର ଦିବ୍ୟାଙ୍ଗ ଭଉଣୀର ଚିକିତ୍ସା କରାଇ ପାରୁନି ଦିବ୍ୟାଙ୍ଗ ଭାଇ। ଅର୍ଥାଭାବ ଭଉଣୀର ଚିକିତ୍ସାରେ ସାଜିଛି ବାଧକ। ସ୍ବାମୀ ପର କରିଦେବା ପରେ ଭାଇ ଭଉଣୀକୁ ଆଣି ପାଖରେ ରଖିଲେ ବି ଚିକିତ୍ସା ପାଇଁ ଆବଶ୍ୟକ ସମ୍ବଳ ନାହିଁ। ତେଣୁ ଘର ବାରଣ୍ଡାରେ ପଡ଼ିଥିବା(ଯଥେଷ୍ଟ ଘର ନଥିବାରୁ) ରୋଗୀଣା ଭଉଣୀ ଦେଖି ବାହୁନି କାନ୍ଦିବା ଛଡ଼ା ଅନ୍ୟ ବାଟ ପାଉନି ଭାଇ। ଏହା ହେଉଛି ଅଠାନ୍ତର ମିନତି ନାଏକଙ୍କ ଦୁର୍ଦ୍ଦଶାର କରୁଣ କାହାଣୀ।

ସୂଚନା ଅନୁସାରେ, ବାଲିପାଟଣା ବ୍ଲକ ଅଠାନ୍ତର ମେଡିକାଲ ରାସ୍ତାରେ ରହୁଛନ୍ତି ମିନତି ନାଏକ। ବାପା ମା’ ଆରପାରିକୁ ଚାଲି ଯାଇଛନ୍ତି। ୧୫ ବର୍ଷ ତଳେ ସେ ନିଆଳି ଅଞ୍ଚଳରେ ବିବାହ କରିଥିଲେ। ବିବାହର ୩ ବର୍ଷ ପରେ ହଠାତ୍ ସେ ମାନସିକ ଭାରସାମ୍ୟ ହରାଇଲେ। ତେଣୁ ନିର୍ଦ୍ଦୟ ସ୍ୱାମୀ ତାଙ୍କ ହାତ ଛାଡ଼ି ଦେଲା। ତେବେ ଅଭାବ ସଂସାର ଚଳାଉଥିବା ଭାଇ ଭାବ ତାଙ୍କୁ ଶାଶୂ ଘରୁ ଟ୍ରଲିରେ ବୋହି ନିଜ ପାଖକୁ ଆଣିଲେ। ଭାବ ପିଲାଦିନରୁ ପକ୍ଷାଘାତ ରୋଗରେ ନିଜ ଗୋଡ଼ର ପୂର୍ଣ୍ଣ କ୍ଷମତା ହରାଇଛନ୍ତି। ତଥାପି ସେ ମୂଲ ଲାଗି ୫ ପ୍ରାଣୀ କୁଟୁମ୍ବଙ୍କୁ ପୋଷୁଛନ୍ତି। ଗୋଡ଼ ଖରାପ ଯୋଗୁଁ ସବୁବେଳେ କାମ କରିପାରନ୍ତି ନାହିଁ। ତେଣୁ ପେଟ ପୂରାଇବା ପାଇଁ ରୋଜଗାର କରିପାରୁନଥିବା ଭାବ ନିଜ ଭଉଣୀର ଚିକିତ୍ସା କରାଇପାରୁନାହାନ୍ତି। ମିନତିଙ୍କ ଗର୍ଭାଶୟରେ ରୋଗ ହୋଇଛି। ବହୁ ସମୟରେ ସେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଭାବ ପାଖରେ ଥିବା ସରକାରୀ ମେଡିକାଲରୁ ଔଷଧ ଆଣି ଦେଉଛନ୍ତି। ମାତ୍ର ରୋଗରୁ ଉପଶମ ମିଳୁନାହିଁ। ବରଂ ଯନ୍ତ୍ରଣା ବଢିବାରେ ଲାଗିଛି। ଅପେରସନ ନ ହେଲେ ନ ଚଳେ। ମାତ୍ର ସେଥିପାଇଁ ଆବଶ୍ୟକ ଟଙ୍କା ଦରକାର ଯୋଗାଡ଼ କରିବା ଭାବଙ୍କ ପକ୍ଷେ ଅସମ୍ଭବ। ଏ ନେଇ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମନୋରଞ୍ଜନ ହାତୀଙ୍କ କହିବା କଥା ଅସ୍ତ୍ରୋପଚାର ହେଲେ ଏହି ରୋଗ ଭଲ ହୋଇପାରନ୍ତା। କିନ୍ତୁ ସ୍ଥାନୀୟ ମେଡିକାଲରେ ସେପରି କିଛି ସୁବିଧା ନାହିଁ। ତେଣୁ ବାହାରୁ ସହଯୋଗ ବିନା ମିନତିଙ୍କ ଅପରେସନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ମିନତିଙ୍କୁ ସାହାଯ୍ୟ କରିବା ପାଇଁ ଇଚ୍ଛୁକ ସହୃଦୟ ବ୍ୟକ୍ତିମାନେ ୭୭୮୯୦୬୮୬୧୮ ଯୋଗେ ଭାବଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର