ମଦଭାଟିରୁ ମୁଣ୍ଡକାଟ ଯାଏ ବହୁ ରହସ୍ୟମୟ ମୃତ୍ୟୁର ମୁକସାକ୍ଷୀ ମିନତି

ଚନ୍ଦ୍ରଶେଖରପୁର : ଚନ୍ଦକା-ଦାସପୁର ରାସ୍ତାରୁ ମିଳିଥିବା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପୁଷ୍ପଲତା ରାଉଳଙ୍କର ବୋଲି ପୁଲିସ ଚିହ୍ନଟ କରିବା ସହ ହତ୍ୟାକାରୀକୁ ମଧ୍ୟ ଗିରଫ କରିଛି। ‌ତେବେ ମୃତ ପୁଷ୍ପଲତା ଓରଫ୍ ପୁଷି ଓ ହତ୍ୟାକାରୀ ସଞ୍ଜୟ ଦାସର କାହାଣୀକୁ ନେଇ ମଞ୍ଚେଶ୍ବର ଧିରିକୁଟି ବସ୍ତିରେ ଚାଲିଛି ସରଗରମ ଚର୍ଚ୍ଚା। ଏହି ନାଟକୀୟ କାହାଣୀ କିଭଳି ଧିରିକୁଟି ବସ୍ତିରୁ ଆରମ୍ଭ ହୋଇ ଭରତପୁରରେ ସରିଲା, ତାହା ଏବେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି । ବେଆଇନ ମଦଭାଟିରୁ ଆରମ୍ଭ ଏହି କାହାଣୀର ଅନ୍ତ ଏମିତି ଦିନେ ହେବ ବୋଲି ବସ୍ତିବାସିନ୍ଦାମାନେ ପୂର୍ବରୁ ଆକଳନ କରିଥିଲେ। ବଡ଼ କଥା ହେଉଛି ଏହି ବେଆଇନ ମଦ କାରବାରର ମୁଖ୍ୟ ପୁଷ୍ପଲତାଙ୍କ ମା’ ମିନତି ଓରଫ୍‌ ମୀନା ବୋଲି ଆଲୋଚନା ହେଉଥିବାବେଳେ ପୁଷି ହତ୍ୟାକାଣ୍ଡ ପୂର୍ବରୁ ମୀନା ଏମିତି ବହୁ ରହସ୍ୟମୟ ମୃତ୍ୟୁର ମୁକସାକ୍ଷୀ ବୋଲି କୁହାଯାଉଛି।

ବସ୍ତିରୁ ମିଳିଥିବା ସୂଚନାନୁସାରେ ସ୍ଥାନୀୟ ଅଞ୍ଚଳର ଏହି ମହିଳା ମୀନା ଗାଁରେ ମଦ ଭାଟି କରିଥିଲା। ମାତ୍ର ଗାଁ ଲୋକଙ୍କ ପ୍ରବଳ ବିରୋଧ ପରେ ସେ ଗାଁ ଛାଡ଼ି ଧିରିକୁଟି ବସ୍ତିରେ ପରିବାର ସହ ରହିଲା ଓ ସେଠାରେ ମଦ ଭାଟି ଚଳାଇଲା। ଏମିତିକି ମଦ କାରବାରରେ ତାକୁ ସହଯୋଗ କରୁଥିବା ଅସାମାଜିକ ତତ୍ତ୍ବଙ୍କ ବଳରେ ସେ ବସ୍ତିର ଡନ୍‌ ପାଲଟି ଯାଇଥିଲା ଏବଂ ସରକାରୀ ଜମି ଜବରଦଖଲ କରି ପ୍ରାୟ ୪୦ଟି ଘର କରି ଭଡ଼ା ଲଗାଇଥିଲା। ସ୍ଥାନୀୟ ମହିଳା ହୋଇଥିବାରୁ ବସ୍ତିବାସିନ୍ଦାମାନେ ତାକୁ ଭୟ କରୁଥିଲେ। ପୁଣି ବହୁ ବସ୍ତିବାସିନ୍ଦା ମଦ ପିଇ ତାକୁ ସମର୍ଥନ ବି କରୁଥିଲେ। ତେଣୁ ଘରଭଡ଼ା ଓ ମଦ ବେପାରରୁ ମୀନା ପ୍ରଚୁର ଅର୍ଥ ରୋଜଗାର କରିଥିଲା। ଏହି ଅର୍ଥରେ ସେ ଏକ ଫର୍ଣ୍ଣିଚର ଦୋକାନ କରିଥିଲା। ତେବେ ମୀନାର ମଦ ସାମ୍ରାଜ୍ୟ ଉପରେ ଅବକାରୀ ବିଭାଗର ଘନଘନ ଚଢ଼ଉ ଯୋଗୁଁ ସମୟକ୍ରମେ ସେ କ୍ଷତିଗ୍ରସ୍ତ ହେଲା। ବାରମ୍ବାର ତାକୁ ଜେଲ୍‌ ଯିବାକୁ ପଡ଼ିଲା। କିନ୍ତୁ ତା’ ବେପାର ବନ୍ଦ ହେଲା ନାହିଁ। ଏହା ଭିତରେ ହଠାତ୍ ଦିନେ ମୀନାର ସ୍ବାମୀଙ୍କ ମୃତଦେହ ରେଳ ଧାରଣାରୁ ମିଳିଲା। ଏହା ଏକ ରହସ୍ୟମୟ ମୃତ୍ୟୁ ବୋଲି ସେତେବେଳେ ଜୋର୍‌ଦାର ଚର୍ଚ୍ଚା ହୋଇଥିଲା। ସେହିଭଳି ତା ମଝିଆ ଝିଅର ବି ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ବଡ଼ ଝିଅ କୌଣସି କାରଣରୁ ମାନସିକ ବିକାରଗ୍ରସ୍ତ ହୋଇପଡ଼ିଥିଲା। ପରେ ପରେ ପୁଷ୍ପଲତାର ସ୍ବାମୀ ମଧ୍ୟ ପ୍ରାଣ ହରାଇଥିଲା। ତେଣୁ ମୀନା ଏମିତି ବହୁ ରହସ୍ୟମୟ ମୃତ୍ୟୁର ମୁକସାକ୍ଷୀ ହୋଇ ରହିଛି।

ପୁଷି ହତ୍ୟାକାଣ୍ଡର ଅଭିଯୁକ୍ତ ସଂଜୟ ମୀନା ମଦ ଭାଟିର ମାଲ୍‌ ଚାଲାଣ ପାଇଁ ଗାଡ଼ି ଚଳାଉଥିଲା। ସେ ସେହିଠାରେ ହିଁ ଭଡ଼ାରେ ରହୁଥିବାରୁ ପୁଷି ସହ ତା’ର ଭଲ ପରିଚୟ ଥିଲା। ପୁଷିର ସ୍ବାମୀ ମରିଗଲା ପରେ ସଞ୍ଜୟ ପୁଷିକୁ ନିଜର କରିଥିଲା। ଆନୁଷ୍ଠାନିକ ଭାବେ ସେମାନେ ବିବାହ କରିନଥିଲେ ହେଁ ଏକାଠି ରହୁଥିଲେ। କିନ୍ତୁ କିଛି ବର୍ଷ ପରେ ସଞ୍ଜୟ ଫୁଲେଶ୍ବରୀ ବସ୍ତିରେ ଓ ପୁଷି ଭରତପୁର ତାରିଣୀ ବସ୍ତିରେ ଯାଇ ରହିଥିଲେ। ବିବାହିତ ହୋଇଥିଲେ ବି ସଞ୍ଜୟ ପୁଷିକୁ ନିଜ ସ୍ତ୍ରୀ ଭଳି ରଖିଥିଲା। କିନ୍ତୁ କୌଣସି କାରଣରୁ ପୁଷି ଓ ସଞ୍ଜୟ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା। ତେଣୁ ପୁଷି ଚକେଇସିଆଣି ଅଞ୍ଚଳରେ ରହୁଥିବା ପ୍ରୀତିରଞ୍ଜନକୁ ଆମ୍‌ଫୋଇ ସଂସ୍ଥା ଜରିଆରେ ବିବାହ କରିଥିଲା। ଏହି ବିବାହ ହିଁ ସଞ୍ଜୟ ମନରେ ପ୍ରତିହିଂସା ସୃଷ୍ଟି କରିଥିଲା। ତେବେ ପୁଷି ଓ ପ୍ରୀତିରଞ୍ଜନଙ୍କ ଦାମ୍ପତ୍ୟ ଜୀବନରେ ଖୁବ୍‌ କମ୍‌ ଦିନରେ ଫାଟ ସୃଷ୍ଟି ହେବାରୁ ଗତ କିଛି ଦିନ ହେଲା ପୁଷି ପ୍ରୀତିରଞ୍ଜନକୁ ଛାଡ଼ି ଏକୁଟିଆ‌ ଭରତପୁର ତାରିଣୀବସ୍ତିରେ ରହୁଥିଲା ଓ ପୁଣି ସଞ୍ଜୟ ସହ ମିଳାମିଶା କରିବା ଆରମ୍ଭ କରିଥିଲା। ଗତ ୩ ତାରିଖ ରାତି‌ରେ ସଞ୍ଜୟ ପୁଷିକୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଦେହରୁ ମୁଣ୍ଡକୁ କାଟି ଅଲଗା କରି ଭିନ୍ନ ଭିନ୍ନ ଜାଗାରେ ଫିଙ୍ଗି ଫେରାର୍ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର