ଭୁବନେଶ୍ବର : ଘରେ ଘରେ ଅଛି ରେଫ୍ରିଜରେଟର। ଗରିବ ଶ୍ରେଣୀୟ ଲୋକଙ୍କୁ ବାଦ୍ ଦେଲେ, ନିମ୍ନ ମଧ୍ୟବିତ୍ତ ପରିବାରରେ ବି ଆଜିକାଲି ରେଫ୍ରିଜରେଟରଟିଏ ସାଧାରଣ ବସ୍ତୁ ହୋଇ ସାରିଛି। ତେଣୁ ଖରା ଦିନେ ଥଣ୍ଡା ପାଣି ପିଇବା ପାଇଁ ସମସ୍ୟା ନାହିଁ। କିନ୍ତୁ ଯେଉଁ ଘରେ ରେଫ୍ରିଜରଟେର ଅଛି, ସେହି ଘରେ ଏବେ ବି ମାଟି ସୁରେଇର ଆଦର ରହିଛି।
ରାଜଧାନୀର ବିଭିନ୍ନ ସ୍ଥାନରେ ମାଟି ସୁରେଇ ଦୋକାନ ଦେଖିବାକୁ ମିଳୁଛି। ବିଭିନ୍ନ ସୁନ୍ଦର ସୁନ୍ଦର ଚିତ୍ର ଥିବା ସୁରେଇ ବିକ୍ରି ହେଉଛି। ଟ୍ୟାପ୍ ଖଞ୍ଜା ହୋଇଥିବା ଓ ବିନା ଟ୍ୟାପ୍ ବାଲା ସୁରେଇ ମିଳୁଛି। ବିଭିନ୍ନ ସାଇଜ୍କୁ ନେଇ ଦାମ୍ ରହିଛି। ୫ ଲିଟର ଜଳ ଧାରଣ କ୍ଷମତା ରଖୁଥିବା ସୁରେଇ ଠାରୁ ଆରମ୍ଭ କରି ୩୫ ଲିଟର ବିଶିଷ୍ଟ ମଧ୍ୟ ରହିଛି। ସେହି ଅନୁସାରେ ୧୨୦ ଟଙ୍କାରୁ ଆରମ୍ଭ କରି ୭ ଶହ ଟଙ୍କା ପର୍ଯ୍ୟନ୍ତ ଦାମ୍ରେ ବିକ୍ରି କରାଯାଉଛି। ଅଧିକ ବିକ୍ରି ହେଉଛି ଚିତ୍ର ଥିବା ସୁରେଇ। ସତ୍ୟନଗରରେ ଦୋକାନ କରିଥିବା ସତ୍ୟବ୍ରତ ସାହୁଙ୍କ କହିବା କଥା ଏବେ କିଛି ଦିନ ହେଲା ଖରା ଦିନ ଆରମ୍ଭ ହୋଇଛି। ସେ ପ୍ରାୟ ୨ ମିନିଟ୍ରକ୍ ମାଲ୍ ବିକ୍ରି କରି ସାରିଲେଣି। ଆଗକୁ ଆହୁରି ବିକ୍ରି ହେବ ବୋଲି ସେ ପୂର୍ବ ବର୍ଷମାନଙ୍କ ଅନୁଭୂତିରୁ କହିଛନ୍ତି। ଆମ ରାଜ୍ୟର ରାୟଗଡ଼ା, ସମ୍ବଲପୁର, ବରଗଡ଼ ବାଦ୍ ପଶ୍ଚିମବଙ୍ଗରୁ ମଧ୍ୟ ସେ ସୁରେଇ କିଣନ୍ତି ବୋଲି କହିଛନ୍ତି। ବେଶି ଧନୀକ ଶ୍ରେଣୀର ଲୋକେ ତାଙ୍କ ଗ୍ରାହକ ବୋଲି ସେ କହିଛନ୍ତି। ଆଜି ଇନ୍ଫୋସିସ୍ରେ ଆଇଟି ଇଂଜିନିୟର ଭାବେ କାମ କରୁଥିବା ଏକ ଦମ୍ପତ୍ତି ଏଠାରୁ ସୁରେଇ କିଣିଥିଲେ। ଚିତ୍ର ଥିବା ଏକ ୧୦ ଲିଟର କ୍ଷମତାର ସୁରେଇକୁ ସେମାନେ ୩ ଶହ ଟଙ୍କା ଦେଇ କିଣିଥିଲେ। ତାଙ୍କ କହିବା କଥା ପ୍ରତି ବର୍ଷ ଖରା ଦିନ ଆସିଲେ, ସେମାନେ ଏଭଳି ସୁରେଇ ପାଣି ପିଇବାକୁ ପସନ୍ଦ କରନ୍ତି। ଆକ୍ବାଗାର୍ଡରୁ ପାଣି ନେଇ ସୁରେଇରେ ରଖନ୍ତି ଓ ପିଅନ୍ତି। ସୁରେଇ ପାଣିର ଏକ ସ୍ବତନ୍ତ୍ର ମହକ ଥାଏ ବୋଲି ସେମାନେ କହିଥିଲେ। ରେଫ୍ରିଜରରେଟରର ଥଣ୍ଡା ଜଳ ଅପେକ୍ଷା ସୁରେଇର ଥଣ୍ଡା ଜଳ ଅଧିକ ମଧୁର ବି ଲାଗେ ବୋଲି ସେମାନେ କହିଥିଲେ। ସେହିଭଳି ଜଣେ ବୟସ୍କ ମହିଳା ପ୍ରମିଳା ନାୟକଙ୍କ କହିବା କଥା ଖରାରୁ ଆସି ସୁରେଇ ପାଣି ପିଇଦେଲେ, ବଡ଼ ତୃପ୍ତି ମିଳେ। ଫ୍ରିଜ୍ ପାଣି ଦେହକୁ ସୁହାଏ ନାହିଁ ବୋଲି ସେ ପ୍ରତିବର୍ଷ ସୁରେଇ କିଣିବା କହିଥିଲେ।