ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏକ କ୍ଷୁଦ୍ର ଭାରତ କହିଲେ ଅତ୍ୟୁକ୍ତି ହେବନାହିଁ। ଏଠାରେ ବିଭିନ୍ନ ସ୍ଥାନରୁ, ଭିନ୍ନ ଭିନ୍ନ ଭାଷାଭାଷୀ ଓ ଧର୍ମାବଲମ୍ୱୀ ଲୋକ ବସବାସ କରୁଛନ୍ତି। ପୂର୍ବରୁ ସହରବାସୀ ଅନ୍ୟସ୍ଥାନକୁ ପେଟପାଟଣା ପାଇଁ ଯାଉଥିବା ବେଳେ ବର୍ତ୍ତମାନ ରାଜଧାନୀ ବାହାରର ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ପାଲଟିଛି। ସେଥିପାଇଁ ସହରରେ ବୁଲା ବ୍ୟବସାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯେହେତୁ ସବୁବର୍ଗର ଲୋକମାନଙ୍କ ପାଇଁ ମଲ୍ ଓ ବଡ଼ ରେସ୍ତୋରାଁ ଯିବା ସମ୍ଭବପର ହେଉନାହିଁ, ତେଣୁ ରାସ୍ତାକଡ଼ ବଜାର ପାଲଟିଛି ସାଧାରଣ ଲୋକ, ବିଶେଷ କରି ଯୁବପିଢ଼ିଙ୍କର ଆଡ଼ାସ୍ଥଳୀ। ଓଡ଼ିଶା ସମେତ ରାଜସ୍ଥାନ, ଗୁଜୁରାଟ, ଉତ୍ତର ପ୍ରଦେଶ, ଦିଲ୍ଲୀ, ମୁମ୍ୱାଇ; ଏପରିକି ତାଇଵାନ, ବଙ୍ଗଳାଦେଶ ଓ ନେପାଳ ଆଦିରୁ ବେପାରୀ ଆସି ରାଜଧାନୀର ବିଭିନ୍ନ ଛକ, ଯେପରିକି ରାମମନ୍ଦିର, କଳ୍ପନା, ବିଗ୍ ବଜାର, ମାଷ୍ଟର କ୍ୟାଣ୍ଟିନ, ସହିଦନଗର, ଅଶୋକନଗର, ଖଣ୍ଡଗିରି ଆଦି ସ୍ଥାନରେ ପସରା ମେଲାଇଛନ୍ତି। ଏମାନେ ଓଡ଼ିଶାକୁ ପ୍ରାୟତଃ ଅଗଷ୍ଟ ମାସ ବେଳକୁ ବେପାର କରିବାକୁ ଆସୁଛନ୍ତି। ପାର୍ବଣଋତୁ ଓ ନୂଆବର୍ଷ ପାଖାପାଖିର ଉତ୍ସବମୁଖର ସମୟରେ ବେପାର କରି ଖଣ୍ଡଗିରି ଯାତ୍ରା ପରେ ପରେ ପୁଣି ଘରକୁ ଫେରିଯାଉଛନ୍ତି।
ରାମ ମନ୍ଦିର ଓ ଅଶୋକନଗର ଛକକୁ ନିଆଯାଇପାରେ। ଏହି ଦୁଇଛକର ଉଭୟ ପାର୍ଶ୍ୱରେ ବହିରାଗତ ବ୍ୟବସାୟୀମାନେ ପୋଷାକ, ଅଳଙ୍କାର, ଚପଲ, ପ୍ଲାଷ୍ଟିକ କୁଣ୍ଡ, ଫୁଲଦାନୀ, ଅତର, ଚଷମା ଆଦି ସୁଲଭ ମୂଲ୍ୟରେ ବିକ୍ରି କରୁଛନ୍ତି। ଏନେଇ ପୋଷାକ ବ୍ୟବସାୟୀ ଜିତେନ୍ ସିଂହ କହିଲେ, ‘‘ମଲ୍କୁ ଗଲେ ଛୋଟ ଜିନିଷ ପାଇଁ ଉଚ୍ଚ ଦାମ୍ ଦେବାକୁ ପଡ଼ୁଛି। ପୁଣି ଗାଡି ପାର୍କିଂ ଓ ବିଲ୍ କରିବାରେ ସମୟ ପଳଉଛି। ହେଲେ ଏଠାରେ ଯୁବପିଢ଼ି କମ୍ ମୂଲ୍ୟରେ ବିଭିନ୍ନ ପ୍ରକାର ଓ ଡିଜାଇନ୍ର ପୋଷାକ ପାଉଛନ୍ତି। ପୁଣି ସେମାନଙ୍କୁ ବେଶୀ ସମୟ ଅପେକ୍ଷା ମଧ୍ୟ କରିବାକୁ ପଡ଼ୁନାହିଁ। ତେଣୁ ଯୁବପିଢ଼ି ରାସ୍ତାକଡ଼ ଜିନିଷ ପ୍ରତି ଆକର୍ଷିତ ହେଉଛନ୍ତି।’’ ସେହିପରି ସହିଦନଗର ଛକରେ ପ୍ରତିଦିନ ଜମୁଛି ବିଭିନ୍ନ ରାଜ୍ୟର ଖାଦ୍ୟ, ଯେପରିକି ମୁମ୍ୱାଇର ବଡ଼ାପାଓ, ପାଓଭାଜି, ପଞ୍ଜାବର ଛୋଲେ ଭତୁରେ, ହାଇଦ୍ରାବାଦୀ ବିରିଆନି ଓ ନେପାଳର ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ମୋମୋ। ଅବଶ୍ୟ କିଛି ସ୍ଥାନୀୟ ଲୋକ ବି ଏହାକୁ ବିକ୍ରି କରୁଛନ୍ତି, କିନ୍ତୁ ଅଧିକାଂଶ ବେପାରୀ ଆସିଛନ୍ତି ରାଜ୍ୟ ବାହାରୁ। ଏମାନେ ଅବଶ୍ୟ ପ୍ରାୟତଃ ସ୍ଥାୟୀ ଭାବେ ଏଇଠି ରହି ବେପାର କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/20/g4nLL1aYFuQqxIHCDxQZ.jpg)