ଧଉଳି: କିଛି ଦିନର ବ୍ୟବଧାନ ପରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଞ୍ଚଳରେ ପୁଣି ସିନ୍ଧିଚୋର ମାତିଛନ୍ତି। ଦିନ ଦ୍ବିପ୍ରହରରେ ଜଣେ ଖଣି ଅଧିକାରୀଙ୍କ ଘରେ କଳାକନା ବୁଲାଇଛନ୍ତି। କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ‘ସିଫା’ ସମ୍ମୁଖରେ ଥିବା ଗଜପତିନଗରରେ ରହୁଥିବା ଓଏମ୍ସି ଜୁନିଅର୍ ସୁପର୍ଭାଇଜର୍ ଶରତ ପଟ୍ଟନାୟକଙ୍କ ଘରୁ ଏହି ଚୋରି ହୋଇଛି। ଏନେଇ ଶରତଙ୍କ ପତ୍ନୀ ପ୍ରତିମା କୌଶଲ୍ୟାଗଙ୍ଗ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଦେଢ଼ଶହ ଗ୍ରାମ୍ର ସୁନା ଅଳଙ୍କାର ସମେତ ନଗଦ ୨ ଲକ୍ଷ ଟଙ୍କା ଓ ଜମା ସଂକ୍ରାନ୍ତ କାଗଜପତ୍ର ଚୋରି ହୋଇଛି। ଚୋରି ସୁନା ଗହଣା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ। ଏସଂପର୍କରେ ପ୍ରତିମା କୌଶଲ୍ୟାଗଙ୍ଗ ଫାଣ୍ଡିରେ କରିଥିବା ଅଭିଯୋଗ ଭିତ୍ତିରେ ପିପିଲି ଥାନା ଅଧିକାରୀ ସୌମେନ୍ଦ୍ର ତ୍ରିପାଠୀ ଓ ଉତ୍ତରା ଫାଣ୍ଡି ପୁଲିସ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ନେଇ ତଦନ୍ତ କରିଥିଲେ। ହେଲେ ଖବର ଲେଖା ପର୍ଯ୍ୟନ୍ତ ପୁଲିସ ଲୁଟେରାଙ୍କୁ ଚିହ୍ନଟ କରିପାରି ନାହିଁ।
ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରିବାରେ ୩ ଜଣ ଲୁଟେରା ଦୀର୍ଘ ୧ ଘଣ୍ଟା ଧରି ଲୁଟପାଟ କରିଥିବା ଜଣାପଡ଼ୁଛି। ପ୍ରତିମାଙ୍କ ସ୍ବାମୀ ଓଡ଼ିଶା ଖଣି ନିଗମର କନିଷ୍ଠ ସୁପର୍ଭାଇଜର ଭାବେ କେନ୍ଦୁଝରରେ କାର୍ଯ୍ୟରତ ଥିବାବେଳେ ତାଙ୍କ ପରିବାର ଏଠାରେ ରହୁଛନ୍ତି। ଆଜି ପୂର୍ବାହ୍ନରେ ତାଙ୍କ ପତ୍ନୀ ପ୍ରତିମା ରାକ୍ଷୀ କିଣିବା ପାଇଁ ପାଖ ବଜାରକୁ ଯାଇଥିବାବେଳେ ଦୁର୍ବୃତ୍ତ ପଛପଟ ଝରକା ତାଡ଼ି ଘର ଭିତରେ ପଶି ଆଲମାରୀ ତାଲା ଭାଙ୍ଗି ସୁନା ଗହଣା ଓ ୨ ଲକ୍ଷ ଟଙ୍କା ଲୁଟ୍ କରିବାରେ ସକ୍ଷମ ହୋଇଥିଲେ। ପ୍ରତିମା ଘରକୁ ଫେରି ତାଲା ଖୋଲିବାକୁ ଯିବା ବେଳେ ଘର ଭିତରେ ଶବ୍ଦ ଶୁଣି ଚୋର ପଶିଥିବା ଜାଣି ପାରିଥିଲେ। ହେଲେ ଏକୁଟିଆ ଥିବାରୁ କବାଟ ଖୋଲି ଭିତରେ ପଶିବାକୁ ସେ ସାହସ କରି ନଥିଲେ। ଘଟଣା ଜଣାଇବାକୁ ପଡ଼ୋଶୀଙ୍କ ଘରକୁ ଯିବାବେଳେ ଲୁଟେରା ଝରକା ଡେଇଁ ଫେରାର ହୋଇଯାଇଥିଲେ।